ସ୍କେଟିଂ କରି ୧୦,୫୫୦ କିଲୋମିଟର ଯାତ୍ରା କରୁଛନ୍ତି ମହିଳା, ବିଶ୍ବ ରେକର୍ଡ ନେଇ ରଖିଛନ୍ତି ଲକ୍ଷ୍ୟ

ମହିଳାଙ୍କୁ ଘାରିଛି ବିଶ୍ବ ରେକର୍ଡ ନିଶା । ସାଇକେଲ କି ବାଇକ୍ ନୁହେଁ ସ୍କେଟିଂରେ ଯାତ୍ରା କରି ବିଶ୍ବ ରେକର୍ଡ କରିବା ନେଇ ରଖିଛନ୍ତି ଲକ୍ଷ୍ୟ । ଉତ୍ତରପ୍ରଦେଶର କାଶୀରୁ ବାହାରି ୨୦ଟି ରାଜ୍ୟ ଦେଇ ୧୦,୫୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କରିଛନ୍ତି ଜଣେ ମହିଳା । ୧୦ହଜାର ୯୬ କିଲୋମିଟର ଯାତ୍ରା କରି ଗିନିଜ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଥିବା କାନାଡାର ବ୍ୟକ୍ତିଙ୍କୁ ପଛରେ ପକାଇ ଭାରତର ନାଁକୁ ଗିନିଜ ବୁକ୍ ଅଫ୍ ରେକର୍ଡସ୍ ରେ ଆଣିବା ପାଇଁ ସାଇକେଲ ବା ବାଇକ ନୁହେଁ ରୋଲର ସ୍କେଟିଂରେ କରୁଛନ୍ତି ଯାତ୍ରା । ଉତ୍ତରପ୍ରଦେଶ କାଶୀରେ ବାସ କରୁଥିବା ସୋନି ଚୌରସିୟା ସ୍କେଟିଙ୍ଗରେ ଯାତ୍ରା କରି ଝାଡ଼ଖଣ୍ଡ ରାସ୍ତା ଦେଇ ଗତକାଲି ଅପରାହ୍ନରେ ରାଉରକେଲାରେ ପହଞ୍ଚିବା ପରେ ଆଜି ସକାଳୁ ରାଉରକେଲାରୁ ବାହାରି ବାରକୋଟ, ଖମାର, କାମାକ୍ଷାନଗର ଦେଇ କଟକ ପରେ ଭୁବନେଶ୍ୱରରେ ପହଞ୍ଚିବେ ବୋଲି କହିଛନ୍ତି । ଯୋଗକୁ ନେଇ ସୁସ୍ଥ ଭାରତ ସମର୍ଥ ଭାରତ ଏବଂ ପରିବେଶର ସୁରକ୍ଷାକୁ ନେଇ ଆରମ୍ଭ କରିଛନ୍ତି ଏହି ସ୍କେଟିଂ ଯାତ୍ରା । ଏଭଳି ଭାବେ ବିଶ୍ବ ରେକର୍ଡ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ।
ତେବେ ଜାନୁଆରୀ ୨୦ ତାରିଖରେ କାଶୀରୁ ବାହାରିଛନ୍ତି ସୋନି । ସେ ମେ ୧୨ରେ କାଶୀରେ ପହଞ୍ଚି ଏହି ଯାତ୍ରା ଶେଷ କରିବେ । କାଶୀରୁ ବାହାରି କାଶୀରେ ପହଞ୍ଚିଵା ଲକ୍ଷ୍ୟ ନେଇ ସୋନି ଚୌରାସିଆ ୬ ଜଣିଆ ଟିମ୍ ନେଇ ବାହାରିଥିଲେ । ସେ ୪ ମାସରେ ୨୦ ରାଜ୍ୟର ୧୦, ୫୫୦ କିଲୋମିଟର ସ୍କେଟିଂ କରି ଯାତ୍ରା ସମ୍ପନ୍ନ କରିବେ ।
ପୂର୍ବରୁ ସୋନି ଚୌରସିୟା ୨୦୧୬ ମସିହାରେ କଥକ ନୃତ୍ୟ କରି ବିଶ୍ୱ ରେକର୍ଡ କରିଥିଲେ । ସୋନି ଚୌରସିଆଙ୍କ ଏଭଳି ଏକ ବାର୍ତ୍ତାର ପ୍ରଚାର ପ୍ରସାର ପାଇଁ ସ୍କେଟିଂରେ ଯାଉଥିବା ବେଳେ ବାଟରେ ତାଙ୍କୁ ସମର୍ଥନ ସହ ସ୍ୱାଗତ କରୁଛନ୍ତି ଲୋକେ ।