ଗଣେଶ ମୂର୍ତ୍ତି ସବୁ ଧାଡି ହୋଇ ରହିଥାନ୍ତି l କେତେ କେତେ ରୂପ ନେଇଛନ୍ତି ଗଜାନନ । କେଉଁଟି ଶିବଙ୍କ ରୂପରେ ତ ଆଉ କିଏ ଭିନ୍ନ ଭିନ୍ନ ରୂପରେ ରଙ୍ଗ ହୋଇ ଛିଡ଼ା ହୋଇଥାନ୍ତି । ଘର ଭିତରେ ବି ଅନେକ ଗୁଡିଏ ଗଣେଶ ମୂର୍ତ୍ତି l… ଘର ବାହାରେ ଥୁଆ ହୋଇ ଥିବା ମୂର୍ତ୍ତି ନିକଟରେ ଜଣେ ମହିଳା କାମରେ ବ୍ୟସ୍ତ ଥାନ୍ତି । ମୂର୍ତ୍ତିର ବିଭିନ୍ନ ଅଂଶରେ କେଉଁଠି ରଙ୍ଗ ଟିକେ ତ ପୁଣି ଚୁମୁକି ଲଗାଇ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଥାନ୍ତି l ଏଭଳି ଗୋଟିଏ ଗୋଟିଏ ଦୃଶ୍ୟ ସାଉଁଟିଲା ପରେ ସାମ୍ନାକୁ ଆସିଲା କିଛି ଚମତ୍କାରୀ କଥା । ଛୋଟ ପିଲାଟିଏ ବସି ଛୋଟ କିନ୍ତୁ ସୁନ୍ଦର ମୂର୍ତ୍ତିଟିଏ ଗଢୁଥାଏ l ଟିକିଏ ପରେ ଜଣେ ବୁଢ଼ୀ ଲୋକ ଆସି ଧାଡ଼ି ହୋଇ ରଖା ହୋଇଥିବା ମୂର୍ତ୍ତିରେ ତୁଳୀ ସ୍ପର୍ଶ ଦେଉଥାନ୍ତି l
ଜଣ ଜଣକୁ ଦେଖିଲା ପରେ ଆମକୁ ଲାଗିଲା ଏମାନେ ସମସ୍ତେ ଗୋଟିଏ ପରବାରର l ସମସ୍ତଙ୍କ ହାତରେ ରହିଛି କଳାକାରୀ । ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ମୂର୍ତ୍ତି ସେ ଗଣେଶ ହେଉ କି ଖୁଦୁରୁକୁଣୀ, ଗଢିବାରେ ବ୍ୟସ୍ତ l ଖାଲି ସେତିକି ନୂହେଁ ଆମେ ଆଉ ଗୋଟିଏ ଦୃଶ୍ୟ ସାମ୍ନାକୁ ଆଣୁଛୁ ଯାହା ଆଖିରେ ଦେଖିଲେ କିଛି ସମୟ ପାଇଁ ଚିନ୍ତାରେ ପଡିଯିବେ । ଏମାନେ ବି ଗଢି ପାରନ୍ତି ଏମିତି ହୃଦୟକୁ ସ୍ପର୍ଶ କଲା ଭଳି ମୃଣ୍ମୟ ମୂର୍ତ୍ତି l ଦୁର୍ଗା ମା ଆଉ କିଛି ଦିନ ପରେ ଧରା ଅବତରଣ କରିବେ l ଗଢ଼ା ସାରିଲାଣି ସିଂହ, ମାଆଙ୍କ ବସ୍ତ୍ର ପରିଧାନ ଠାରୁ ନେଇ ଅଳଙ୍କାର ଆଦି l ବିରାଟ ଖଣ୍ଡା ଧରି ମାଆ ଦୁର୍ଗାଙ୍କ ପାଦ ତଳେ ଆଣ୍ଠୁ ମାଡି ରହିଥିବା ମହିଷାସୁର ମୂର୍ତ୍ତି ଗଢିବାରେ ପୂରା ପରିବାର ଲାଗି ପଡ଼ିଛି l
