୧୫ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ଉଦଯାପିତ
ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ୧୫ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ସର୍ବଭାରତୀୟ ଚେସ୍ ସଂଘ (ଏଆଇସିଏଫ୍) ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଜି ଉଦଯାପନୀ ଦିବସରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋଶ, ଗ୍ରାଣ୍ଡ ମାଷ୍ଟର ତଥା ଅର୍ଜ୍ଜୁନ ପୁରସ୍କାର ବିଜେତା ପ୍ରବୀଣ ଏମ ଥିପସାଏ , କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଏଆଇସିଏଫ୍ ସଦସ୍ୟ ରଞ୍ଜନ ମହାନ୍ତି, ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଆଇଏମ୍ ଶେଖର ସାହୁ,କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ଯୋଗ ଦେଇଥିଲେ ।
ଏହି ମହୋତ୍ସବ ରେ ‘ଏ’, ‘ବି’ ଓ ‘ସି’ ତିନୋଟି କ୍ୟାଟେଗୋରୀରେ ଖେଳାଯାଇଥିଲା । ଏହି ମହୋତ୍ସବରେ୨୦ରୁ ଊର୍ଦ୍ଧ୍ୱ ଦେଶରୁ ହଜାରେରୁ ଅଧିକ ଖେଳାଳି ଯୋଗ ଦେଇଥିଲେ । ଏଥିରେ ୭୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଟାଇଟଲ୍ ହୋଲ୍ଡର ଅଂଶଗ୍ରହଣ କରିଥିଲେ । ଏ କ୍ୟାଟେଗୋରୀର ବିଜେତା ରୁଷିଆର ଗ୍ରାଣ୍ଡ ମାଷ୍ଟର ସେଭାନଚେଙ୍କୋ ବୋରିସକୁ ପ୍ରଦାନ କରାଯାଇଥିଲା ୩ ଲକ୍ଷ ଟଙ୍କା । ପ୍ରଥମ ରନର୍ସ ଅପ୍ ହୋଇଥିବା ଭାରତର ଆଇଏମଆରନୋଏକ ଘୋଷଙ୍କୁ ପ୍ରଦାନ କରାଯାଇଥିଲା ଟ୍ରଫି ସହ ୨ଲକ୍ଷ ଟଙ୍କା ପୁରସ୍କାର ରାଶି ।
B କ୍ୟାଟେଗୋରୀରେ ଓଡିଶା କିସର ଛାତ୍ର ଫକିର ମାଝୀ ପ୍ରଥମ ସ୍ଥାନ, କିସ୍ ର ପୂର୍ବତନ ଛାତ୍ର ତପନ ବାଦାମୁଣ୍ଡି ୨ୟ ସ୍ଥାନ ଏବଂ KIIT ର ଚେସ କନସଲଟାଣ୍ଟ ଆଇଏମ ଶେଖର ଚନ୍ଦ୍ର ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। C କ୍ୟାଟେଗୋରୀ ରେ ଆନ୍ଧ୍ରପ୍ରଦେଶର ଶ୍ରୀବର୍ଦ୍ଧନ ରେଡ୍ଡୀ ଦେବରେଡି ଚାମ୍ପିୟନ ଟ୍ରଫି ସହ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇଥିଲେ। ଝାଡଖଣ୍ଡର ଅରିଜିତ ଘୋଷ ପ୍ରଥମ ରନର୍ସ ଅପ୍ ଟ୍ରଫି , ମହାରାଷ୍ଟ୍ରର ଗାଇଗୋର ସାନସ୍କାର ଦ୍ୱିତୀୟ ରନର୍ ଅପ୍ ଟ୍ରଫି ସହ ପୁରସ୍କାର ପାଇଥିଲେ ।
ଏହା ଭାରତରେ ସର୍ବାଧିକ ପୁରସ୍କାର ରହିଥିବା ଚେସ୍ ମହୋତ୍ସବ । ଏହି ଅବସରରେ ଶ୍ରୀ ସାମନ୍ତ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।…..କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବରେ ମୋଟ ଆର୍ଥିକ ପୁରସ୍କାର ୬୦ ଲକ୍ଷ ଟଙ୍କା ରହିଥିଲା । ଏ’ କ୍ୟାଟେଗୋରୀରେ ଏଥିରେ ମୋଟ ପୁରସ୍କାର ରାଶି ୩୦ ଲକ୍ଷ ଟଙ୍କା ରଖାଯାଇଥିଲା । ‘ବି’ ଓ ‘ସି’ କ୍ୟାଟେଗୋରୀରେ ରହିଥିଲା ୧୫ ଲକ୍ଷ ଟଙ୍କା ଲେଖାଁଏ ପୁରସ୍କାର ରାଶି ।