ଅନଲାଇନ୍ ଗେମ ଖେଳି ଟଙ୍କା ହାରିଲେ, ଅକାଳରେ ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ

ଗୋପ: ଅନଲାଇନ୍ ଗେମ୍ ଯୋଗୁଁ ଅକାଳରେ ଚାଲି ଯାଇଛି ଜଣେ ଯୁବ ଡାକ୍ତରଙ୍କ ଜୀବନ । ଭଗବାନଙ୍କ ଅନ୍ୟ ରୂପ ହେଉଛନ୍ତି ଡାକ୍ତର । ଯାହାଙ୍କ ହାତରେ ଅନେକ ଲୋକ ନୂଆ ଜୀବନ ପାଇଥାନ୍ତି । ଆଜି ସେ ଏତେ ବଡ଼ ଭୁଲ କରି ବସିବେ ଆଉ ନିଜ ଜୀବନ ପ୍ରତି ସଜାଗ୍ ହେବେନି ସେକଥାକୁ ବିଶ୍ବାସ କରି ହେଉନି । ଲମ୍ବା ଜୀବନ ପଡ଼ିଥିବା ବେଳେ ଆଗକୁ ଥିଲା ଉଜ୍ଜ୍ବଳ ଭବିଷ୍ୟତ ଯେଉଁ ବୟସରେ ହାତକୁ ଦି ହାତ ହୋଇ ଘର ସଂସାର କରିଥାନ୍ତେ । ରୋଗୀ ସେବା କରି ପ୍ରଶଂସା ପାଇଥାନ୍ତେ ସେଠି ପୂର୍ଣ୍ଣଚ୍ଛେଦ ପଡ଼ିଗଲା ଜୀବନରେ । ଆଗକୁ ପାଦ ବଢ଼ାଇ ଥାଆନ୍ତେ ହେଲେ ତା’ ପୂର୍ବରୁ ଭୁଲ୍ କରି ବସିଲେ ଯୁବ ଡାକ୍ତର । ଯେଉଁ କଥା ବିଷୟରେ ସ୍ବପ୍ନରେ ବି ସୁଦ୍ଧା କେହି ଭାବି ପାରି ନଥିଲେ ।

