ବଡ଼ଭାଇକୁ ଗଛରେ ବାନ୍ଧି ପିଟି ପିଟି ଜୀବନ ନେଲା ସାନ ଭାଇ

କଥାରେ ଅଛି, “ଯୁଦ୍ଧ ଯଦି କରିବାକୁ ହେବ, ସାଥିରେ ରଖିବୁ ଭାଇ – କ୍ଷୀର ଯଦି ଖାଇବାକୁ ଇଛା, ଘରେ ବାନ୍ଧିଥିବୁ ଗାଈ” । ହେଲେ ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ବ୍ରହ୍ମଣପଦର ଗାଁରେ, ଏହି କଥାର ଏକ ବ୍ୟତିକ୍ରମ ଘଟଣା ନଜରକୁ ଆସିଛି । ଘର ଆଗରେ ଗାଈକୁ ବାନ୍ଧିବା ବଦଳରେ ଘର ଆଗରେ ଥିବା ଗଛରେ ସାନଭାଇକୁ ବାନ୍ଧି ପକାଇଲା ବଡ଼ଭାଇ । ଖାଲି ସେତିକି ନୁହେଁ, ଗଛରେ ବାନ୍ଧିଲା ପରେ ଅତି ନିର୍ଦୟ ଭାବେ ଠେଙ୍ଗାରେ ପିଟି ଚାଲିଥିଲା ବଡ଼ ଭାଇ । ଏହି କାଣ୍ଡରେ ବାପାକୁ ସହଯୋଗ କଲା ପୁଅ । ଶେଷରେ ସେହିଠାରେ ହିଁ ସାନଭାଇର ପ୍ରାଣବାୟୁ ଉଡିଗଲା । ଏ ହେଉଛି ହତ୍ୟାର ପରବର୍ତ୍ତୀ ଦୃଶ୍ୟ । ଘର ଭିତରେ ସାନ ପୁଅର ମୃତଦେହ ଘର ବାରଣ୍ଡାରେ ଅସହାୟ ଅବସ୍ଥାରେ ବୃଦ୍ଧ ବାପା-ମା’ ।
ମୃତକ ଜଣକ ସେହି ଗାଁର ବଳରାମ ଗୈାଡ । ନିଜ ସ୍ତ୍ରୀ ସହ ସେ ଭଂଜନଗରରେ ଘରଭଡ଼ା ନେଇ ରହୁଥିଲେ । ସେଠାରେ ରଙ୍ଗ କାମ କରି ପେଟ ପୋଷୁଥିଲେ । ନିଜ ଗାଁ ବ୍ରହ୍ମଣପଦରରେ ଗୋଟିଏ ଘରେ ବୃଦ୍ଧ ବାପା ଓ ମା’ ରହୁଥିଲେ । ସେହି ସାହିରେ ଆଉ ଏକ ଘରେ ବଡ଼ଭାଇ ଶଙ୍କର ଗୈାଡ ନିଜ ପରିବାର ସହ ରହୁଥିଲେ ।ଶନିବାର ଦିନ କୈାଣସି କାମରେ ଗାଁକୁ ଯାଇଥିଲେ, ସାନଭାଇ ବଳରାମ । ଗାଁରେ ବାପା ଓ ମା ରହୁଥିବା ଘରେ, ବଳରାମ ରହିଥିଲେ । ରାତି ପ୍ରାୟ ସାଢେ଼ ଦଶ । ବଳରାମ ଗାଁ ଦାଣ୍ଡକୁ ଆସିଥିବା ବେଳେ, ବଡ଼ଭାଇ ଶଙ୍କର ଓ ପୁତୁରା ଦୁହେଁ ମିଶି ଗାଁ ଦାଣ୍ଡରେ ଏକ ଗଛରେ ବଳରାମଙ୍କୁ ବାନ୍ଧି ଦେଇଥିଲେ । ପରେ ବଡ଼ଭାଇ ଓ ପୁତୁରା ଦୁହେଁ ମିଶି, ବଳରାମଙ୍କୁ ଠେଙ୍ଗାରେ ପିଟି ଚାଲିଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ, ତାରାସିଙ୍ଗି ଥାନା ଓ ଗାଲେରୀ ଫାଣ୍ଡି ପୋଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି । ତେବେ ତଦନ୍ତ ପରେ, ହତ୍ୟା ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।
ଅନ୍ୟ ପକ୍ଷରେ ମୃତକଙ୍କ ବାପା ଓ ସ୍ତ୍ରୀ କହିବା ଅନୁଯାୟୀ ଗତ ୭ ରୁ ୮ ମାସ ପୂର୍ବରୁ ମଧ୍ୟ ବଳରାମଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲା ବଡ଼ଭାଇ । ଫଳରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସା ପରେ ଘରକୁ ଫେରିଥିଲେ ବଳରାମ । ଏବଂ ନିଜ ଗାଁ ବ୍ରହ୍ମଣପଦରରେ ନରହି ଭଞ୍ଜନଗରରେ ଘରଭଡ଼ା ନେଇ ସେ ରହୁଥିଲେ । ଯଦିଓ ହତ୍ୟା ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନି, ତଥାପି ବଳରାମଙ୍କୁ ହତ୍ୟା କରିବା ପରେ, ତାଙ୍କ ସ୍ତ୍ରୀ ସୁମିତ୍ରା ଓ ବୃଦ୍ଧ ବାପା – ମାଁ ଏବେ ଅସହାୟ ହୋଇ ପଡ଼ିଛନ୍ତି । ବଡ଼ପୁଅର ଏଭଳି ଅମାନୁଷିକ କାର୍ଯ୍ୟ କଳାପକୁ ନେଇ ବାପା ବି କ୍ୟାମେରା ଆଗରେ ମୁହଁ ଖୋଲିଛନ୍ତି ।
ତେବେ ସାଧାରଣରେ ଆଲୋଚନା ହେଉଛି ଏମାନେ କେମିତିକା ଭାଇ-ଭାଇ । ସାନଭାଇ ବଳରାମ ଏମିତି କଣ କଲା ଯେ, ବଡ଼ଭାଇ ତାକୁ ହତ୍ୟା କରିବା ପର୍ଯ୍ୟନ୍ତ ହାତ ଗଲା । ଏବେ ପୋଲିସର ତଦନ୍ତ ହିଁ ସ୍ପଷ୍ଟ କରିବ, ହତ୍ୟା ପଛର ରହସ୍ୟ ।
Also Read:ରାଜଧାନୀରେ ଟ୍ରକ୍ ଭର୍ତ୍ତି ଗଞ୍ଜେଇ ଜବତ, ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି