ବଦଳିଗଲା ସମୟ, ଦାଦନରୁ ଏବେ ସିଧା ଡାକ୍ତରୀ ଛାତ୍ର

କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଗରିବୀ । ଅଦମ୍ୟ ଆତ୍ମବିଶ୍ୱାସ ଆଗରେ ହାର ମାନିଲା ସବୁ ପ୍ରତିବନ୍ଧକ । ଦାଦନରୁ ସିଧା ହେଲେ ଡାକ୍ତରୀ ଛାତ୍ର । ଯାହା ସମ୍ଭବ କରି ଦେଖାଇଛନ୍ତି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଥୁଆପାଡି ଗ୍ରାମର କୃଷଚନ୍ଦ୍ର ଅଟକା ।

କଳାହାଣ୍ଡି(କେନ୍ୟୁଜ):  କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଗରିବୀ ।  ଅଦମ୍ୟ ଆତ୍ମବିଶ୍ୱାସ ଆଗରେ ହାର ମାନିଲା ସବୁ ପ୍ରତିବନ୍ଧକ । ଦାଦନରୁ ସିଧା ହେଲେ ଡାକ୍ତରୀ ଛାତ୍ର । ଯାହା ସମ୍ଭବ କରି ଦେଖାଇଛନ୍ତି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଥୁଆପାଡି ଗ୍ରାମର କୃଷଚନ୍ଦ୍ର ଅଟକା । ଟଙ୍କା ଅଭାବରୁ ପାଠ ପଢ଼ାରୁ ବଂଚିତ ହୋଇ ପରିବାର ଗୁଜୁରାଣ ପାଇଁ ଦାଦନ ଖଟିବାକୁ ପଳାଇଯାଇଥିଲେ କେରଳ। ସେଠାରେ ଇଟା ଭାଟି ଓ ପରେ ଦିଆସିଲି କାରଖାନାରେ କାମ କରି ଯାହା ରୋଜଗାର କରୁଥିଲେ ତାକୁ ଘର ଚଳିବା ପାଇଁ ପଠାଉଥିଲେ । ହେଲେ କଥାରେ ଅଛି ନା ଭଗବାନଙ୍କ ଘରେ ଡେରି ହୋଇପାରେ, ହେଲେ କେବେ ଅନ୍ଧାର ନଥାଏ । ଆଜି ପୁଣି ନୂତନ ଆଶାର ଆଲୋକ ସଞ୍ଚାର ହୋଇଛି କୃଷଚନ୍ଦ୍ରଙ୍କ ଜୀବନରେ ।

କୃଷଚନ୍ଦ୍ରଙ୍କ ୪ ଭାଇ ଓ ଗୋଟେ ଭଉଣୀ । ତେବେ ବାପା, ସ୍ତ୍ରୀ ଓ ଗୋଟିଏ ପୁଅ ଓ ଗୋଟେ ଝିଅ ଏବେ ତାଙ୍କ ଦାୟିତ୍ୱରେ। ପରିବାରର ବୋଝ ନେଇ ଗୋଟଏ ପଟେ କେରଳ ରେ କାମ କରୁଥିବାବେଳେ ଅନ୍ୟ ପଟେ ନିଟ୍ ପାଇଁ ପ୍ରସ୍ତୁତ ହେଉଥାନ୍ତି । ଡାକ୍ତରୀ ପଢିବାର ଦୃଢ଼ ଇଛାଶକ୍ତି ଏଭଳି ଥିଲା ଯେ ଶେଷରେ ହାର ମାନିଲା ଅର୍ଥର ଅଭାବ । ଏବେ ନିଟରେ ସେ କୃତକାର୍ଯ୍ୟ ହେବା ପରେ କଳାହାଣ୍ଡି ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ନାମ ଲେଖାଇ ଡାକ୍ତରୀ ପାଠ ପଢିବା ପାଇଁ ସୁଯୋଗ ପାଇଛନ୍ତି । ତେବେ କୃତକାର୍ଯ୍ୟ ହେବାପରେ ବି ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା ।

ହେଲେ ଭଗବାନଙ୍କ ଇଚ୍ଛା ଥିଲା ସେ ସମାଜର ମଙ୍ଗଳ ପାଇଁ ଲୋକଙ୍କୁ ସେବା ଯୋଗାଇ ଦିଅନ୍ତୁ । ତେଣୁ ତାଙ୍କୁ ସେହି ଗାଁର ସମାଜସେବୀ ନୀଳମାଧବ ହିକକା ବେବଦୂତ ସାଜି ବିନା ସୁଧରେ ୩୮ ହଜାର ଟଙ୍କା ନାମ ଲେଖା ପାଇଁ ସହଯୋଗ କରିଛନ୍ତି। ଏହାପରେ ସେ ଏବେ କଲେଜରେ ନାମ ଲେଖାଇବା ସହିତ ଡାକ୍ତର ହୋଇ ଗରିବ ଓ ଆଦିବାସୀଙ୍କୁ ମାଗଣା ଚିକିତ୍ସା ଯୋଗାଇବେ ବୋଲି କହିଛନ୍ତି ।

ଏପଟେ କୃଷଚନ୍ଦ୍ର ଅଟକା ୨୦୦୬ ରେ ଆମ୍ବାଦୋଲା ସରକାରୀ ହାଇସ୍କୁଲରୁ ମାଟ୍ରିକ ପାସ୍ କରିବାପରେ ୨୦୦୮ରେ ବ୍ରହ୍ମପୁର ଖଲ୍ଲିକୋଟ ଜୁନିୟର ସାଇନ୍ସ କଲେଜରେ ଯୁକ୍ତ ଦୁଇ ପାସ କରିଥିଲେ । ଘରର ଆର୍ଥିକ ଅବସ୍ଥା ଠିକ ନଥିବାରୁ ୨୦୧୨ରେ ସେ କେରଳ ରାଜ୍ୟର ପେରାମ୍ବରମ ନିକଟ ଆଲୁଆକୁ ଯାଇ ସେଠାରେ ଇଟାଭାଟି ଶ୍ରମିକ ଭାବରେ କାମ କରୁଥିଲେ । ପରେ କଟାୟମ ଠାରେ ଏକ ଦିଆସିଲି କାରଖାନାରେ ଶ୍ରମିକ ଭାବରେ କାମ କରିଆସୁଥିଲେ ।

ତେବେ ଏହାରି ଭିତରେ ଭଗବାନ ତାଙ୍କ ଗାହାରୀ ଶୁଣିଲେ ଏବଂ ଡାକ୍ତରୀ ପଢିବା ପାଇଁ ସେ ସୁଯୋଗ ପାଇଲେ। ତେବେ ବର୍ତ୍ତମାନ ତାଙ୍କ ପାଖରେ ପଢିବା ପାଇଁ ବହି ନାହିଁ କି କଲେଜ ଫିସ୍ ଦେବା ପାଇଁ ଟଙ୍କା ନାହିଁ  । ତେଣୁ  ତାଙ୍କୁ କିଛି ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ସେ ନିବେଦନ କରିଛନ୍ତି ।