ବିଶ୍ବ ରେକର୍ଡ କରିଥିବା ଦୁନିଆର ସବୁଠାରୁ ଓଜନିଆ ଆମ୍ବ, ଓଜନ ୪.୨୫ କେଜି

ଗରମ ସିଜିନ ଆସିଯିବା ମାତ୍ରେ ଫଳ ରାଜା ଆମ୍ବ ଚାରିଆଡେ ଦେଖିବାକୁ ମିଳେ। ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ଯନ୍ତ ବିଭିନ୍ନ ସ୍ଥାନରେ ପେନ୍ଥା ପେନ୍ଥା ଆମ୍ବ ଫଳିଥିବ ଆପଣ ନିଶ୍ଚିତ ଦେଖିଥିବେ। ଏହା ବାଦ୍ ମଧ୍ୟ ବଜାରରେ ବି ଆମ୍ବ ବିକ୍ରି ହେଉଛି । ତେବେ ଆମ୍ବର ଓଜନ କେତେ ହୋଇପାରେ, କେବେ ଭାବିଛନ୍ତି କି ? ଯଦି ନା, ତେବେ ଆଜି ଆମେ ଆପଣଙ୍କୁ ବିଶ୍ୱର ସବୁଠାରୁ ଓଜନିଆ ଆମ୍ବ ବାବଦରେ କହିବୁ । ଯାହାର ଓଜନ ବାବଦରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଏହି ଆମ୍ବ ବିଷୟରେ ….

ଏହି ଆମ୍ବର ଓଜନ ୪.୨୫ କିଲୋଗ୍ରାମ ହୋଇଥିବାବେଳେ ଏବେ ଏହା ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି । କଲମ୍ବିଆର ଗୁଆୟାତ୍ ଅଞ୍ଚଳରେ ଜର୍ମାନ୍ ଅର୍ଲାଣ୍ଡୋ ନୋଭୋ ବାରେରା ଏବଂ ରେଇନା ମାରିଆ ମାରାକୁନଙ୍କ ଦ୍ୱାରା ଲଗାଯାଇଥିବା ଗଛରୁ ଏଭଳି ଓଜନିଆ ଆମ୍ବ ଅମଳ ହୋଇଛି ।

୨୦୦୯ ମସିହାରେ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିବା ଓଜନିଆ ଆମ୍ବ (୩.୪୩୫ କିଲୋଗ୍ରାମ)କୁ ଏବେ ଏହି ଆମ୍ବ ପଛରେ ପକାଇଛି। ଜର୍ମାନ୍ କହିଛନ୍ତି ଯେ, ତାଙ୍କର ଉଦ୍ଦେଶ୍ୟ ହେଉଛି ଯେ କଲମ୍ବିଆର ଲୋକମାନେ “ନମ୍ର, ପରିଶ୍ରମୀ” ଯେଉଁମାନେ ନିଜ ଜମିକୁ ଭଲ ପାଇବା ସହ ଚାଷ କରନ୍ତି, ଯାହା ଦ୍ୱାରା ଭଲ ଫଳ ମିଳିଥାଏ, ଆଉ ଏହାକୁ ସାରା ବିଶ୍ୱ ଦେଖିବା ଉଚିତ । ଜର୍ମାନ୍ କହିଛନ୍ତି ଯେ ଏହି ଆମ୍ବ ବହୁତ ବଡ଼ ହୋଇଥିବାବେଳେ ଖୁବ ମିଠା ।

ତେବେ ବ୍ୟବସାୟିକ ଉଦ୍ଦେଶ୍ୟରେ ସେମାନେ ଆମ୍ବ ଚାଷ କରନ୍ତି ନାହିଁ ବରଂ ନିଜ ପରିବାର ଖାଇବା ପାଇଁ ଆମ୍ବ ଗଛ ଲଗାଯାଇଥିଲା । ଆମ୍ବ ଗଛ ପ୍ରତି ସେମାନଙ୍କ ଭଲ ପାଇବା ଆଜି ଏଭଳି ଫଳ ଦେଇଛି ବୋଲି ସେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.