ଏ ମହିଳାଙ୍କ ସାଢ଼େ ୬ ଫୁଟର ଲମ୍ବା ଚୂଳ ଦେଖିଲେ ଆପଣ ବି କହିବେ କିଏ ଏ ପରୀ ରାଇଜର କନ୍ୟା

ଏଲୋନା କ୍ରାଭଚେଙ୍କୋ । ୟୁକ୍ରେନ୍‌ର ୩୫ ବର୍ଷ ବୟସ୍କ ଜଣେ ସୁନ୍ଦରୀ ମହିଳା । ତେବେ ତାଙ୍କର ବିଶେଷତ୍ୱ କେବଳ ସୁନ୍ଦରତାରେ ନାହିଁ । ସେ ଆଜି ଚର୍ଚ୍ଚିତା ନିଜର ଲମ୍ବା ଚୂଳ ପାଇଁ ।
ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସବୁଠି ତାଙ୍କୁ ନେଇ ଆଲୋଚନା ଚାଲିଛି । ଏଲୋନାଙ୍କ ବାଳର ଲମ୍ବ ହେଉଛି ୬ ଫୁଟ ୫ ଇଞ୍ଚ । ସେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ନିଜ ବାଳ କାଟି ନାହାନ୍ତି । ତାଙ୍କ ସୁନେଲି ଲମ୍ବା ଚୂଳକୁ ଦେଖିଲେ ଲାଗିବ ଯେମିତି କେଉଁ ପରୀ ରାଇଜର ରାଜକୁମାରୀ ସେ ।
ଏଲୋନା କୁହନ୍ତି କି ତାଙ୍କ ଯେତେବେଳେ ୫ ବର୍ଷ ବୟସ ହୋଇଥିଲା ତାଙ୍କ ମା ତାଙ୍କୁ କହିଥିଲେ କି ମହିଳାମାନେ ଲମ୍ବା ବାଳ ରଖିବା ଉଚିତ । ବାସ୍‌ ସେତିକି କଥା ତାଙ୍କ ମନରେ ଘର କରିଗଲା ଏବଂ ସେ ସେଇ ଦିନ ଠାରୁ ନିଜ ବାଳ ପ୍ରତି ଖୁବ୍‌ ଯତ୍ନବାନ ହେଲେ । ଖାଲି ଟ୍ରିମ୍‌ କଲେ ସିନା ଆଉ କାଟିଲେ ନାହିଁ । ବିଶେଷ କରି ଗତ ତିନି ବର୍ଷ ହେଲା ସେ ଏହାକୁ ରକ୍ଷା କରିବା ପାଇଁ ବହୁତ ପରିଶ୍ରମ କରିଥିବା କୁହନ୍ତି । ନିଜେ ଏହାକୁ ଟ୍ରିମ୍‌ କରନ୍ତି ଏବଂ ଏକ ରୁଟିନ୍‌ ତିଆରି କରି ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଏହାକୁ ପାଳନ କରନ୍ତି ।

ALONA-4

ପୁଣି ସପ୍ତାହରେ ଥରେ ବାଳ ସଫା କରନ୍ତି । ଆଉ ଏ ସବୁ ସେ ନିଜେ ନିଜେ କରିଥାନ୍ତି । କାହାର ସାହାଯ୍ୟ ନିଅନ୍ତି ନାହିଁ । ବାହାରକୁ ଗଲେ ହେୟାର ମାସ୍କ ଲଗାନ୍ତି ଏବଂ ମଝିରେ ମଝିରେ ମସାଜ୍‌ ବି କରନ୍ତି । ସୋସିଆଲ ମିଡିଆରେ ନିଜ ଫଟୋ ଛାଡ଼ିବା ପରେ ତାଙ୍କୁ ଅନେକ ପ୍ରଶଂସା ମିଳିଛି । ଆଉ କିଛି ତାଙ୍କର ଏହି ଚୂଳ ପ୍ରତି ଏତେ ଲୋଭେଇ ଯାଇଛନ୍ତି ଯେ ତାକୁ କାଟି ତାଙ୍କ ପାଖକୁ ପଠାଇବାକୁ ଅନୁରୋଧ କରିଛନ୍ତି । ଏ ବାବଦରେ ସେମାନେ ହଜାରେ ଡଲାର ପର୍ଯ୍ୟନ୍ତ ଦେବାକୁ ରାଜି ଅଛନ୍ତି ।

 

ହେଲେ ଏତେ ଯତ୍ନରେ ବର୍ଷ ବର୍ଷ ଧରି ନିଜ ବାଳକୁ ସଜାଇ ରଖିଥିବା ଏଲୋନା କିନ୍ତୁ ଏସବୁ ନିବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । କାରଣ ତାଙ୍କର ଏହି ଲମ୍ବା ସୁନେଲି ବାଳ ତାଙ୍କ ଜୀବନ ବୋଲି ସେ କୁହନ୍ତି । ଏଲୋନାଙ୍କୁ ଏବେ ୩୫ ବର୍ଷ ବୟସ । ତାଙ୍କ ଚୂଳ ତାଙ୍କର ଉଚ୍ଚତା ଠାରୁ ବି ବେଶି । ପ୍ରତି ମାସରେ ସେ ନିଜ ଚୂଳର ଯତ୍ନ ପାଇଁ ୭୫ ପାଉଣ୍ଡ ଖର୍ଚ୍ଚ କରନ୍ତି । ଦେଖିବାର କଥା ଆଉ କେତେ ଦିନ ସେ ନିଜର ଏହି ସମ୍ପତ୍ତିକୁ ସଜାଇ ରଖି ପାରୁଛନ୍ତି ।

ଏଲୋନା ବିବାହିତା । ତାଙ୍କର ଗୋଟିଏ ସନ୍ତାନ ଅଛି । ୟୁକ୍ରେନ୍‌ର ଓଡେସାରେ ରୁହନ୍ତି । ଅନ୍‌ଲାଇନ୍‌ରେ ପ୍ରତି ଦିନ ତାଙ୍କ ପାଖକୁ ଶହ ଶହ ମେସେଜ ଆସୁଛି । ଆଉ ଅଧିକାଂଶ ତାଙ୍କ ବାଳର କିଭଳି ଯତ୍ନ ନେଉଛନ୍ତି, ତାଙ୍କ ଭଳି ଲମ୍ବା ବାଳ ପାଇବା ପାଇଁ କଣ କରିବା ଦରକାର ଆଦି ପ୍ରଶ୍ନ ପଚାରୁଛନ୍ତି ।

 

Leave A Reply

Your email address will not be published.