ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ମାରି ଦେଲେ, ସିସିଟିଭିରେ ହତ୍ୟାକାଣ୍ଡର ଭିଡିଓ କଏଦ୍

ବାପାର କାନ୍ଦ ଦେଖିଲେ ଆପଣ ବି କିଛି ସମୟ ସ୍ତବଧ ହୋଇଯିବେ । ପେସାରେ ଜଣେ ଡ୍ରାଇଭର । କାନ୍ଦି କାନ୍ଦି କହୁଥାନ୍ତି, ମୋର ଗୋଟିଏ ବୋଲି ପୁଅ । ତାକୁ ପାଠଶାଠ ପଢ଼େଇ ଏତେ ବଡ଼ କରିଥିଲି । ବିଚ୍ ରାସ୍ତାରେ ତା’ ଜୀବନ ନେଇଗଲେ । ମୋତେ ନ୍ୟାୟ ଦରକାର । ଏମିତି କହି ଭୋ ଭୋ ହୋଇ କାନ୍ଦୁଛି ଏ ବାପା ଜଣକ । କଣ ବା କରିପାରିବେ ? କେମିତି ଧୈର୍ଯ୍ୟ ଧରି ରହିବେ । ଭେଣ୍ଡିଆ ପୁଅଟା ସବୁଦିନ ପାଇଁ ଚାଲି ଯାଇଛି ।

ହଁ ଆଜ୍ଞା, ରାତି ପ୍ରାୟ ପାଖାପାଖି ୧୦ଟା ହେବ । ପୁଅର ସାଙ୍ଗମାନେ କଲ୍ କରିଥିଲେ ତମ ପୁଅକୁ କିଏ ଛୁରାମାଡ଼ କରି ଦେଇଛି । ଜଲଦି ଆସି ପୁଅକୁ ବଞ୍ଚାଅ । ଏତିକି କଥା ଶୁଣି ବାପ ପାଦ ତଳୁ ମାଟି ଖସି ଯାଇଥିଲା ସେ ତୁରନ୍ତ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦେଖିଲା ବେଳକୁ ପୁଅ ଦେହରେ ଆଉ ଜୀବନ ନାହିଁ ।

ତେବେ ରାଉରକେଲା ଛେଣ୍ଡରେ ଆଖଡ଼ା ଶୋଭାଯାତ୍ରା ଚାଲିଥିବା ବେଳେ ଘଟିଲା ଏହି ଆକ୍ରମଣ ଘଟଣା । ଜନଗହଳି ପୂର୍ଣ୍ଣ ଛେଣ୍ଡ ଭିଏସଏସ ମାର୍କେଟରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି । ନିର୍ଦ୍ଧୁମ ମାଡ଼ ମାରି ମାରଣାସ୍ତ୍ରରେ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ତେବେ ହତ୍ୟା ବେଳର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଛେଣ୍ଡ କଲୋନୀର ଭିଏସ୍ଏସ୍ ମାର୍କେଟରେ ବୁଧବାର ରାତି ପ୍ରାୟ ୯ଟା ୩୦ ସମୟରେ ଦୁଇ ଜଣ ଯୁବକଙ୍କୁ ମାରଣାସ୍ତ୍ରରେ ମିଳିତ ଭାବେ ଗୋଟିଏ ଗୋଷ୍ଠୀର ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ କଳିଙ୍ଗ ବିହାର ଅଞ୍ଚଳର ମୁକେଶ କରଙ୍କ ମୃତ୍ୟୁ ହୋଇଥିବା ବେଳେ ଋଷି ପ୍ରସାଦ ଗୁରୁତର ଅବସ୍ଥାରେ ଘରୋଇ ଡକ୍ତରଖାନାରେ ଚିକତ୍ସିତ ହେଉଛନ୍ତି ।

ମୁକେଶ ଓ ଋଷିଙ୍କ ବନ୍ଧୁଙ୍କ ସହିତ ମାଲଗୋଦାମ ଅଞ୍ଚଳର କିଛି ଯୁବକଙ୍କ ସହିତ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା । ଏହାର ପ୍ରତିଶୋଧ ନେବା ଲାଗି ବୁଧବାର ରାତିରେ ମାଲଗୋଦାମ ଅଞ୍ଚଳରୁ କେତେକ ଯୁବକ ଛେଣ୍ଡ ଭିଏସ୍ଏସ୍ ମାର୍କେଟ୍କୁ ଆସି ଦୁଇ ଯୁବକଙ୍କ ବନ୍ଧୁଙ୍କୁ ଡାକିଥିଲେ । ଆଉ ମାଲଗୋଦାମରୁ ଆସିଥିବା ଯୁବକମାନେ ମାରଣାସ୍ତ୍ର ବାହାର କରି ମୁକେଶ ଓ ଋଷିକୁ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ମୁକେଶ କରଙ୍କ ଜୀବନ ଚାଲିଗଲା । ବୁଧବାର ସନ୍ଧ୍ୟାରେ ଆଖଡ଼ା ଶୋଭାଯାତ୍ରା ଚାଲିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଯଥେଷ୍ଟ ପରିମାଣରେ ପୋଲିସ୍ ଫୋର୍ସ ମୁତୟନ ହୋଇଥିଲା । ତେଣୁ ଏତେ ସଂଖ୍ୟକ ପୋଲିସ୍ ଥିବା ବେଳେ ତାଙ୍କରି ଉପସ୍ଥିତିରେ ବଡ଼ ଘଟଣା ଘଟିଗଲା । ତେଣୁ ପୋଲିସ ଉପରେ ଦୋଷାରୋପ କରିଛନ୍ତି ମୃତକଙ୍କ ପରିବାର । ଦୋଷୀଙ୍କୁ ଦଣ୍ଡିତ କରିବା ପାଇଁ ଦାବି କରିଛନ୍ତି ମୃତକଙ୍କ ବାପା ଓ ଭାଇ।

Also read:ହରିୟାଣା ସରକାର ଦେଇଥିଲେ ତିନୋଟି ଅଫର, ୪ କୋଟି ନଗଦ ଟଙ୍କାର ପୁରସ୍କାର ବାଛିଲେ ଭିନେଶ