ଚିକିତ୍ସିତ ହେବା ପାଇଁ ଆସିଥିଲେ ହସ୍ପିଟାଲ୍, ହେଲେ ଲିଫ୍ଟରେ ଚାଲିଗଲା ଜୀବନ

ଭଦ୍ରକ: ଚିକିତ୍ସିତ ହେବା ପାଇଁ ଆସିଥିଲେ ହସ୍ପିଟାଲ୍ । ହେଲେ ସୁସ୍ଥ ହୋଇ ଘରକୁ ଫେରିବେ କ’ଣ ଅକାଳରେ ଜୀବନ ଚାଲିଗଲା । ହଁ ଆଜ୍ଞା, ହସ୍ପିଟାଲ ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତ ମହିଳା ହେଲେ ରାନ୍ଦୀଆ ପଞ୍ଚାୟତ ନରସିଂହପୁର ଗାଁର ମିନତୀ ପରିଡା । ସେ ଶ୍ୱାସ ଓ ଥାଇରଏଡ଼ ରୋଗ ଆକ୍ରାନ୍ତ ।ଆଜି ସକାଳୁ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ପରିବାର ଲୋକେ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ନେଇ ଆସିଥିଲେ ।

ଲୋକେ ହସ୍ପିଟାଲ ଆସନ୍ତି ସୁସ୍ଥ ହେବା ପାଇଁ ହେଲେ ସୁସ୍ଥ ହେବେ କଣ ଏଠି ଲୋକଙ୍କ ଜୀବନ ଚାଲିଯାଉଛି । ସେ ବି ହସ୍ପିଟାଲ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ । ଆଉଟଡୋରରେ ଥିବା ଡାକ୍ତର ତାଙ୍କୁ ଆଡମିସନ କରିଦେଇଥିଲେ । ଯାହାପରେ ମହିଳା ଜଣଙ୍କୁ ଫିମେଲ ମେଡ଼ିସିନ ୱାର୍ଡକୁ ଲିଫ୍ଟରେ ନେବାକୁ କହିଥିଲେ ହସ୍ପିଟାଲ କର୍ମଚାରୀ । କିନ୍ତୁ ମିନତୀକୁ ଲିଫ୍ଟରେ ନିଆ ଯାଉଥିବା ସମୟରେ ହଠାତ ସେନ୍ସର ଫେଲ୍ ଯୋଗୁ ଲିଫ୍ଟ ଡୋରରେ ମହିଳା ଜଣଙ୍କ ଚାପି ହୋଇ ମୃତ୍ୟୁବରଣ କରିଥିଲେ ।

ସୌଭାଗ୍ୟ ବଶତଃ ତାଙ୍କ ପିଲା ଦୁଇ ଜଣ ଲିଫ୍ଟରୁ ଦୌଡ଼ି ପଳାଇ ଆସିଥିଲେ । ତେବେ ଏହି ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଖବର ପାଇ ଭଦ୍ରକ ଉପଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚି ଏ ବିଷୟରେ ଡାକ୍ତର ଓ କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି । ଅନ୍ୟ ପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହିତ ବିହିତ ପଦକ୍ଷେପ ନିଆଯିବ ବୋଲି ଭଦ୍ରକ ସିଡ଼ିଏମଓ ସୂଚନା ଦେଇଛନ୍ତି ।

ହସ୍ପିଟାଲରେ ଏଭଳି ଘଟଣା ସତରେ ଖୁବ ନିନ୍ଦନୀୟ । ତେବେ ତୁରନ୍ତ ଏହି ଘଟଣାର ସଠିକ ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ନେବା ନିହାତି ଆବଶ୍ୟକ ।

Also read: ଦୋକାନ ବନ୍ଦ କରି ଫେରୁଥିବା ବେଳେ ଲୁଟ୍‌, ନେଇଗଲେ ୩୦ ଲକ୍ଷ ଟଙ୍କାର ସୁନା ଗହଣା