ସଫଳତା ପାଇବା ପାଇଁ ୬ଟି ଜିନିଷ ଉପରେ ଗୁରୁତ୍ୱ ଦିଅନ୍ତୁ; ଜୀବନ ହସଖୁସିରେ ଭରିଯିବ…ଜାଣନ୍ତୁ ଗରୁଡ଼ ପୁରାଣର ସୂତ୍ର

ଗରୁଡ଼ ପୁରାଣ ସମସ୍ତ ୧୮ ପୁରାଣ ମଧ୍ୟରୁ ଅନ୍ୟତମ। ଏଥିରେ ବ୍ୟକ୍ତିର କର୍ମ ଅନୁସାରେ ମିଳୁଥିବା ଫଳ ବିଷୟରେ ବର୍ଣ୍ଣନା କରାଯାଇଛି। ଏଥି ସହିତ ଜୀବନକୁ ସଫଳ କରିବାର ସୂତ୍ର ମଧ୍ୟ କୁହାଯାଇଛି। ଏତିକି ନୁହେଁ, ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ଦୂର କରିବାର ଉପାୟ ବର୍ଣ୍ଣିତ ରହିଛି। ଗରୁଡ଼ ପୁରାଣର ଏହି ନିୟମଗୁଡ଼ିକୁ ମାନିବା ଦ୍ୱାରା ବ୍ୟକ୍ତି ଉନ୍ନତି ପଥରେ ଅଗ୍ରସର ହୋଇଥାଏ। ପୁରାଣର ଏକ ଶ୍ଳୋକରେ କୁହାଯାଇଛି, ମଣିଷ ସଫଳତା ପାଇବା ପାଇଁ କେଉଁ ସବୁ ଜିନିଷ ଉପରେ ଗୁରୁତ୍ୱ ଦେବା ଉଚିତ୍‌, ଯଦ୍ଦ୍ଵାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବା ସହିତ ପୁଣ୍ୟପ୍ରାପ୍ତି ହୋଇ ପାରିବ। ଆସନ୍ତୁ ଜାଣିବା ଏହା ବିଷୟରେ…

ନିଜର କୁଳ ଦେବୀ/ଦେବତାଙ୍କୁ ପୂଜା କରନ୍ତୁ:

ଆଜିକା ସମୟରେ ଅନେକ ଲୋକ ନିଜର କୁଳ ଦେବୀ, ଦେବତାଙ୍କୁ ଜାଣି ନାହାନ୍ତି। ମାନ୍ୟତା ରହିଛି, ପ୍ରତ୍ୟେକ କୁଳର ଜଣେ ଆରାଧ୍ୟ ଦେବ ଅଛନ୍ତି। କୌଣସି ବିଶେଷ ଅବସରରେ ତାଙ୍କର ପୂଜାର୍ଚ୍ଚନା ହୋଇଥାଏ। ଗରୁଡ଼ ପୁରାଣ ଅନୁସାରେ, ଆପଣ ନିଜର କୁଳ ଦେବୀ, ଦେବତାଙ୍କୁ ପୂଜା କରିବା ଦ୍ୱାରା ସେମାନେ ପ୍ରସନ୍ନ ହୁଅନ୍ତି ଏବଂ ପରିବାରର ୭ ପିଢ଼ିକୁ ଆଶୀର୍ବାଦ ପ୍ରଦାନ କରି ଥାଆନ୍ତି। ଏହାଦ୍ୱାରା ଜୀବନ ହସଖୁସିରେ ଭରି ଯାଇଥାଏ।

ନିଜେ ଖାଇବା ପୂର୍ବରୁ ଭଗବାନଙ୍କୁ ଭୋଗ ଲଗାନ୍ତୁ:

