ଦିନରେ ଶିକ୍ଷକ ରାତିରେ କୁଲି କାମ କରୁଛନ୍ତି ସିଏଚ୍. ନାଗେସୁ ପାତ୍ର, ନିଜ ପିଲା ବେଳର କଷ୍ଟକୁ ଭୁଲି ନାହାନ୍ତି ଏ ଯୁବକ

ବ୍ରହ୍ମପୁର (କେନ୍ୟୁଜ୍‌) : ସେ ଏମିତି ଜଣେ ଯୁବକ ତାଙ୍କ କାମ ଦେଖିଲେ ଆପଣଙ୍କ ମୁହଁରୁ ବାଃ ସାବାସ୍‌ ବୋଲି ବାହାରି ପଡ଼ିବ । ଦିନରେ ଗରିବ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ଆଉ ନିଜେ ପେଟ ପୋଷିବା ପାଇଁ ରାତିରେ କୁଲି ମଜୁରୀ କରୁଛନ୍ତି ।

ବ୍ରହ୍ମପୁର ରେଳ ଷ୍ଟେସନର ୩୫ ନମ୍ବର ହେଉଛନ୍ତି କୁଲି ସିଏଚ୍. ନାଗେସୁ ପାତ୍ର । ପିଲାଟି ଦିନରୁ ପାଠ ପ୍ରତି ତାଙ୍କର ପ୍ରବଳ ଦୁର୍ବଳତା ଥିଲା ହେଲେ ଆର୍ଥିକ ସ୍ଥିତି ଭଲ ନଥିବାରୁ ପାଠ ପଢ଼ିବା ପାଇଁ ସୁବିଧା ପାଇଲେ ନାହିଁ । ଯେତେବେଳେ ସେ ବଡ ହେଲେ ଘରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ରେଳ ଷ୍ଟେସରେ କୁଲି କାମ ବାଛି ନେଲେ । ହେଲେ ପାଠପଢା ବି ଜାରି ରଖିଲେ । ପାଠ ପଢ଼ିବା ସହ ଅନ୍ୟକୁ ପଢ଼ାଇବା ହେଉଛି ତାଙ୍କ ନିଶା । ନାଗେସୁଙ୍କ ଘର ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଳକ ମନୋହର ଗାଁରେ । ପୁଅର କର୍ତ୍ତବ୍ୟ କରି ବାପା ଓ ମା’ଙ୍କୁ ସୁଖଦ ଜୀବନ ଦେବାକୁ ଚାହାନ୍ତି ।

ନାଗେସୁଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ପୁଅକୁ ପାଠ ପଢ଼ାଇ ପାରି ନଥିଲେ । ଅଭାବ ଏତେ ଥିଲା ଯେ, ନାଗେସୁ ୨୦୦୬ ମସିହାରେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଆଧାରୁ ପାଠ ଛାଡ଼ିଲେ । ଆଉ ୨୦୦୭ରେ ସୁରଟକୁ ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ଯିବାକୁ ପଡିଲା । ସେଠାରେ ଏକ ସୂତାକଳ କମ୍ପାନୀରେ ଦୁଇ ବର୍ଷ ରହି କାମ କରିବା ପରେ ପୁଣି ଘରକୁ ଫେରି ଆସିଲେ । ଏଠି କିଛି କାମ ମିଳିଲାନି ବୋଲି ପୁଣି ୨୦୦୯ ମସିହାରେ ହାଇଦ୍ରାବାଦକୁ ଯାଇ ସେଠାରେ ଏକ ସପିଂ ମଲରେ ସେଲସ୍ ମ୍ଯାନ ଭାବେ କାମ କଲେ । ସେଠି ଦୁଇ ବର୍ଷ ରହିବା ପରେ ବାପା ମାଆଙ୍କ ଦେଖାଶୁଣା କରିବା ପାଇଁ ୨୦୧୧ରେ ନିଜ ମାଟିକୁ ଫେରି ଆସିଲେ। ସେହି ସମୟରେ ରେଲେଓ୍ଵରେ କୁଲି କାମ ଲାଗି ବିଜ୍ଞପ୍ତି ବାହାରିଥିଲା, ନାଗେସୁ କାହାକୁ କିଛି ନକହି ଆବେଦନ କରବା ପାଇଁ ବ୍ରହ୍ମପୁରକୁ ଚାଲି ଆସିଲେ । ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ରେଳବାଇରେ ମିଳିଗଲା କୁଲି କାମ । ୨୦୧୧ ମସିହା ଡିସେମ୍ବରରୁ କାମ ଆରମ୍ଭ କରିଥିଲେ ନାଗେସୁ ।

nageshu 1

କାମ ସିନା କରୁଥଲେ ବାପା ମାଆଙ୍କୁ ପୋଷିବା ପାଇଁ ହେଲେ ମନରେ ଥିଲା ଗୋଟିଏ କଥା କେମିତି ଦଶମଟା ପାସ୍ କରିବେ । କଥାରେ ପରା ଅଛି ଇଚ୍ଛା ଯଦି ଦୃଢ଼ ହୁଏ ତେବେ ଈଶ୍ୱର ବି ତାକୁ ପୂରଣ କରନ୍ତି । ୨୦୧୨ରେ ନାଗେସୁ ଦଶମ ଶ୍ରେଣୀରେ ପୁଣି ନାଁ ଲେଖାଇଲେ । ପରୀକ୍ଷା ଦେଲେ ଆଉ ପାସ୍ ବି ହେଲେ । ତାପରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପଢିଲେ । ନିଜେ ନିଜ ରୋଜଗାରରେ ପାଠ ପଢିଲେ । ପୁଣି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗରେ ପିଜି ପାଠ ଶେଷ କଲେ । ରାତିରେ ସମସ୍ତେ ଶୋଇ ସ୍ୱପ୍ନ ଦେଖୁଥିବା ବେଳେ ନାଗେସୁ ଯାତ୍ରୀଙ୍କ ବୋଝ ଉଠାଇ ନିଜ ସ୍ବପ୍ନକୁ ଶକ୍ତ କରୁଥିଲେ । ପାଠ ପଢିବାର ନିଶା ଏବେବି ତାଙ୍କର ଯାଇ ନାହିଁ । ବର୍ତ୍ତମାନ ସେ ବିଇଡି କରୁଛନ୍ତି ।

