ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ ; ଥାନାରେ ବାପା ପୁଅ ଅଟକ

ଭାଇ ପାଇଁ ଭାଇ ଆଖିରୁ ଝରିଯାଉଛି ଧାର ଧାର ଲୁହ । କେଇଦିନ ତଳେ ମା’ ଚାଲିଯାଇଥିଲା ଆଉ ଏବେ ଭାଇ ଚାଲିଗଲା । ମୋ ଭାଇ ମୋ ମେରୁଦଣ୍ଡ ଥିଲା … ମା ଚାଲିଯିବା ଯିବା ପରେ ରୋଜଗାରିଆ ଭାଇ ହିଁ ପରିବାର ଚଳାଉଥିଲା । ଆଜି ମୋ ମେରୁଦଣ୍ଡ ଭାଙ୍ଗିଗଲା । ଦୋଷୀକୁ ଦଣ୍ଡ ଦିଆଯାଉ…ଆମକୁ ନ୍ୟାୟ ମିଳୁ …
ବ୍ରହ୍ମପୁର ବଡ଼ ବଜାର ଥାନା ଜେନା ସାହିରେ ଚାଲିଥିବା ବେଲଗାଁ ଦଣ୍ଡନାଚ ଯାତ୍ରାରେ ଅଘଟଣ ଘଟିଯାଇଛି । ଛୁରାମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ । ଜେନା ସାହିରେ ଚାଲିଥିବା ବେଲଗାଁ ଦଣ୍ଡ ନାଚ ଯାତ୍ରାରେ ଯାତ୍ରା ଅଧିକାରୀଙ୍କ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବେଲଗାଁ ଅଞ୍ଚଳର ଜଗଦୀଶ ପାଣିଗ୍ରାହୀ । ଜଗଦୀଶ ପୂର୍ବରୁ ଏହି ଦଣ୍ଡନାଚରେ କାମ କରୁଥିଲେ । ରବିବାରରାତିରେ କୈାଣସି ଏକ କାରଣକୁ ନେଇ ଯାତ୍ରା ଅଧିକାରୀ ତ୍ରିନାଥ ପାଣିଗ୍ରାହୀ ଓ ତାଙ୍କ ପୁଅଙ୍କ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଜଗଦୀଶଙ୍କ ବଚସା ହୋଇଥିଲା । ପରେ ବାପା ଓ ପୁଅ ଜଗଦୀଶଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ।
ଛୁରାମାଡ଼ରେ ଜଗଦୀଶଙ୍କ ବେକରୁ ମାତ୍ରାଧିକ ରକ୍ତସ୍ରାବ ହୋଇଥିଲା । ପରେ ଗୁରୁତର ଅବସ୍ଥାରେ ଜଗଦୀଶ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳ ଓ ମେଡ଼ିକାଲରେ ପହଞ୍ଚି ତଦନ୍ତ କରୁଛନ୍ତି । ଥାନା ଅଧିକାରୀ ବାବା ଶଙ୍କର ସରଫ ଘଟଣା ସ୍ଥଳରୁ ଆକ୍ରମଣକାରୀ ବାପା ଓ ପୁଅକୁ କାବୁ କରିଛନ୍ତି । ବର୍ତ୍ତମାନ ଥାନାରେ ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି l ସେପଟେ ଘଟଣାସ୍ଥଳରେ ବ୍ରହ୍ମପୁର ଏସପି ପହଞ୍ଚି ତଦନ୍ତ କରିଥିବା ବେଳେ ଷ୍ଟେଜ ପକ୍କାକୁ ନେଇ ଗଣ୍ଡଗୋଳ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପପିଢ଼ିଥିବା ଏସପି କହିଛନ୍ତି l