ଅନଲାଇନ୍ ଗେମ୍ ଖେଳରେ ଲକ୍ଷାଧିକ ଟଙ୍କା ହରାଇବାରୁ ଜଣେ ଯୁବ ଡାକ୍ତର ଜୀବନ ହାରିଛନ୍ତି । ମୃତ ଡାକ୍ତର ହେଲେ କୋଣାର୍କ ଏନ୍ଏସି ୧୧ ନମ୍ବର ୱାର୍ଡ ନଳକଣ ଗାଁର । ଗ୍ରାମର ତଳସାହି ବାସିନ୍ଦା ରାଜକିଶୋର ଛାଟୋଇଙ୍କ ପୁଅ ଆକାଶ । ଯାହାଙ୍କ ବୟସ ମାତ୍ର ୨୨ବର୍ଷ । ଗତ ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳର ଘଟଣା । ପେଣ୍ଠକଟା ସାମୁଦ୍ରିକ ଥାନା ଅନ୍ତର୍ଗତ ବାଲିଘାଟ ବ୍ରାହ୍ମଣପୋଖରୀ ଠାରେ ମାମୁଁ ଘରେ ଘଟିଥିଲା ଏହି ଅଘଟଣ । ମାମୁଁ ତାପସ ଘରକୁ ଫେରି କବାଟ ବାଡ଼େଇବାରୁ ଆକାଶ କବାଟ ଖୋଲି ନ ଥିଲେ । ପଡ଼ୋଶୀଙ୍କ ସହଯୋଗରେ କବାଟ ଭଙ୍ଗାଯିବା ପରେ ଆକାଶଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଘଟଣା ବିଷୟରେ ଜାଣିବା ପରେ ଆକାଶଙ୍କ ବାପା ରାଜକିଶୋର ଛାଟୋଇ ଅଭିଯୋଗ କରିଥିଲେ ପେଣ୍ଠକଟା ସାମୁଦ୍ରିକ ଥାନାରେ । ଆକାଶଙ୍କ ବାପା ରାଜକିଶୋରଙ୍କ ଅଭିଯୋଗ ଆଧାରରେ ପେଣ୍ଠକଟା ସାମୁଦ୍ରିକ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ଆକାଶଙ୍କ ବାପା ରାଜକିଶୋର ରାମଚଣ୍ଡୀ ଛକରେ ଏକ ଚା’ ଦୋକାନ କରି ପରିବାର ଭରଣ ପୋଷଣ କରୁଥିଲେ । ତାଙ୍କର ଏକମାତ୍ର ପୁଅ ଆକାଶକୁ ବୁର୍ଲା ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢ଼ାଇଥିଲେ । ଆକାଶ ସେଠାରୁ ଡାକ୍ତରୀ ପଢ଼ିବା ପରେ ଭୁବନେଶ୍ୱର ଶ୍ରୀ ହସ୍ପିଟାଲରେ ରେଡିଓଲୋଜିଷ୍ଟ ଭାବେ କାର୍ଯ୍ୟ କରୁଥିଲେ । ହୋଲି ଛୁଟିରେ ସେ ମାମୁ ଘରକୁ ଆସିଥିଲେ । ପୋଲିସ ତାଙ୍କ ମୋବାଇଲ ଫୋନ୍କୁ ଯାଞ୍ଚ କରିବା ବେଳେ ଆକାଶ ୩ ବର୍ଷ ହେଲା ଅନଲାଇନ୍ ଗେମ୍ ଖେଳୁଥିବା ଜଣା ପଡ଼ିଥିଲା । ଏମିତିକି ସେ ଏଥିପାଇଁ ସାଙ୍ଗସାଥୀଙ୍କଠାରୁ ଟଙ୍କା ଧାର ମଧ୍ୟ ଆଣିଥିଲେ । ବୋଧହୁଏ ଆଶା ରଖିଥିଲେ ଅନଲାଇନ୍ ଗେମରୁ ପଇସା ପାଇଲେ ଶୁଝି ଦେବେ । ହେଲେ କ୍ଷତିର ପରିମାଣ ଅଧିକ ବଢ଼ିଯିବାରୁ ଶେଷରେ ଅନ୍ୟ କୌଣସି ଉପାୟ ନପାଇ ସେ ଏଭଳି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।

ତେବେ ବାରମ୍ବାର ଅନଲାଇନ୍ ଗେମ୍ ଯୋଗୁଁ ଜୀବନ ଯାଉଥିବା ଖବର ଆସୁଛି । ହେଲେ ତଥାପି ସଜାଗ୍ ହେଉ ନାହାଁନ୍ତି ଯୁବପିଢ଼ି । ପିଲାମାନଙ୍କର ତ ଗେମ୍ ଖେଳି ଜୀବନ ଯାଉଛି ହେଲେ ଏଥିପାଇଁ ଜୀବନ ସାରା ପରିବାର ଦୁଃଖ ଭୋଗୁଛି । କେତେ କଷ୍ଟ କରି ପୁଅକୁ ଡାକ୍ତର କରିଥିଲେ । ହେଲେ ସେ ଆଶା ଆଜି ମାଟିରେ ମିଶି ଯାଇଛି । ତେବେ ଏଭଳି ଦୁଃଖଦ ସମୟରେ ଛାତିକୁ ପଥର କରି ପରିବାର ଲୋକେ ଆକାଶଙ୍କ ଚକ୍ଷୁଦାନ କରିଛନ୍ତି । ପୁଅ ସିନା ରହିଲା ଅନ୍ତତଃ ତାର ଆଖି ବଞ୍ଚି ରହୁ ଏ ଦୁନିଆରେ ।