ତେବେ ଆପଣମାନେ କହି ପାରନ୍ତି ଏଥିରେ ଅବା ନୂଆ କଥା କଣ ଅଛି । ଆସନ୍ତୁ ଜାଣିବା ଏହି ଇତିହାସ ସୃଷ୍ଟି କରିବା ଭଳି ମୂର୍ତ୍ତି କାରିଗର ପରିବାର ବିଷୟରେ l ପ୍ରଥମେ ଚାଲନ୍ତୁ ବୃଦ୍ଧା ଜଣଙ୍କ ନା’ଜାଣିବା l ସେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଭିଙ୍ଗାରପୁର ଗାଁ’ର ଅମ୍ବିକା ମୁଦୁଲି l ବୟସ ୮୮ବର୍ଷ । ତଥାପି ହାତ ଥରିନି କି ହାତରୁ ତୁଳୀ ଖସିନି l ଏକାଗ୍ରତାର ସହ କରୁଛନ୍ତି ମୂର୍ତ୍ତି କାମ । ….ଅନ୍ୟ ଜଣେ ଅଳ୍ପ ବୟସ୍କ ମହିଳା ହେଉଛନ୍ତି ତାଙ୍କ ଝିଅ ଖୁଲଣା ମୁଦୁଲି । ଯିଏ ଗଢୁଛନ୍ତି ଆଖି ଖୋସି ହୋଇଗଲା ଭଳି ଦୁର୍ଗା ମୂର୍ତ୍ତି…l ତା ସହିତ ଅଛନ୍ତି କମ୍ ବୟସର ମହିଳା ଯିଏ ଖୁଲଣାଙ୍କ ଝିଅ । ନାଁ’ଟି ତାଙ୍କର ସସ୍ମିତା ମୁଦୁଲି l କାମରେ ଲାଗିଛନ୍ତି ତିନି ପିଢ଼ି । ସ୍ୱାମୀ ଥିଲା ବେଳରୁ ବୃଦ୍ଧା ଜଣଙ୍କ ମୂର୍ତ୍ତି ଗଢ଼ି ଆସୁଥିଲେ l ଝିଅ ପରେ ତାଙ୍କ ପୁଅ ଝିଅ ଏମିତି ଗଢି ଆସୁଛନ୍ତି ମୂର୍ତ୍ତି l
ମା ଦୁର୍ଗାଙ୍କ ମୂର୍ତ୍ତିକୁ କିଭଳି ଆକର୍ଷଣୀୟ କରି ଗଢ଼ି ତୋଳୁଛନ୍ତି ଦେଖିଲେ ଲାଗେ ଏଭଳି ପ୍ରତିଭା ନିଶ୍ଚୟ ବିରଳ । ଏହି ମହିଳାମାନେ ଆମର ଓଡିଶା ମାଟିର ଗର୍ବ ଗୌରବ l ହେଲେ ଏମାନେ ଖୋଜନ୍ତିନି କି କେହି ସେମାନଙ୍କୁ ଲୋକଲୋଚନକୁ ଆଣୁ କି ବାହାବା ଦେଉ । ଏମାନେ ବାର୍ତ୍ତା ଦିଅନ୍ତି କି, ଜୀବିକା ପାଇଁ କାମ ଜୀବନ ସଂଘର୍ଷ ନୁହେଁ । ଆଜିର ଦିନରେ ଜୀବନ ଜୀବିକା କଥା ସାମ୍ନାକୁ ଆସିଲେ ଅନେକଙ୍କ ମୁଣ୍ଡରେ ଚିନ୍ତା ମାଡି ବସେ l ବଞ୍ଚିବାକୁ ହେଲେ ଲୋକ କୁହନ୍ତି ବହୁତ ସଂଘର୍ଷ କରିବାକୁ ପଡେ l ହେଲେ ଏମାନଙ୍କୁ ଯଦି ଉଦାହରଣ ଭାବରେ ସାମ୍ନାକୁ ଆଣିବା ତେବେ କହିଲେ ଦେଖି ଏମାନେ ପ୍ରଶଂସା ପାଇବାକୁ ହକଦାର ନୁହନ୍ତି କି ? ଏଇମାନେ ତ ଦୁର୍ଗା ସୀତା ସରସ୍ବତୀ । ଏମାନେ ଜୀବନକୁ ସଂଘର୍ଷ ନୁହେଁ ବଞ୍ଚିବାର କଳା ଶିଖାଉଛନ୍ତି ନିଜ କଳାକାରୀରେ ।
Also read:ଆସନ୍ତା ୨ ତାରିଖରେ ଆଉ ଏକ ଲଘୁଚାପ, ୪ ତାରିଖ ଯାଏ ରାଜ୍ୟରେ ଜାରି ରହିବ ବର୍ଷା