ବ୍ରେକଅପ ପରେ ଡ୍ରିମ୍ ଜବ୍ ଛାଡ଼ିଦେଲେ ଯୁବକ, ଡିପ୍ରେସନ ପାଇଁ ତୁଚ୍ଛ ଲାଗିଲା ଟଙ୍କା

ବ୍ରେକଅପ ପରେ ଅଢେଇ କୋଟି ଟଙ୍କାର ଚାକିରି ଛାଡ଼ିଦେଲେ ଯୁବକ । ସେ ପୁଣି ଆଉ କେଉଁଠି ନୁହେଁ ବିଶ୍ୱର ନାମିଦାମୀ କମ୍ପାନୀରେ । ବଢ଼ୁଥିଲା ଡିପ୍ରେସନ ଆଉ ପୁଣି କାମର ଚାପ । ସବୁକିଛି ଛାଡି ସେ ନିଜ ହିସାବରେ ବଞ୍ଚିବାକୁ ଚାହିଁଲେ ଆଉ ଜବ ଛାଡିଦେଲେ । ଗୋଟିଏ ମଣିଷର ଇଚ୍ଛା ଥାଏ କି ସେ ବଡ଼ ହୋଇ ଭଲ ପାଠ ପଢିବ ଆଉ ଗୋଟିଏ ଭଲ ଚାକିରି କରିବ । ଯାହାଦ୍ୱାରା ସେ ନିଜ ସ୍ବପ୍ନ ପୂରଣ କରିବା ସହିତ ନିଜ ବାପା ମା’ଙ୍କୁ ଖୁସିରେ ରଖିପାରିବ । କିନ୍ତୁ ଜୀବନରେ ସବୁକିଛି ସଫଳତା ପାଇସାରିବା ପରେ ବି ଯେତେବେଳେ ମଣିଷକୁ ଶାନ୍ତି ନମିଳେ, ସେତେବେଳେ ସେ ସବୁକିଛି ଛାଡିବାକୁ ପ୍ରସ୍ତୁତ ହୋଇଯାଏ । ଠିକ ଏଭଳି କିଛି ଘଟିଛି ଏହି ଯୁବକଙ୍କ ସହ । ଡିପ୍ରେସନ ଏତେ ଅଧିକ ହୋଇଗଲା ଯେ ପଇସା ତୁଚ୍ଛ ଲାଗିଲା । ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଗୁଗୁଲରେ ଚାକିରି କରିବା ଯେତେବେଳେ ସମସ୍ତଙ୍କର ଡ୍ରିମ ଥାଏ, କିନ୍ତୁ ଡ୍ରିମ ଜବ୍ ଆଉ ମୋଟା ଅଙ୍କର ଦରମା ପାଇବା ସତ୍ତ୍ୱେ ଯୁବକ ଜଣକ ଚାକିରି ଛାଡିଦେଇଛନ୍ତି । ଯୁବପିଢ଼ି ଯେଉଁ ସମୟରେ ଚାକିରି ଖଣ୍ଡେ ପାଇବା ପାଇଁ ରେସରେ ଦୌଡୁଛନ୍ତି, ସେତେବେଳେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ଚାଲନ୍ତୁ ଜାଣିବା କିଏ ଏହି ବ୍ୟକ୍ତି ଓ ପ୍ରକୃତରେ ତାଙ୍କର ଏପରି କରିବାର କାରଣ କଣ ?

୨୭ ବର୍ଷ ବୟସରେ, ଜିମ୍ ଟାଙ୍ଗ୍ ନାମକ ଏକ ବ୍ୟକ୍ତି ଯାଯାବର ଭାବରେ ଏକ ମୁକ୍ତ, ଅଧିକ ସରଳ ଜୀବନ ବିତେଇବା ପାଇଁ ନ୍ୟୁୟର୍କସ୍ଥିତ ଗୁଗୁଲରେ ପ୍ରାୟ ଅଢ଼େଇ କୋଟି ଟଙ୍କା ଦରମାର ପଦବୀରୁ ଇସ୍ତଫା ନେଇଛନ୍ତି । ଯାହାକୁ ଅନେକ ଲୋକ ସ୍ୱପ୍ନର ଚାକିରି ବୋଲି କହିବେ । ଏକ ସାକ୍ଷାତକାରରେ, ଟାଙ୍ଗ କହିଛନ୍ତି ଯେ ସେ ମୂଳତଃ ୨୦୨୧ ମସିହାରେ ଗୁଗଲରେ ଯୋଗ ଦେଇଥିଲେ ଏବଂ ବିଶ୍ୱାସ କରିଥିଲେ ଯେ ଏହା ତାଙ୍କ ବାପା ମା’ଙ୍କୁ ଗର୍ବିତ କରିବ ଏବଂ ତାଙ୍କ ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ କରିବ ।  ସେ କହିଛନ୍ତି “ମୁଁ ମନେ ରଖିଛି ଯେ ଯେତେବେଳେ ମୋ ବାପା ମା’ଙ୍କୁ ଅଫିସକୁ ଆଣିଥିଲି, ମୋତେ ଲାଗିଥିଲା ସତେ ଯେମିତି ଆମେ ଆମେରିକୀୟ ସ୍ୱପ୍ନ ହାସଲ କରିଛୁ । କିନ୍ତୁ ଏତେ ଦରମା ଏବଂ ସୁବିଧା ଥିବା ସତ୍ତ୍ୱେ ଏଥିରୁ ଶାନ୍ତି ମିଳୁନଥିଲା । ଯଦିଓ ବହୁତ ସୁବିଧା ଥିଲା ଏବଂ ମୁଁ ଚତୁର ଲୋକଙ୍କ ସହିତ କାମ କରୁଥିଲି । ମୁଁ କେବେବି କର୍ପୋରେଟ୍ କାମର ବଡ଼ ପ୍ରଶଂସକ ନଥିଲି । ଗୁଗୁଲ ପାଇଁ ବିଜ୍ଞାପନରେ ବିଟୁବି କମର୍ସିଆଲଗୁଡ଼ିକରେ କାମ କରିବା ସମୟରେ, ମୁଁ ହୁଏତ ସେମାନଙ୍କୁ ବହୁତ ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରୁଥିଲି, କିନ୍ତୁ ଏହା ବିଶେଷ ଅର୍ଥପୂର୍ଣ୍ଣ ମନେ ହେଉନଥିଲା ।

