ଯୁବକଙ୍କୁ ନଡିଆ ଗଛରେ ବାନ୍ଧି ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ଅଭିଯୁକ୍ତକୁ ଗିରଫ ଦାବିରେ ଉତ୍ତେଜନା

ବ୍ରହ୍ମଗିରି : ଗୁମୁରୀ ଗୁମୁରୀ କାନ୍ଦୁଛି ବୁଢୀ ମାଆଟି । ୪୧ ବର୍ଷର ଭେଣ୍ଡିଆ ପୁଅକୁ ତାର କିଏ ମାରିଦେଇଛି । କିଏ ତା ପୁଅକୁ ଛୋଟା କେମ୍ପା କରି ଦେଇଥାନ୍ତା ହେଲେ, ଏମିତି ଜୀବନ ନେଇଗଲା କାହିଁକି? ଯେଉଁ ବୟସରେ ପୁଅଟି ତାର ସାହା ଭରସା ପାଲଟିଥାନ୍ତା ସେହି ବୟସରେ ସବୁ ଦିନ ପାଇଁ ଆରପାରିକୁ ଚାଲିଛି ତା ଗେଲବସରିଆ ପୁଅ । କେମିତି ବା ସେ ଧାର୍ଯ୍ୟ ଧରିବ ।
ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ତିଆରପାରି ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ସାମାନ୍ୟ ବଚସାରୁ କେନ୍ଦ୍ର କରି ଗୋଟିଏ ପରିବାରର ଲୋକେ ମିଳିତ ଭାବେ ଯୁବକଙ୍କୁ ମାରିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଉକ୍ତ ଗାଁର ନକୁଳ ସାମଲ । ଯାହା ସୂଚନା ମିଳିଛି, ନକୁଳଙ୍କର ସେହି ଗାଁର ଅନ୍ୟ ଏକ ପରିବାର ସହ ଝଗଡା ହୋଇଥିଲା । ଯାହାକୁ କେନ୍ଦ୍ର କରି ନକୁଳଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ହତ୍ୟା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।
ଯାହା ସୂଚନା ମିଳିଛି କି, ବଚସାରୁ ଗୋଟିଏ ପରିବାରର ଲୋକେ ମିଳିତ ଭାବେ ନକୁଳଙ୍କୁ ଏକ ନଡ଼ିଆ ଗଛରେ ବାନ୍ଧି ପିଟି ପିଟି ହତ୍ୟା କରିବା ପରେ ତାଙ୍କୁ ଆଣି ତାଙ୍କ ଘର ବାରି ପାଖ ଦୁଆର ମୁହଁରେ ବସାଇ ଦେଇ ଫେରାର ହୋଇଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ, ଏସଂକ୍ରାନ୍ତରେ ଆଜି ସକାଳୁ ବ୍ରହ୍ମଗିରି ପୋଲିସ୍ ଖବରପାଇ ଘଟଣସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତକଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ମାଡ଼ ମାରିବା ଚିହ୍ନ ଦେଖିବାକୁ ମିଳିବାବେଳେ, ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛି ପୋଲିସ୍ ।
ଏପଟେ ବିଳମ୍ବିତ ରାତିରେ ପୁଅକୁ ହତ୍ୟା କରାଯାଇଥିବା ନକୁଳଙ୍କର ମାଆ ବିଶିକା ସାମଲ ଅଭିଯୋଗ କରିଛନ୍ତି । ଏହାସହ ପୂର୍ବରୁ ପୁଅକୁ ମାରିଦେବାକୁ ଉକ୍ତ ପରିବାର ଧମକ ଦେଉଥିବା କଥା ମଧ୍ୟ ସେ କହିଛନ୍ତି । ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ବ୍ରହ୍ମଗିରି ପୋଲିସ୍ ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି । ଯୁବକଙ୍କ ମୃତଦେହ ନଛାଡିବାକୁ ଜିଦ୍ ଧରିଥିଲେ ପରିବାର ଲୋକେ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ପୋଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ତେବେ ଅଭିଯୁକ୍ତକୁ ଗିରଫ ନକରିବା ଯାଏ ଆନ୍ଦୋଳନ ଜାରି ରହିବାକୁ ଚେତାବନୀ ଦିଆଯାଇଛି ।
ନୃଶଂସ, ଅମାନୁଷିକ ଓ ଅମାନବୀୟ ଘଟଣା । ସାମାନ୍ୟ କଥା କଟାକଟିକୁ ନେଇ ଯୁବକଙ୍କୁ ପିଟିପିଟି ମାରିଦେଲେ ଦୁର୍ବୃତ୍ତ । ବୁଢୀ ମାଆ କୋଳରୁ ସବୁଦିନ ପାଇଁ ଛଡାଇ ନେଲେ ତା ଭେଣ୍ଡିଆ ପୁଅକୁ । ସତରେ ସ୍ଵାର୍ଥପର ଦୁନିଆରେ ପୋକ ମାଛି ଭଳି ମଣିଷ ମଣିଷର ଜୀବନ ନେଉଛି । ପ୍ରତିଦିନ ଘଟିଚାଲିଛି ଏଭଳି ଅପରାଧ । ଯାହା ଥମିବାର ନା ଧରୁନାହିଁ । ଏହି ଘଟଣାରେ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଧରି କଠୋର ରୁ କଠୋର ଦଣ୍ଡ ଦେବାକୁ ଦାବି ଯୋର୍ ଧରିଛି ।
ଆହୁରି ପଢନ୍ତୁ: ପ୍ରେମିକକୁ ଅପହରଣ କଲା ପ୍ରେମିକା, ଅଭିଯୁକ୍ତଙ୍କ ଠାରୁ ୨ ଟି କାର ଓ ୪ଟି ମୋବାଇଲ ଜବତ