ସରୁନି ବିମଳାଙ୍କ ଦୁଃଖ, ସାତସପନ ପାଲଟିଛି ସରକାରୀ ଯୋଜନା

ରେଢାଖୋଲ: ଏ ଦୁନିଆ ସ୍ୱାର୍ଥପର । ଯାହାର ଅନେକ ନଜିର ପ୍ରତିଦିନ ଦେଖିବାକୁ ମିଳେ ଆମ ଚାରିପାଖରେ । ରାସ୍ତାରେ ମରି ପଡ଼ିଥିଲେ ବି କେହି ଆଖି କଣରେ ଚାହାଁନ୍ତି ନାହିଁ କି ଟିକିଏ ଭଲ ମନ୍ଦ ପଚାରି ବୁଝନ୍ତି ନାହିଁ । ଏଭଳି ପରିସ୍ଥିତି ପରିବାର ହିଁ ସବୁଠୁ ବଡ ଶକ୍ତି ସମସ୍ତଙ୍କ ପାଇଁ । ହେଲେ ଯଦି ପରିବାରର ସେହି ନିଜର ମଣିଷଟି ବୋଝ ଭାବି ଅଧା ବାଟରେ ଛାଡି ପଳାଇବ ତେବେ କଣ ବା କରିପାରିବ ସେହି ଅବସହାୟ ମଣିଷଟି ।

ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଏହି ଅସହାୟ ମହିଳାଙ୍କୁ ଦଇବ ଦାଉ ସାଜିଛି । ଯେତେବେଳେ ଝିଅ ୨୧ ଦିନର ହେଇଥିଲା ସେହି ଦିନଠାରୁ କଅଁଳ ଝିଅ ସହ ମାନସିକ ବିକାରଗ୍ରସ୍ତ ସ୍ତ୍ରୀ କହି ଭାଇ ଘରେ ଛାଡି ଦେଇଯାଇଥିଲା ଅବିବେକେ ସ୍ୱାମୀ । ଭାଇଙ୍କ ଅବସ୍ଥା ମଧ୍ୟ ଦୟନୀୟ ଥିବାରୁ ସେବେଠାରୁ ମୂଲ ମଜୁରୀ କରି ଚଳନ୍ତି ଏହି ଅସହାୟ ମହିଳା । କୌଣସି ଭିନ୍ନକ୍ଷମ ପ୍ରମାଣ ପତ୍ର ନାହିଁ କି ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ବି ନାହିଁ । ରାସନକାର୍ଡରେ ନାମ ଥାଇ ବି ମିଳୁନି ଚାଉଳ କିମ୍ବା ମାସିକ ଭତ୍ତା ।

ଏପଟେ ଶୀତ କାକରରେ ଚିରାଫଟା କପଡା ପିନ୍ଧି ନିଜ ଝିଅର ଭଙ୍ଗା ଦଦରା ଘରେ ନହେଲେ କାହା ପିଣ୍ଡାରେ ବିଶ୍ରାମ ନିଅନ୍ତି । କିଏ ଖାଇବାକୁ ଦେଲେ ଭଲ ନହେଲେ ନାଇଁ । କଥାବାର୍ତ୍ତା ମଧ୍ୟ ଠିକ୍ ଭାବରେ କରିପାରନ୍ତି ନାହିଁ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ ତନ୍ତଗାଡ ଗ୍ରାମରେ । ଏହି ଗ୍ରାମରେ ଅସହାୟ ମହିଳା ବିମଳା ମୁଣ୍ଡାଙ୍କ ଦୁଃଖ ଆଖିରେ ନଦେଖିଲେ ଅନୁଭବ କରିବା କଷ୍ଟ ।