କିଛିଦିନ ପାଇଁ, ଟାଙ୍ଗ ସେଠାରେ ରହିଲେ ଓ ଭାବିଲେ ଯେ ସେ ଅଧିକ ଟଙ୍କା ସଞ୍ଚୟ କରିବେ ଏବଂ ୪୦ ସୁଦ୍ଧା ଅବସର ନେବେ । ସେ ପ୍ରମୋସନ ପାଇଁ ଚାପ ପକାଇଲେ ଏବଂ ସିଲିକନ୍ ଭ୍ୟାଲିର କର୍ପୋରେଟ୍ କଲଚରର ଲାଭ ଉପଭୋଗ କଲେ । କିନ୍ତୁ ଯେତେବେଳେ ବ୍ୟକ୍ତିଗତ ସମ୍ପର୍କର ବିଚ୍ଛେଦ ବଢ଼ୁଥିଲା ସେତେବେଳେ ମାନସିକ ଅବସାଦ ବି ବଢ଼ିଲା । ସେ ଅନୁପସ୍ଥିତିର ଛୁଟି ନେଲେ ଏବଂ ଶେଷରେ ମେ ୨୦୨୫ ରେ ଇସ୍ତଫା ଦେଲେ । ସେବେଠାରୁ, ଟାଙ୍ଗ ଟୋକିଓରୁ ଆରମ୍ଭ କରି ଏସିଆ ସାରା ଭ୍ରମଣ କରୁଛନ୍ତି ଏବଂ ସେ ଜଣେ ଭଲ ଟ୍ରେନର ଏବଂ ଉଦ୍ୟୋଗୀ ଭାବରେ ଜୀବନକୁ ଉପଭୋଗ କରୁଛନ୍ତି । ସେ ଏବେ ଡିଜିଟାଲରେ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।

ସେ କହିଛନ୍ତି ଯେ, ମୁଁ ପୂର୍ବରୁ ସଫଳତାକୁ ପ୍ରଶଂସା ଉପରେ ଆଧାରିତ ଭାବରେ ଦେଖୁଥିଲି । କିନ୍ତୁ ଏବେ, ମୁଁ ଭାବୁଛି ଯଦି ଆପଣ ଆପଣଙ୍କର ଦୈନନ୍ଦିନ ଜୀବନରେ ପରିପୂର୍ଣ୍ଣ ଅନୁଭବ କରୁଛନ୍ତି, ତେବେ ତାହା ହିଁ ସଫଳତା ।

ପ୍ରକୃତରେ ଟାଙ୍ଗ ଏଠାରେ ଗୋଟିଏ ଭଲ ମେସେଜ ଦେଇଛନ୍ତି । କେବଳ ଭଲ ଚାକିରି ଓ ମୋଟା ଅଙ୍କର ଦରମାରେ ସବୁ କିଛି ଶାନ୍ତି ନଥାଏ । ବେଳେବେଳେ ସବୁକିଛି ହାସଲ କରି ମଧ୍ୟ ଅସମ୍ପୁର୍ଣ୍ଣ ଲାଗେ । ଆଉ ଏମିତି ଲାଗେ ଯେମିତି ସବୁକିଛି ଛାଡି ଯାଯାବର ଜୀବନ ଯାପନ କରିବାକୁ । କିନ୍ତୁ ଏହି ସୁଖ ସମସ୍ତଙ୍କ ଭାଗ୍ୟରେ ନଥାଏ । ଜୀବନର ଗାଡିକୁ ଗଡିବାକୁ ହେଲେ ଅର୍ଥର ବି ଆବଶ୍ୟକତା ଖୁବ ଗୁରୁତ୍ୱପୂର୍ଣ୍ଣ ।

Also Read: ସ୍ବାମୀ ଟଙ୍କାରେ କୋଚିଂ ନେଇ ସରକାରୀ ଚାକିରି ପାଇଲା ସ୍ତ୍ରୀ, ପରେ ଦେଲା ଧୋକା