ଏବେ ବି ବଞ୍ଚି ରହିଛି ବର୍ଷ ବର୍ଷର ପରମ୍ପରା, ୪୫ ବର୍ଷ ପରେ ଏଠାରେ କରାଗଲା ରାଜ ଅଭିଷେକ

ଯାଜପୁର : ଏବେ ବି ବଞ୍ଚି ରହିଛି ବର୍ଷ ବର୍ଷର ପରମ୍ପରା । ପିଢ଼ି ପରେ ପିଢ଼ି ଅନୁଯାୟୀ ପଦ ଓ ରାଜ ଅଭିଷେକରେ କରାଯାଉଛି ଅଭିଷିକ୍ତ । ଏଭଳି ନିଆରା ପରମ୍ପରା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର ଅଞ୍ଚଳରେ । ଯେଉଁଥିରେ ସାମିଲ ହୋଇଥାନ୍ତି ଆଖପାଖ ଅଞ୍ଚଳର ରାଜା ଓ ଚଉପାଢ଼ିର ସାଆନ୍ତ ।

ପ୍ରଜାତନ୍ତ୍ରରେ ସାମ୍ପ୍ରତିକ ସମୟରେ ରାଜତନ୍ତ୍ର ପ୍ରଥା ଧୀରେ ଧୀରେ ଲୋପ ପାଇ ଯାଉଥିବା ଦେଖିବାକୁ ମିଳୁଛି । ଏପରି ସ୍ଥଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତରେ ଏବେ ବି ବଞ୍ଚି ରହିଛି ବର୍ଷ ବର୍ଷର ପରମ୍ପରା । ଗାଁ ଚଉପାଢ଼ିରେ ଏବେ ବି ନ୍ୟାୟ ନିଶାପ ବସୁଛି । ପିଢ଼ି ପରେ ପିଢ଼ି ରାଜତନ୍ତ୍ର ଶାସନକୁ ସମ୍ମାନ ଦେଇ ଆସୁଛନ୍ତି । ଏହି କ୍ରମରେ ଦୀର୍ଘ ୪୫ ବର୍ଷ ପରେ ପଦ ଗ୍ରହଣ ଓ ରାଜ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ପ୍ରାକ୍ତନ ସାଆନ୍ତ ସୁବାସ ଚନ୍ଦ୍ର ଦକ୍ଷିଣରାୟ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ଜ୍ୟେଷ୍ଠ ପୁତ୍ର ଆଲୋକ ବଡଜେନା ଦକ୍ଷିଣରାୟ ମହାପାତ୍ର ପଦ ଗ୍ରହଣ କରିଛନ୍ତି । ଏହି ଅବସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ରାଜ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କଳକଳା ଗଡର ରାଜା ସାହେବ୍ ଓ ରାଣୀ, ଗଡ଼ମଧୁପୁର ରାଜଜେମାଙ୍କ ସମେତ ବିଭିନ୍ନ ଗଡ଼ଜାତ ଅଞ୍ଚଳର ରାଜା ଓ ଚଉପାଢ଼ିର ସାଆନ୍ତମାନେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଗାଁ ମୁଣ୍ଡରୁ ସେମାନଙ୍କୁ ଜଣ ଜଣ କରି ସୁସଜ୍ଜିତ ପାଲିଙ୍କିରେ ବସାଇ ଓ ରୋଷଣୀ କରି ଗ୍ରାମବାସୀ ବୃନ୍ଦ ଚଉପାଡ଼ିକୁ ବରଣି କରି ଆଣିଥିଲେ।ସେମାନଙ୍କୁ ଯଥା ମାନ୍ୟ ପ୍ରଦାନ କରିଥିଲେ । ପରେ ବିଭିନ୍ନ ଚଉପାଢ଼ିରୁ ଆସୁଥିବା ଏହି ସାଆନ୍ତ ମାନେ ପୂଜାରେ ଆସନ ଅଳଙ୍କୃତ କରିଥିବା ଆଲୋକ ବଡ଼ଜେନାଙ୍କୁ ଉପଢୌକନ ପ୍ରଦାନ କରି ପଦ ସିରିପା ପିନ୍ଧାଇଥିଲେ । ଆଖ ପାଖ ଗାଁରୁ ଲୋକମାନଙ୍କୁ ଏହି ରାଜ ଅଭିଷେକ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ ମଧ୍ୟ କରାଯାଇଥିଲା । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏଥିରେ ଯୋଗ ଦେଇଥିଲେ । ଝିଅ ବୋହୂ ମାନଙ୍କ ହୁଳହୁଳି ସହ ପୁରୋହିତ ମାନଙ୍କ ବେଦ ଓ ମନ୍ତ୍ର ପାଠ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ଅଞ୍ଚଳ । ଗ୍ରାମର ପରିବାରର ପିଲାଠୁ ବୟସ୍କ ସଦସ୍ୟଙ୍କ ଉପସ୍ଥିତିରେ ଉତ୍ସବ ମୁଖର ହୋଇ ଉଠିଥିଲା ସମଗ୍ର ପରିବେଷ ।

କୋତପୁର ଗ୍ରାମରେ ବର୍ଷ ବର୍ଷ ଧରି ବଞ୍ଚି ରହିଥିବା ଏହି ରାଜତନ୍ତ୍ର ପ୍ରଥା । ଦେଖିଲେ ସମସ୍ତେ ଏକତା ଓ ଭାଇଚାରା ସୂତ୍ରରେ ବାନ୍ଧି ହୋଇ ରହିଥିବା ମନେ ହୁଏ ।