ଦୁନିଆର ଏଭଳି କେତେକ ରହସ୍ୟମୟୀ ସ୍ଥାନ, ଯାହାର ସତ୍ୟତା ଏପର୍ଯ୍ୟନ୍ତ ପରଖି ପାରିନାହାନ୍ତି ବୈଜ୍ଞାନିକ
ବୈଜ୍ଞାନିକମାନଙ୍କ ଅଦମ୍ୟ କାର୍ଯ୍ୟ ନିପୁଣତା ଯୋଗୁଁ ଆମେ ଆଜି ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିପାରିଛେ। ଏ ଦୁନିଆରେ ଅନେକ ରହସ୍ୟ ଭରି ରହିଛି। ବିଜ୍ଞାନର ଉପଲବ୍ଧତା କିଛି ରହସ୍ୟରୁ ପରଦା ହଟାଇବାରୁ ସକ୍ଷମ ହୋଇଥିବା ବେଳେ ଆଉ କିଛି ରହସ୍ୟ ଉପରୁ ଏପର୍ଯ୍ୟନ୍ତ ପରଦା ଉଠିପାରିନାହିଁ। ଅନେକ ଜିନିଷ ରହିଛି, ଯାହା ଉପରୁ ବୈଜ୍ଞାନିକ ମାନେ ରହସ୍ୟ ଉନ୍ମୋଚନ କରିପାରିନାହାନ୍ତି। ଏମିତି କିଛି ରହସ୍ୟ ରହିଛି, ଯାହା ବିଷୟରେ ଆପଣମାନେ ଜାଣି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ପେରୁରେ ଏପରି ଏକ ପୌରାଣିକ ମନ୍ଦିର ରହିଛି, ଯାହାର ନାମ ସାକସେଗେମନ ମନ୍ଦିର। ଏହି ମନ୍ଦିର ପରିସରରେ ବଡବଡ ପଥରର କାନ୍ଥ ରହିଛି। ଏହାର ସ୍ୱତନ୍ତ୍ରତା ହେଉଛି, ଏହି ପଥର ପରସ୍ପର ସହିତ ଜଡିତ। କିନ୍ତୁ ଆଜିପର୍ଯ୍ୟନ୍ତ ଏହି ପଥର ଯୋଡି ହେବା ପାଇଁ କ’ ଣ ବ୍ୟବହାର କରାଯାଇଥିଲା, ତାହା ଜଣାପଡିନାହିଁ। ହଜାର ହଜାର ବର୍ଷ ପୂର୍ବେ କିଭଳି ଏହି ପଥରକୁ ପରସ୍ପର ଉପରେ ରଖାଯାଇଥିଲା, ତାହା ଏପର୍ଯ୍ୟନ୍ତ ଜଣାପଡୁନାହିଁ।
ସେହିଭଳି ବୋଲିଭିୟାରେ ଏପରି ଏକ ସ୍ଥାନ ରହିଛି, ଯାହାର ନାମ ଟିଭାନାକୁ। ଯାହାକୁ ରହସ୍ୟମୟୀ ସହର ମଧ୍ୟ କୁହାଯାଏ। କୁହାଯାଏ କି, ହଜାର ବର୍ଷ ପୂର୍ବେ ଏଠାରେ ଏକ ସହର ଥିଲା। ଏଠାରେ ଏକମାତ୍ର ଦ୍ୱାର ରହିଛି, ଯାହାକୁ ‘ଗେଟ୍ ଅଫ୍ ସନ’ ବୋଲି କୁହାଯାଏ। ଯାହା ଆଜି ମଧ୍ୟ ରହସ୍ୟ ଘେରରେ। ଏହି ଗେଟ ସାହାଯ୍ୟରେ ସେତେବେ ଗ୍ରହମାନଙ୍କର ସ୍ଥିତି ବିଷୟରେ ଅନ୍ଦାଜ ଲଗାଉଥିଲେ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। କିନ୍ତୁ ଏହା ବିଷୟରେ ସଠିକ ପ୍ରମାଣ ମିଳିପାରିନାହିଁ।
ଜାପାନର ଜଣେ ସମୁଦ୍ର ବୁଡାଳି କିହାଚିରୋ ଅରାତାକେ ସମୁଦ୍ର ମଧ୍ୟରେ ଥିବା ଏକ ବିଶାଳ ଢାଞ୍ଚାର ସନ୍ଧାନ ପାଇଥିଲେ, ଯାହାକୁ ଯୋନାଗୁନୀର ବୁଡିଥିବା ସହର ବୋଲି କୁହାଯାଏ। କୁହାଯାଏ, ଏହି ଢାଞ୍ଚା ୧୦ ହଜାର ବର୍ଷ ପୂର୍ବେ ସମୁଦ୍ରରେ ବୁଡିଯାଇଥିଲା। ଏପର୍ଯ୍ୟନ୍ତ ଏହାର ସତ୍ୟାସତ୍ୟ ବିଷୟରେ ଏପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି।
ଏହାସହ ପଢ଼ନ୍ତୁ ; ଏହି ଦେଶରେ ହୁଏ ଅଦ୍ଭୁତ ସଂଗୀତ ପ୍ରତିଯୋଗିତା, ଯେଉଁଠି ଗୀତ ଗାଇବାକୁ ଆସନ୍ତି ତିନିଟି ଦେଶର ପକ୍ଷୀ
କୋଷ୍ଟାରିକାରେ ଅନେକ ବଡ ବଡ ପଥରର ବଲ ଦେଖିବାକୁ ମିଳିଥାଏ। ଯାହା ୧୯୩୦ରେ ଗଛଗୁଡିକ ପୋତିବା ବେଳେ ଦେଖିବାକୁ ମିଳିଥିଲା। ଏହା ବିଲକୁଲ ଦେଖିବାକୁ ବଲ ଭଳି ଗୋଲ। ଏଭଳି ପଥରକୁ ଗୋଲ କରି କିଏ ବନାଇଲା, ତାହା ଏପର୍ଯ୍ୟନ୍ତ ରହସ୍ୟରେ ରହିଛି। ପୌରାଣିକ କଥାନୁସାରେ ଏହି ପଥର ଗୋଲରେ ସୁନା ରହିଥିଲା ବୋଲି ଜଣାଯାଏ।