ପ୍ୟାରିସ୍‍ ଅଲିମ୍ପିକ୍ସ: ତ୍ରିରଙ୍ଗା ଥିନ କୁର୍ତ୍ତା ଓ ଶାଢ଼ୀରେ ନଜର ଆସିଲେ ଭାରତୀୟ ଖେଳାଳି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ୟାରିସ ଅଲିମ୍ପିକ୍ସରେ ଆଜିଠୁ ଭାରତର ଅଭିଯାନ ଆରମ୍ଭ । ତ୍ରିରଙ୍ଗା ଥିନ କୁର୍ତା ଓ ଶାଢ଼ୀରେ ନଜର ଆସିଲେ ଭାରତୀୟ ଖେଳାଳି । ଆଜି ୧୬ କ୍ରୀଡ଼ାର ୬୯ ମେଡାଲ ଇଭେଣ୍ଟରେ ଦମ ଦେଖାଇବ ୧୧୭ ଜଣିଆ ଭାରତୀୟ ଦଳ । ଏନେଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ପ୍ରଥମ ଦିନରେ ହକି, ସୁଟିଂ, ଟେନିସ, ଟେବୁଲ ଟେନିସ,ବକ୍ସିଂ, ରୋଇଂ ଓ ବ୍ୟାଡମିଣ୍ଟନରେ ଭାଗ୍ୟ ପରୀକ୍ଷା କରିବେ ଭାରତୀୟ ଆଥଲେଟ୍ । ଆଜି ୧୦ ମିଟର୍ ଏୟାର ରାଇଫଲ ଦଳଗତ ଓ ବ୍ୟକ୍ତିଗତ ଇଭେଣ୍ଟରେ ପଦକ ପାଇଁ ଲଢେଇ କରିବ ଭାରତ । ଗତ ଅଲିମ୍ପିକ୍ସରେ ମେଡାଲରୁ ଅଳ୍ପକେ ବଞ୍ଚିତ ହୋଇଥିବା ଭାରତୀୟ ସୁଟର୍ ମନୁ ଭାକରଙ୍କ ଉପରେ ସାରା ଦେଶର ନଜର ରହିଛି । ମନୁ ଭାକର ୨ଟି ବ୍ୟକ୍ତିଗତ ଇଭେଣ୍ଟରେ ପ୍ରତିଦ୍ବନ୍ଦିତା କରିବେ । ସେହିଭଳି ବ୍ୟକ୍ତିଗତ ଇଭେଣ୍ଟରେ ମଇଦାନକୁ ଓହ୍ଲାଇବେ କମନୱେଲଥ ଗୋଲ୍ଡ ବିଜେତା ବ୍ୟାଡମିଣ୍ଟନ୍ ଷ୍ଟାର୍ ଲକ୍ଷ୍ୟ ସେନ୍ । ବ୍ୟାଡମିଣ୍ଟମନରେ ମହିଳା ଡବଲ୍ସ ଓ ପୁରୁଷ ଡବଲ୍ସରେ ଭାରତୀୟ ସଟଲର ଲଢେଇ କରିବେ । ଗତ ଟୋକିଓ ଅଲିମ୍ପିକ୍ସରେ ଭାରତ ଜିତିଥିଲା ୭ଟି ମେଡାଲ୍ । ଏଥରକ ଭାରତୀୟ ଆଥଲେଟଙ୍କ ଠାକୁ ଅଧିକ ପଦକ ଆଶା କରାଯାଉଛି ।

ଗତକାଲି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି ପ୍ୟାରିସ ଅଲିମ୍ପିକ୍ସ । ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଦେଖିଲା ନୂଆ ଉଦଘାଟନୀ ଉତ୍ସବ । ଯାହା ପୂର୍ବରୁ କେବେ କି ଦେଖିବାକୁ ମିଳିନଥିଲା । ଏଥର ପାରମ୍ପରିକ ଭାବେ ଷ୍ଟାଡିୟମରେ ନୁହେଁ, ନଦୀରେ ହେଲା ଉଦଘାଟନୀ ଉତ୍ସବ । ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ସଭାପତି ଥୋମାସ ବାକଙ୍କ ଉପସ୍ଥିତିରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହି ବିଶ୍ବ କ୍ରୀଡା ମହୋତ୍ସବର ଉଦଘାଟନ କରିଛନ୍ତି । ୧୦୦ ବର୍ଷ ପରେ ପୁଣିଥରେ ପ୍ୟାରିସକୁ ଅଲମ୍ପିକ୍ସ ଫେରିଥିବା ବେଳେ ଚଳିତଥର ଏକ ନିଆରା ଉଦଘାଟନୀ ଉତ୍ସବ ଦେଖିବାକୁ ମିଳିଛି। ଫ୍ରାନ୍ସ କ୍ୟାପିଟାଲ ପ୍ୟାରିସରେ ଫ୍ଲୋଟିଂ ପରେଡ୍ ଦେଖିଲା ବିଶ୍ବ । ନୃତ୍ୟ, ସଙ୍ଗୀତ, କଳାକାରଙ୍କ କୋଳାହଳ ଓ ହଜାର ହଜାର ପ୍ରଶଂସକ ଉପସ୍ଥିତି ଏହି ଉଦଘାଟନୀ ଉତ୍ସବକୁ ବେଶ ସ୍ମରଣୀୟ କରିପାରିଛି। ପ୍ରାୟ ୩ଘଣ୍ଟା ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫରାସୀ ବିପ୍ଲବ, ଐତିହ୍ୟ ପରମ୍ପରା, ଭାସ୍କର୍ଯ୍ୟ ଓ କାରୁ କାରୁକାର୍ଯ୍ୟର ସଙ୍ଗମ ଦେଖିବାକୁ ମିଳିଛି। ୨୦୧୭ରେ ଆୟୋଜନର ଅଧିକାର ପାଇବା ପରେ ଫ୍ରାନ୍ସ ଶତାବ୍ଦୀର ପ୍ରଥମ ଓ ମୋଟ ତୃତୀୟ ଥର ଲାଗି ଅଲିମ୍ପିକ୍ସକୁ ସଫଳତାର ରୂପ ଦେବାକୁ ଉଦ୍ୟମ କରିଛି । ଏହି ମହାଆଡମ୍ବର ପୂର୍ଣ୍ଣ ଉଦଘାଟନୀ ଉତ୍ସବ ଦେଖିବାକୁ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ୍ବ ଦର୍ଶକ ଉପସ୍ଥିତ ରହିଥିଲେ।

You might also like