କିଟ୍ ରେ ୧୫ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ଉଦ୍ଘାଟିତ
ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ୧୫ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ଆଜି ଉଦ୍ଘାଟିତ ହୋଇଯାଇଛି । ସର୍ବଭାରତୀୟ ଚେସ୍ ସଂଘ (ଏଆଇସିଏଫ୍) ମିଳିତ ସହଯୋଗରେ ଆୟୋଜିତ ଏହି ମହୋତ୍ସବକୁ କିଟ୍ ପରିସରରେ ଥିବା ବିଶ୍ୱନାଥନ୍ ଆନନ୍ଦ ଅନ୍ତର୍ଜାତୀୟ ଚେସ୍ ହଲରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର କ୍ରୀଡ଼ା ଯୁଗ୍ମ ସମ୍ପାଦକ ପ୍ରଫେସର ବଲଜିତ୍ ସିଂହ ଶେଖାଓଁ, ଓଡ଼ିଶା ଚେସ୍ ସଂଘର ସଭାପତି ଜି ସି ମହାପାତ୍ର, ଟୁର୍ଣ୍ଣମେଣ୍ଟ ନିର୍ଦ୍ଦେଶକ ଆଇଏମ୍ ଶେଖର ସାହୁ, ଏଆଇସିଏଫ୍ ସଦସ୍ୟ ରଞ୍ଜନ ମହାନ୍ତି, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶଙ୍କ ଉପସ୍ଥିତିରେ ଏଆଇସିଏଫ୍ ଉପସଭାପତି ଗ୍ରାଣ୍ଡ ମାଷ୍ଟର ଦିବ୍ୟେନ୍ଦୁ ବରୁଆ ଉଦ୍ଘାଟନ କରିଥିଲେ । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବ ‘ଏ’, ‘ବି’ ଓ ‘ସି’ ତିନିଟି କ୍ୟାଟେଗୋରୀରେ ଖେଳାଯିବ ।
ପ୍ରଥମ ଥର ଲାଗି ଭାରତରେ ଏଭଳି ସମାନ୍ତରାଳ ଭାବେ ତିନିଟି ବର୍ଗରେ ଅନ୍ତର୍ଜାତୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ହେଉଛି । ‘ଏ’ କ୍ୟାଟେଗୋରୀରେ ସବୁ ବର୍ଗର ଖେଳାଳି ଖେଳି ପାରିବେ । ଏଥିରେ ମୋଟ ପୁରସ୍କାର ରାଶି ୩୦ ଲକ୍ଷ ଟଙ୍କା ରଖାଯାଇଛି । ‘ବି’ କ୍ୟାଟେଗୋରୀରେ ୧୯ଶହରୁ କମ୍ ବର୍ଗର ଖେଳାଳି ଖେଳିପାରିବେ ଏବଂ ଏଥିରେ ମୋଟ ପୁରସ୍କାର ରାଶି ୧୫ ଲକ୍ଷ ଟଙ୍କା ରହିଛି । କ୍ୟାଟେଗୋରୀ ‘ସି’ ଡିସେମ୍ବର ୬ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ୧୭ଶହରୁ କମ ବର୍ଗର ଖେଳାଳି ଖେଳି ପାରିବେ ।
ଏବଂ ଏଥିରେ ମୋଟ ପୁରସ୍କାର ରାଶି ୧୫ ଲକ୍ଷ ଟଙ୍କା ରହିଛି । କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବରେ ମୋଟ ଆର୍ଥିକ ପୁରସ୍କାର ୬୦ ଲକ୍ଷ ଟଙ୍କା ରହିଛି । ଏଥିରେ ବିଭିନ୍ନ ବର୍ଗରେ ମୋଟ ୪୩୬ଟି ପୁରସ୍କାର ରଖାଯାଇଛି । ଏହା ହେଉଛି ଭାରତରେ ସର୍ବାଧିକ ପୁରସ୍କାର ରହିଥିବା ଚେସ୍ ମହୋତ୍ସବ । ଏହି ମହୋତ୍ସବରେ ୩୦ରୁ ଊର୍ଦ୍ଧ୍ୱ ଦେଶରୁ ୧୨ଶହ ଖେଳାଳି ଯୋଗ ଦେଇଥିବା ବେଳେ ଏଥିରେ ୭୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଟାଇଟଲ୍ ହୋଲ୍ଡର ଅଂଶଗ୍ରହଣ କରିଛନ୍ତି । ଏହି ମହୋତ୍ସବରେ ସର୍ବନିମ୍ନ ୭ ବର୍ଷ ବୟସର ଖେଳାଳି ଅଂଶ ଗ୍ରହଣ କରିଥିବା ବେଳେ ସର୍ବାଧିକ ୯୧ବର୍ଷ ବୟସ୍କ ବ୍ୟକ୍ତି ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ଏହି ଅବସରରେ ଶ୍ରୀ ସାମନ୍ତ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।