ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର ଦାନ୍ତ ହଠାତ ଭାଙ୍ଗିଯାଏ କିମ୍ବା ପୋକ ଲାଗି ଦାନ୍ତ ନଷ୍ଟ ହୋଇଯାଏ । ଫଳରେ ଲୋକମାନେ ନିଜ ଦାନ୍ତ ଉପାଡ଼ିବାକୁ ବାଧ୍ୟ ହୁଅନ୍ତି । ଆଉ ଥରେ ଦାନ୍ତ ଉପାଡ଼ିଲେ ଦାନ୍ତ ଉଠେନି । ଲୋକମାନେ ଏ ସମସ୍ୟା କେମିତି ଠିକ୍‌ ହୋଇପାରିବ କେବେ ହୁଏତ ଚିନ୍ତା କରିନଥିବେ । କିନ୍ତୁ ଲୋକଙ୍କ ଏହି ସମସ୍ୟା ଖୁବ ଶୀଘ୍ର ଦୂର ହେବାକୁ ଯାଉଛି । ପିଲା ଠୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ଏବେ ମନ ମୁତାବକ ଯେ କୌଣସି ସମୟରେ ପାଟିରେ ଦାନ୍ତ ଉଠାଇ ପାରିବେ । କଥା ଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । କିନ୍ତୁ ଏଭଳି କିଛି ସତରେ ହେବାକୁ ଯାଉଛି ।

ବିଜ୍ଞାନ ଜଗତରେ ସବୁକିଛି ସମ୍ଭବ । ଏଭଳି କହିବାର କାରଣ ହେଉଛି ନିକଟରେ ଜାପାନର ବୈଜ୍ଞାନିକମାନେ ଏମିତି ଏକ ଔଷଧ ଆବିଷ୍କାର କରିଛନ୍ତି ଯାହା ସାହାଯ୍ୟରେ ଆପଣ ଯେକୌଣସି ବୟସରେ ମୁହଁରେ ଦାନ୍ତ ଉଠାଇ ପାରିବେ, ତାହା ପୁଣି ପ୍ରାକୃତିକ ଭାବେ । ଦୁନିଆରେ ଏହା ପ୍ରଥମ ଥର ପାଇଁ ହେବାକୁ ଯାଉଛି । ଭଙ୍ଗା ଦାନ୍ତକୁ ପ୍ରାକୃତିକ ଉପାୟରେ ତିଆରି କରାଯାଇପାରିବ । ଏହି ଔଷଧକୁ ପଶୁଙ୍କ ଉପରେ ପରୀକ୍ଷା କରାଯାଇଛି । ଚଳିତ ବର୍ଷ ସେପ୍ଟେମ୍ବରରୁ ଏହି ଔଷଧର ମାନବ ପରୀକ୍ଷା ଆରମ୍ଭ ହେବ ।

ମିଳିଥିବା ସୂଚନା ଅନୁସାରେ କ୍ୟୁଟୋ ୟୁନିଭର୍ସିଟି ଆଫିଲିଏଟେଡ୍‌ ଷ୍ଟାର୍ଟଅପ୍ କମ୍ପାନୀ ଟୋରେଜେମ୍ ବାୟୋଫାର୍ମା ଦାନ୍ତ ବଢ଼ାଇବା ପାଇଁ ଏକ ଔଷଧ ତିଆରି କରିଛି । କମ୍ପାନୀର କୋ ଫ୍ରାଉଣ୍ଡର ଡାକ୍ତର ତାକାହାସି କହିଛନ୍ତି ଯେ ଏହି ମେଡିସନ୍‌ ମେଡିକାଲ ଜଗତରେ ବଡ଼ ପରିବର୍ତ୍ତନ ଆଣିବ । ଏହି ଔଷଧ USAG-1 ଜିନ୍ କୁ ଟାର୍ଗେଟ କରି ପ୍ରଥମେ ଦାନ୍ତ ବଢ଼ିବାକୁ ରୋକିବ ପରେ ନୂଆ ଦାନ୍ତ ସୃଷ୍ଟି ପାଇଁ କାମ କରିବ ।

ବର୍ତ୍ତମାନ ପଶୁମାନଙ୍କ ଉପରେ ଏହି ଔଷଧର କ୍ଲିନିକାଲ୍ ପରୀକ୍ଷା ସଫଳତାର ସହିତ ଶେଷ ହୋଇଛି । ଡାକ୍ତର କାଟସୁ ତାକାହାସି ପ୍ରଥମେ ମୂଷା ଭଳି ପଶୁମାନଙ୍କ ଉପରେ ଏହି ପରୀକ୍ଷା କରିଛନ୍ତି । ଚଳିତ ବର୍ଷ ଏହି ଔଷଧ ମଣିଷଙ୍କ ଉପରେ ପରୀକ୍ଷା କରାଯିବ ବୋଲି କୁହାଯାଉଛି । ସର୍ବପ୍ରଥମେ ସେହି ବ୍ୟକ୍ତିଙ୍କ ଉପରେ ପରୀକ୍ଷା କରାଯିବ ଯେଉଁମାନଙ୍କର ଜନ୍ମରୁ ଦାନ୍ତ ନାହିଁ । ଯଦି ସବୁକିଛି ଠିକ ରୁହେ ତେବେ ଏହି ଦାନ୍ତ ଔଷଧ କୌଣସି ଚମତ୍କାର ଠାରୁ କମ୍‌ ହେବନାହିଁ ।

ରିପୋର୍ଟ ଅନୁଯାୟୀ ଏହି ଔଷଧ ତିଆରି କରୁଥିବା ଟିମ୍‌ ୨୦୨୫ ମସିହାରେ ୨ ରୁ ୬ ବର୍ଷ ବୟସର ପିଲାମାନଙ୍କ ଉପରେ କ୍ଲିନିକାଲ୍ ପରୀକ୍ଷା କରିବାକୁ ପ୍ଲାନ୍‌ କରିଛନ୍ତି । ଯେଉଁ ପିଲାମାନଙ୍କର ଜନ୍ମରୁ ଦାନ୍ତ ନଥିବ ସେହିମାନଙ୍କ ଉପରେ ଏହି ଔଷଧକୁ ନେଇ ପରୀକ୍ଷା କରାଯିବ । ପିଲାମାନଙ୍କୁ ଇଞ୍ଜେକ୍ସନ ମାଧ୍ୟମରେ ଔଷଧ ଦିଆଯିବ । ଯଦି ଏହି ପରୀକ୍ଷା ସଫଳ ହୁଏ ତେବେ ଯେଉଁମାନଙ୍କର ଦାନ୍ତ ନଥିବ ସେମାନଙ୍କ ସମସ୍ୟା ଦୂର ହେବ । କୁହାଯାଉଛି ଯେ ଏହି ଔଷଧ ୨୦୩୦ ସୁଦ୍ଧା ମାର୍କେଟକୁ ଆସିପାରେ ।

Leave A Reply

Your email address will not be published.