ରଣଜୀ ମ୍ୟାଚ୍ : ପ୍ରଥମ ପାଳିରେ ହରିଆଣା ୧୧୮ ରନରେ ଆଗୁଆ

ଭୁବନେଶ୍ବର (କେନ୍ୟୁଜ୍) : କିଟ୍ ଷ୍ଟାଡିୟମରେ ଖେଳା ଯାଉଥିବା ରଣଜୀ ଟ୍ରଫି ମ୍ୟାଚରେ ହରିଆଣା ୪୪୨ ରନରେ ଅଲଆଉଟ୍ । ଫଳରେ ପ୍ରଥମ ଇନିଂସରେ ଓଡ଼ିଶା ଠାରୁ ୧୧୮ ରନରେ ଆଗୁଆ ରହିଛି ଭ୍ରମଣକାରୀ ଦଳ । ଏହା ପରେ ଘରୋଇ ଟିମ୍ ଦ୍ବିତୀୟ ଇନିଂସରେ ବ୍ୟାଟିଂ ଆରମ୍ଭ କରିଛି । ୩ୟ ଦିବସ ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍ ହରାଇ ଓଡ଼ିଶା ୫୦ ରନ୍ କରିଛି । ଏବେ ଘରୋଇ ଦଳ ହରିଆଣାର ପ୍ରଥମ ଇନିଂସ ସ୍କୋର ଠାରୁ ୬୮ ରନ୍ ପଛରେ ଅଛି । ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଓପ୍ନର ଅନୁରାଗ ଷଡ଼ଙ୍ଗୀ ୧୭ ଏବଂ ଗୋବିନ୍ଦ ପୋଦ୍ଦାର ୨୨ ରନ୍ କରି ଅପରାଜିତ ଅଛନ୍ତି । ସନ୍ଦୀପ ପଟ୍ଟନାୟକ ୬ ରନ୍ କରି ଆଉଟ୍ ହୋଇଛନ୍ତି ।
ଗତକାଲି ୩ ୱିକେଟରେ ୨୩୯ ରନ୍ କରିଥିବା ହରିଆଣା ଆଜି ବାକି ୭ଟି ୱିକେଟ୍ ହରାଇ ଆଉ ୨୦୩ ରନ୍ ଯୋଡ଼ିଥିଲା । ଅପରାଜିତ ଥିବା ଶତକଧାରୀ ହିମାଂଶୁ ରାଣା ୧୬୪, ପ୍ରମୋଦ ଚାଣ୍ଡିଲା ୫୩, ହର୍ଷ ପଟେଲ ୭୨ ରନ୍ କରିଥିଲେ । ଓଡ଼ିଶା ତରଫରୁ ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି ଓ ଗୋବିନ୍ଦ ପୋଦ୍ଦାର ୨ଟି ଲେଖାଏଁ ଏବଂ ଦେବ୍ରତ ପ୍ରଧାନ ୩ଟି ୱିକେଟ୍ ଦଖଲ କରିଥିଲେ । ଆସନ୍ତାକାଲି ମ୍ୟାଚର ଅନ୍ତିମ ଦିବସ ।
ସ୍କୋର : ଓଡ଼ିଶା ପ୍ରଥମ ଇନିଂସ୍-୩୨୪ । ହରିଆଣା ପ୍ରଥମ ଇନିଂସ୍-୪୪୨ । ଓଡ଼ିଶା ଦ୍ବିତୀୟ ଇନିଂସ୍-୫୦/୧