ମହଙ୍ଗା ପଡ଼ିଲା ପ୍ରେମ କରି କୋର୍ଟ ମ୍ୟାରେଜ କରିବା, ଶଳାର ମାଡ଼ରେ ଭିଣୋଇ ଗୁରୁତର

ନୟାଗଡ଼ : ଯୁବକ ଜଣକ ଘରେ ଶୋଇଥିଲେ । ହଠାତ୍ ତାଙ୍କ ଉପରେ ଆରମ୍ଭ ହୋଇଗଲା ପ୍ରବଳ ମାଡ଼ । ସେ କିଛି ବୁଝିବା ଆଗରୁ ତାଙ୍କୁ ଘୋଷାରି ବାହାରକୁ ନେଇ ପିଟି ଚାଲିଲେ ଚାରିଜଣ । ଆଉ ତାପରେ ଏକ କାରରେ ତାଙ୍କୁ ଉଠାଇ ନେଇ ଚାଲିଗଲେ । ପରେ ପୋଲିସ୍ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଛି ।
ହଁ ଆଜ୍ଞା, ମହଙ୍ଗା ପଡ଼ିଲା ପ୍ରେମ କରି କୋର୍ଟ ମ୍ୟାରେଜ କରିବା । ଶଳାର ମାଡ଼ରେ ଭିଣୋଇ ଗୁରୁତର । ଶୋଇଥିବା ଅବସ୍ଥାରେ ଲୋକ ଲଗାଇ ଅପହରଣ କଲେ ନିର୍ଦ୍ଧୁମ ପିଟିଲେ । ଏବେ ମେଡିକାଲ ବେଡରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଯୁବକ ଜଣକ। ସବୁଠୁ ବଡ଼ କଥା ଯୁବକ ଜଣକ ଜାଣି ନଥିଲେ ତାଙ୍କ ଉପରେ ଏ ମାଡ଼ କାହିଁକି ହେଉଛି । ପତ୍ନୀଙ୍କ ଭାଇ ତାଙ୍କ ସାଙ୍ଗମାନଙ୍କ ସହ ମିଶି ଏଇ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ଅପହରଣର ୫ଘଣ୍ଟା ପରେ ଯୁବକ ଜଣକୁ ଉଦ୍ଧାର କଲା ଟାଉନ୍ ଥାନା ପୋଲିସ । ଯୁବକ ଜଣକ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏପଟେ ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।
ଘଟଣା କଣ ଟିକେ ଭଲ ଭାବେ ଜାଣନ୍ତୁ । ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ନୀଳାଦ୍ରିପୁର ଗାଁର ଦୀନବନ୍ଧୁ ସେଠୀ କେନ୍ଦୁପଲ୍ଲି ଗାଁର ଜଣେ ଯୁବତୀଙ୍କୁ ଭଲପାଇ କିଛି ବର୍ଷ ତଳେ କୋର୍ଟ ମ୍ୟାରେଜ୍ କରିଥିଲେ। ଯୁବତୀ ଜଣକ ଏବେ ବିଏସ୍ଏଫ୍ ରେ କାର୍ଯ୍ଯରତ । ତେବେ ଦୀନବନ୍ଧୁଙ୍କୁ ଛୋଟ ଜାତିର କହି ଏହି ବିବାହକୁ ଯୁବତୀଙ୍କ ଭାଇ ବିରୋଧ କରି ଆସୁଥିଲେ । ଏପରିକି ବିଭିନ୍ନ ସମୟରେ ଏଥିପାଇଁ ପୁଅ ସହ ଗଣ୍ଡଗୋଳ କରୁଥିଲେ ବୋଲି ଦୀନବନ୍ଧୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଭାଇ ମାନସ ନାୟକ ପୁରୀରେ ପୋଲିସ ଡ୍ରାଇଭର ଭାବେ କାର୍ଯ୍ଯ କରନ୍ତି । ଶୁକ୍ରବାର ଅପରାହ୍ନରେ ଦୀନବନ୍ଧୁ ନୟାଗଡ ସହରର ପିଡବ୍ଲୁଡି ଲେନ୍ ରେ ନିଜ ବନ୍ଧୁଙ୍କ ଭଡାଘରେ ଶୋଇଥିବା ବେଳେ ହଠାତ୍ ତାଙ୍କ ଉପରେ ଆକ୍ରମଣ ହେଲା । ମାନସ ଏବଂ ତାର ୩ଜଣ ସାଙ୍ଗ ସେଠାକୁ ଆସି ଘରେ ପଶି ଦୀନବନ୍ଧୁଙ୍କୁ ନିର୍ଦ୍ଧୁମ ମାଡ଼ ମାରି ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ସେମାନେ କୁଆଡ଼େ ଦୀନବନ୍ଧୁଙ୍କୁ ବିଭିନ୍ନ ସ୍ଥାନରେ ରଖି ପ୍ରବଳ ମାଡ଼ ମାରିଥିଲେ।
ଖବର ପାଇ ଟାଉନ୍ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଶୁକ୍ରବାର ରାତିରେ ନବଘନପୁର ରାସ୍ତାରେ ଅପହରଣକାରୀ ୪ ଜଣଙ୍କୁ ଧରି ଥିଲା ପୋଲିସ୍ । ଦୀନବନ୍ଧୁଙ୍କୁ ସେମାନଙ୍କ କବଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ପ୍ରବଳ ମାଡ଼ରେ ଦୀନବନ୍ଧୁଙ୍କ ମୁହଁ, ହାତ ଏବଂ ଗୋଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ମେଡିକାଲରେ ଚିକିତ୍ସା କରାଯାଉଛି । ସେପଟେ ପୋଲିସ ମାନସଙ୍କ ସମେତ ଲେଙ୍କୁଡିପଡା ଗାଁର ସୁରେନ୍ଦ୍ର ମହାନ୍ତି ଓ ସନ୍ତୋଷ ଦାସ ଏବଂ ରଘୁନାଥପୁର ଗାଁର ଅଜିତ୍ ବେହେରାଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି । ଅପହରଣରେ ବ୍ୟବହୃତ କାରକୁ ଜବତ କରିଛି ପୋଲିସ । ତାଙ୍କ ପକେଟରେ ଥିବା ୩୨ ହଜାର ଟଙ୍କା ଓ ମୋବାଇଲକୁ ଦୁର୍ବୃତ୍ତମାନେ ନେଇ ଯାଇଥିବା ଦୀନବନ୍ଧୁ ଅଭିଯୋଗ କରିଛନ୍ତି । ଏପଟେ ପୁଅର ଏଭଳି ଅବସ୍ଥା କରିଥିବା ଲୋକଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦୀନବନ୍ଧୁଙ୍କ ମା ଦାବି କରିଛନ୍ତି ।
Also read:ପୂର୍ବ ଶତ୍ରୁତାର କରୁଣ ପରିଣତି, ସମୁଦୀର ଟାଙ୍ଗିଆ ଚୋଟରେ ସମୁଦି ମୃତ