ସମୟ ଯେତେ ପରୀକ୍ଷା ନିଏ, ସେ ପରୀକ୍ଷା ଟିକେ କଡା ଥାଏ । ଠିକ୍ ସେମିତି ପରୀକ୍ଷା ଦେବାକୁ ପଡ଼ିଲା ନାଗେସୁଙ୍କୁ । କରୋନା ସମୟରେ ଟ୍ରେନ ଚଳାଚଳ ଦୀର୍ଘ ମାସ ଧରି ବନ୍ଦ ହୋଇଗଲା । ରୋଜଗାର କିଛି ବି ନଥିଲା । ଦିନରେ ସିନା ସେ ନିଜ ପାଇଁ ପାଠ ପଢୁଥିଲେ ହେଲେ ରାତିରେ କିଛି କାମ କରିବାକୁ ଚାହୁଁ ଥିଲେ । ଆଉ ଏହି ସମୟରେ ବ୍ରହ୍ମପୁର ଉପକଣ୍ଠ କନିଷି ନିକଟରେ ସେ ଗରିବ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ଆରମ୍ଭ କଲେ । ତା ସହିତ ଏକ ଘରୋଇ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ମଧ୍ୟ ପାଠ ପଢ଼ାଇଲେ ।

ରାତି ୮ଟା ଠାରୁ ସକାଳ ୭ଟା ପର୍ଯ୍ଯନ୍ତ ରେଳ ଷ୍ଟେସନରେ କୁଲି କାମ କରୁଛନ୍ତି । ସକାଳ ସମୟରେ ଘରୋଇ କଲେଜରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହିତ ଅପରାହ୍ନରେ ଗରିବ ଛାତ୍ରଛାତ୍ରୀଙ୍କୁ ମଗଣାରେ ଶିକ୍ଷାଦାନ କରୁଛନ୍ତି ନାଗେସୁ । ହେଲେ ଏସବୁ ପରେ ବି କୁଲି କାମ ଜାରି ରଖିଛନ୍ତି ।

କେମିତି ଏସବୁ ସମ୍ଭବ ହେଉଛି ପଚାରିବାରୁ ସେ କହିଲେ ପ୍ରତିଦିନ ରାତି ଠିକ ୮ଟା ସମୟରେ ରେଳ ଷ୍ଟେସନରେ ପହଞ୍ଚି ଯାଏ। ଯେଉଁ ଟ୍ରେନ ଆସେ ସେଠାରୁ ବାହାରୁଥିବା ଯାତ୍ରୀଙ୍କ ବସ୍ତା ଓ ଲଗେଜ୍ ବୁହେ । ଆହୁରି ମଧ୍ୟ ସହକର୍ମୀଙ୍କୁ କେମିତି ନିୟମିତ କରିବେ ସେନେଇ ମଧ୍ୟ ପ୍ରୟାସ କରୁଛନ୍ତି । ପୂର୍ବରୁ ଯେଭଳି ରେଳ ବିଭାଗ କୁଲିମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା ସହିଭଳି ସମସ୍ତଙ୍କୁ ନିଯୁକ୍ତି ଦେବା ଲାଗି ନାଗେସୁ ନିବେଦନ କରିଛନ୍ତି ।

ଏଭଳି ଜଣେ ଉଚ୍ଚଶିକ୍ଷିତ କୁଲିକୁ ନିଜ ଗହଣରେ ପାଇ ସହକର୍ମୀମାନେ ଗର୍ବ କରୁଛନ୍ତି । ଆଉ ଡାକୁଛନ୍ତି କୁଲି ନମ୍ବର୍ ୱାନ । ଏଥିରେ ରେଳ ବିଭାଗ ଅଥବା କେନ୍ଦ୍ର ସରକାର ନାଗେସୁଙ୍କ ନିଷ୍ଠା ଦେଖିବାର କଥା । ତାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଉଚିତ । ସିଏଚ୍. ନାଗେସୁ ରାତିରେ କୁଲି ଓ ସକାଳ ଗରିବର ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିବା ବେଳେ ତାଙ୍କର ଏଭଳି କାର୍ଯ୍ଯକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ଶିକ୍ଷାର ମୂଲ୍ୟ ଠିକ୍‌ ବୁଝିଛନ୍ତି ଏହି ଯୁବକ । ଆଉ ଏହା ସହିତ ଦେଖାଇ ଦେଇଛନ୍ତି ଯେ ପେଟ ପାଇଁ କରିବାକୁ ହେଲେ କୌଣସି କାମ ଛୋଟ ନୁହେଁ । ତେବେ ଏସବୁ ସହିତ ସବୁଠାରୁ ବଡ଼ କଥା ହେଉଛି ପିଲା ବେଳେ ପାଠ ପଢ଼ି ନପାରିବାର ଦୁଃଖକୁ ସେ ବୁଝିଛନ୍ତି । ସେଥିଲାଗି ନିଜର ଦାରିଦ୍ର୍ୟ ଓ ସମସ୍ୟା ସତ୍ତ୍ୱେ ନାଗେସୁ ଗରିବ ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ।

ମାନସ ବିଷୋୟୀ, ବ୍ରହ୍ମପୁର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.