ଭଞ୍ଜନଗର: ହାଣ୍ଡିଶାଳର ହାତରେ, ଏବେ ହାତୁଡିର କସରତ । ପିତ୍ତଳ ଚାଦରକୁ ପିଟିପିଟି ତିଆରି କରୁଛନ୍ତି ଦୁର୍ଲଭ କଳାକୃତି । ଯାହାର ପରିଚୟ, ପୃଥିବୀ ବିଖ୍ୟାତ । ଆମେ କହୁଛୁ, ବିଶ୍ୱପ୍ରସିଦ୍ଧ ପିତ୍ତଳ ମାଛ ବିଷୟରେ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ପାଲକଷଣ୍ଢା ଗାଁର, ଜୟ ଗଣେଶ ପିତ୍ତଳ ମାଛ ଉତ୍ପାଦକ ସଂଘର ମହିଳା ମାନେ ଏବେ ପିତ୍ତଳ ମାଛ ତିଆରି କରିବାର ତାଲିମ ନେଉଛନ୍ତି । ଗାଁର ୨୫ ଜଣ ମହିଳା ଏକାଠି ହୋଇ, ଜଣେ ଅଭିଜ୍ଞ କାରିଗରଙ୍କ ଠାରୁ, ଭଳିକି ଭଳି ପିତ୍ତଳ ମାଛ ତିଆରି କରିବାର ତାଲିମ୍ ନେଉଛନ୍ତି । ହସ୍ତଶିଳ୍ପ ବିଭାଗ ସହଯୋଗରେ, ଏହି ତାଲିମ ବ୍ୟବସ୍ଥା ଗତ ପ୍ରାୟ ଏକ ବର୍ଷ ହେଲା ଜାରି ରହିଛି ।
ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା, ପିତ୍ତଳ ମାଛ ତିଆରି ପାଇଁ ବିଶ୍ୱ ପ୍ରସିଦ୍ଧ । ଏଠାକାର ନିର୍ଦ୍ଧିଷ୍ଟ କିଛି ପରିବାର, କୌଳିକ ବୃତ୍ତି ଭାବେ ଏହି କାରିଗରୀ କାମ କରି ଆସୁଛନ୍ତି । ଏବେ ଅଧିକାଂଶ ପରିବାର ଏହି କାରିଗରୀ ବୃତ୍ତି ଠାରୁ ଦୂରେଇ ଯାଇଥିବା ବେଳେ, ହାତଗଣତି କିଛି କାରିଗର ହିଁ ଏହି କଳା-କୌଶଳକୁ ବଞ୍ଚାଇ ରଖିଛନ୍ତି । ନୂଆ ପିଢୀ, ଏହି ବୃତ୍ତି ପ୍ରତି ଆଗ୍ରହ ଦେଖାଉନାହାନ୍ତି । ଏଭଳି ପରିସ୍ଥିତିରେ, ପାଲକଷଣ୍ଢା ଗାଁ ର ମହିଳା ମାନେ ଏ ସଂକ୍ରାନ୍ତରେ ତାଲିମ ନେବା , ପିତ୍ତଳ ମାଛର ଭବିଷ୍ୟତ ପାଇଁ ଏକ ଶୁଭ ସଙ୍କେତ ନିଶ୍ଚୟ ।
ତାଲିମ ନେଉଥିବା ମହିଳା ମାନଙ୍କୁ ଉତ୍ସାହିତ କରିବାପାଇଁ, ସରକାରୀ ସ୍ତରରେ ପ୍ରତ୍ସୋହାନ ରାଶି ମଧ୍ୟ ଦିଆ ଯାଉଛି । ଏହି ଆଉ କିଛିଦିନ ପରେ, ତାଲିମ କାର୍ଯ୍ୟ ଶେଷ ହେବ । ପିତ୍ତଳ ମାଛ ତିଆରି କରିବାପାଇଁ, ଜଣେ ଜଣେ ସକ୍ଷମ କାରିଗର ଭାବେ ପରିଚୟ ପାଇବେ ୨୫ ଜଣ ମହିଳା । ଯାହାକି, ପିତ୍ତଳ ମାଛ ତିଆରି ବୃଦ୍ଧି ପାଇବା ସହ, ଗ୍ରାହକଙ୍କ ଚାହିଦା ମେଣ୍ଟାଇବା ସହଜ ହେବ । ଏଥିପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି ।
ଆଉ ପ୍ରାୟତଃ ନାହାଁନ୍ତି, ପିତ୍ତଳ ମାଛ ତିଆରି କରୁଥିବା ବୟସ୍କ କାରିଗର । ବର୍ତମାନର ଯୁବପିଢୀଙ୍କ ମଧ୍ୟରେ ସେତେଟା ଆଗ୍ରହ ନାହିଁ । ଦିନକୁ ଦିନ ଏଭଳି ସୂକ୍ଷ୍ମ କଳାକୃତିର, ଚାହିଦା ବଢୁଛି । ହେଲେ ଏହାର କାରିଗର, ଅଭାବ ରହୁଛନ୍ତି । ଏଭଳି ପରିସ୍ଥିତିରେ ପାଲକଷଣ୍ଢା ଗାଁର ମହିଳା ମାନେ ପିତ୍ତଳ ମାଛ ତିଆରି କରିବାପାଇଁ ତାଲିମ୍ ନେବା, ଏକ ଶୁଭ ସଙ୍କେତ ନିଶ୍ଚୟ ।