ଚାଇନାର ରିପୋର୍ଟ ଅନୁଯାୟୀ କେନ୍ଦ୍ରୀୟ ଚାଇନାରେ ଏକ ଉଚ୍ଚମାନର ସୁନା ଖଣି ରହିଥିବା ବିଷୟରେ ସୂଚନା ମିଳିଛି । ଏହି ଖଣିରେ ପ୍ରାୟ ୧୦୦୦ ମେଟ୍ରିକ୍ ଟନ୍ (୧,୧୦୦ ଆମେରିକୀୟ ଟନ୍) ସୁନା ରହିଥିବା ନେଇ ଆକଳନ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୬୦୦ ବିଲିୟନ ୟୁଆନ୍ (୮୩ ବିଲିୟନ ଆମେରିକୀୟ ଡଲାର) । ହୁନାନ ପ୍ରଦେଶର ଭୂବିଜ୍ଞାନ ବ୍ୟୁରୋ ଦ୍ୱାରା ଏହା ସୁନା ଖଣି ନେଇ ଘୋଷଣା କରାଯାଇଛି । ସାଇନ୍ସ ଆଲର୍ଟ ଅନୁଯାୟୀ, ପିଙ୍ଗଜିଆଙ୍ଗର ଉତ୍ତର-ପୂର୍ବରେ ୨ କିଲୋମିଟର ଗଭୀରତାରେ ୪୦ଟି ସୁନା ଖଣି ଆବିଷ୍କୃତ ହୋଇଛି ।
ଏହି ସୁନା ଖଣି ସବୁଠାରୁ ବଡ଼ ତଥା ଅଧିକ ଲାଭଜନକ ସୁନା ଖଣି କୁହାଯାଉଛି । ଯାହା ଦକ୍ଷିଣ ଆଫ୍ରିକାର ସାଉଥ ଡିପ୍ ଖଣିରୁ ମିଳିଥିବା ୯୦୦ ମେଟ୍ରିକ୍ ଟନ୍ ସୁନା ଭଣ୍ଡାରଠାରୁ ବି ଅଧିକ ।
ଭୂବିଜ୍ଞାନ ବ୍ୟୁରୋର ଅନୁସନ୍ଧାନକାରୀ ଚେନ୍ ରୁଲିନ୍ କହିଛନ୍ତି ଯେ, ରକ୍ କୋରରେ ଅନେକ ଡ୍ରିଲ୍ କରାଯାଇଥିଲା, ଯାହା ପରେ ସୁନା ସ୍ପଷ୍ଟ ଭାବେ ଦେଖାଯାଇଥିଲା । ଏହା ବ୍ୟତୀତ ଅଧିକାରୀମାନେ କହିଛନ୍ତି ଯେ ପ୍ରତ୍ୟେକ ମେଟ୍ରିକ୍ ଟନ୍ ରେ ପ୍ରାୟ ୧୩୮ ଗ୍ରାମ ସୁନା ରହିପାରେ, ଯାହା ବହୁତ ଅଧିକ ଥିବା କୁହାଯାଉଛି । କାରଣ ଯଦି ଭୂତଳ ଖଣିରୁ ବାହାର କରାଯାଇଥିବା ଖଣିଜ ପଦାର୍ଥରେ ୮ ଗ୍ରାମରୁ ଅଧିକ ସୁନା ଥାଏ, ତେବେ ଏହାକୁ ହାଇ କ୍ବାଲିଟିର ସୁନା ବୋଲି କୁହାଯାଏ ।
କହି ରଖିବାକୁ ଚାହିଁବୁ ଯେ ସାଇଟରୁ ନିଆଯାଇଥିବା ମୂଳ ନମୁନା ସୂଚାଉଛି ଯେ ଏହା ବଡ଼ ସ୍ଥାନରେ ବିସ୍ତାର ହୋଇ ରହିଛି । ନିଶ୍ଚିତ ଭାବେ ଏହା ଏକ ବିଶାଳ ସୁନା ଖଣି । ସୂଚନା ଅନୁଯାୟୀ ଚୀନ ପ୍ରଥମରୁ ହିଁ ଦୁନିଆର ସବୁଠାରୁ ବଡ଼ ସୁନା ଉତ୍ପାଦନକାରୀ ଦେଶ ଭାବେ ପରିଗଣିତ । ତେବେ ଏହି ସ୍ଥାନରେ ପୁଣି ଥରେ ବଡ଼ ସୁନା ଖଣି ଥିବା ଜଣାପଡ଼ିବା ପରେ ସମସ୍ତଙ୍କ ନଜର ଚାଇନା ଉପରେ ରହିଛି ।