ଆମ ସମାଜରେ ମହିଳାଙ୍କ ହକ୍, ଉନ୍ନତି ତଥା ବିକାଶକୁ  ଗୁରୁତ୍ୱ ଦିଆଯାଉଥିବା ନେଇ ସବୁଠି ଡିଣ୍ଡିମ ବାଜୁଥିବାବେଳେ ବାସ୍ତବରେ ତାହା କେତେ ଦୂର ସତ୍ୟ ତନ୍ତଗାଡ ଗ୍ରାମର ଅସହାୟ ମହିଳା ବିମଳାଙ୍କୁ ଦେଖିଲେ ସହଜରେ ଅନୁମାନ କରାଯାଇ ପାରେ । ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କ ସୁବିଧା ନିମନ୍ତେ ଯୋଗାଇ ଦିଆଯାଉଥିବା ଜମିପଟ୍ଟା ଠାରୁ ଆରମ୍ଭ କରି ଆବାସ ଯୋଜନା, ମାଗଣା ସ୍ୱାସ୍ଥ୍ୟସେବା, ମାସିକ ପେନସନ ଯୋଜନା ଓ ମାଗଣା ରାସନ ଭଳି ସହାୟତା ବିମଳାଙ୍କ କ୍ଷେତ୍ରରେ ସାତସପନ । ବିମଳାଙ୍କୁ ଦେଖିଲେ ତାଙ୍କର ଆଧାର କାର୍ଡ ଓ ଭୋଟର କାର୍ଡର ବୟସ  ମଧ୍ୟ ତୃଟିପୂର୍ଣ୍ଣ ଥିବା ସ୍ପଷ୍ଟ ବାରି ହୋଇପଡୁଛି ।

ଏପଟେ ପଡୋଶୀ କହିଛନ୍ତି, ଅନେକ ବର୍ଷ ହେଲା ମାଆ ଝିଅଙ୍କ ଦେଖାରେଖା ଆମେ କରିଛୁ । ଆଜି ପର୍ଯ୍ୟନ୍ତ ତାଙ୍କ ରହିବା ପାଇଁ ଘରଟିଏ କି ଭତ୍ତା କିଛି ମିଳିନାହିଁ।ଖାଲି ଆମ ପରିବାରକୁ ମିଳିଥିବା ରାସନ କାର୍ଡରେ ତାଙ୍କ ନାମ ରହିଛି । ଯେଉଁଥିରେ ପୂର୍ବରୁ ତାଙ୍କୁ ମାସକୁ ୧୦ କିଲୋ ଲେଖାଁଏ ଚାଉଳ ମିଳୁଥିଲା । ସେତିକି ହିଁ ତାଙ୍କ ସମ୍ବଳ ଥିଲା । ହେଲେ ଏବେ ୨ ବର୍ଷ ହେଲା ତାଙ୍କୁ ଆଉ ଚାଉଳ ମିଳୁ ନାହିଁ ।

ଏହାକୁ ନେଇ ଅନେକ ଥର ରେଢ଼ାଖୋଲ ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଜଣେଇଥିଲେ ବି କେହି ଶୁଣୁ ନାହାଁନ୍ତି ବୋଲି କହନ୍ତି ବିମଳାଙ୍କ ଭାଉଜ ଅଞ୍ଜନା ମୁଣ୍ଡା । ଅନ୍ତୋଦୟ ପରିବାରରେ ଅନ୍ତର୍ଭୁକ୍ତ କାର୍ଡ ସଂଖ୍ୟା ୨୮୦୮୦୯୧୦୫୦୩ ରେ ବିମଳାଙ୍କ ନାମ ରହିଥିବା ଅନୁସନ୍ଧାନରୁ ଜଣାପଡିଥିଲା । ହେଲେ ଏଥିରେ ତାଙ୍କୁ ଚାଉଳ ମିଳିପାରୁନଥିବାରୁ ବିମଳାଙ୍କ ନାମରେ ଗୋଟିଏ ନୂତନ କାର୍ଡ ଯୋଗାଇ ଦେବାପାଇଁ ତାଙ୍କ ଝିଅ ଚକା ମୁଣ୍ଡା ଅନୁରୋଧ କରିଛନ୍ତି ।

ପ୍ରଶାସନ ଏ ଦିଗରେ ଧ୍ୟାନ ଦେଇ ଅସହାୟ ମହିଳା ବିମଳାଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାପାଇଁ ତନ୍ତଗାଡ ଗ୍ରାମବାସୀ ଦାବି କରିଛନ୍ତି। ଅସହାୟ ମହିଳା ବିମଳା ମୁଣ୍ଡାଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନା ସାତସପନ । ମୁଣ୍ଡ ଗୁଞ୍ଜିବାକୁ ହେଉଛନ୍ତି ବାର ଦୁଆର । ଏହି ଅସହାୟ ମହିଳା ବିମଳାଙ୍କ ଦୁଃଖ କେବେ ଦୁର କରୁଛି ପ୍ରଶାସନ ତାହାକୁ ହିଁ ଅପେକ୍ଷା ।

 

You might also like