କୁହାଯାଏ ଯେ ଯେଉଁ ଘରେ ନିଜେ ଖାଇବା ପୂର୍ବରୁ ଭଗବାନଙ୍କୁ ଭୋଗ ଅର୍ପଣ କରାଯାଏ, ସେହି ଘରେ ମା’ ଅନ୍ନପୂର୍ଣ୍ଣା ଓ ମା’ ଲକ୍ଷ୍ମୀଙ୍କ କୃପାରୁ କେବେ ବି ଧନର ଅଭାବ ରୁହେ ନାହିଁ। ତେଣୁ ସବୁବେଳେ ଭୋଗ ପ୍ରସ୍ତୁତି ପୂର୍ବରୁ ରୋଷେଇ ଘରକୁ ସଫାସୁତରା କରନ୍ତୁ ଏବଂ ସାତ୍ତ୍ୱିକ ଭୋଜନ ତିଆରି କରି ପ୍ରଥମେ ଭଗବାନଙ୍କୁ ଅର୍ପଣ କରନ୍ତୁ।

ଅନ୍ନଦାନ କରନ୍ତୁ:

ହିନ୍ଦୁ ଧର୍ମରେ ଦାନର ବହୁତ ବଡ଼ ମହତ୍ତ୍ୱ ରହିଛି। ଗରୁଡ଼ ପୁରାଣରେ କୁହାଯାଇଛି ଯେ ଭୋକିଲା ଓ ଦରିଦ୍ର ଲୋକଙ୍କୁ ଭୋଜନ କରାଇବା ଦ୍ୱାରା ମଣିଷର ପୁଣ୍ୟଫଳ ବଢ଼ିଥାଏ। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ଆୟର କିଛି ଭାଗ ନିଶ୍ଚୟ ଦାନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ପରିବାର ଉପରେ ଭଗବାନଙ୍କ ଆଶୀର୍ବାଦ ରହିବ।

ଧର୍ମଗ୍ରନ୍ଥ ପାଠ କରନ୍ତୁ:

ଗରୁଡ଼ ପୁରାଣ ମୁତାବକ, ପ୍ରତ୍ୟେକ ମନୁଷ୍ୟ ଧର୍ମଗ୍ରନ୍ଥ ପାଠ କରିବା ଉଚିତ୍‌। ଏଥିରେ ଲୁଚିଥିବା ଜ୍ଞାନକୁ ନିଜ ଜୀବନରେ ମଧ୍ୟ ଉପଯୋଗ କରିବା ଦରକାର। ଏହି ଶିକ୍ଷା ଆପଣଙ୍କ ଜୀବନରେ ଆସୁଥିବା ସଙ୍କଟ ସହ ଲଢ଼ିବା ଏବଂ ଉନ୍ନତି ପଥରେ ଆଗକୁ ବଢ଼ିବାର ରାସ୍ତା ଦେଖାଇଥାଏ।

ଗାଈ:

ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଏ। ଗରୁଡ଼ ପୁରାଣ ମୁତାବକ, ଗାଈ ଶରୀରରେ ସମସ୍ତ ଦେବଦେବୀ ବାସ କରନ୍ତି। ଯେଉଁ ବ୍ୟକ୍ତି ଗାଈକୁ ଦେବତୁଲ୍ୟ ଭାବି ପୂଜାର୍ଚ୍ଚନା କରନ୍ତି, ତାଙ୍କର ସବୁ ସମସ୍ୟା ଦୂର ହୋଇଥାଏ।

ଏକାଦଶୀ ବ୍ରତ:

ଯେଉଁ ବ୍ୟକ୍ତି ପୂରା ଶ୍ରଦ୍ଧା ଓ ବିଶ୍ୱାସର ସହିତ ଏକାଦଶୀ ବ୍ରତ ରଖନ୍ତି, ତାଙ୍କୁ ଶୁଭ ଫଳ ମିଳିଥାଏ। ଏଥିପାଇଁ ଏକାଦଶୀ ଦିନ ହିଂସା କରିବା, ଜୁଆ ଖେଳିବା ଏବଂ ମଦ୍ୟପାନଠାରୁ ଦୂରେଇ ରୁହନ୍ତୁ।

Leave A Reply

Your email address will not be published.