ସ୍ୱାଧୀନତା ପରେ ଆଜିର ଦିନରେ ପ୍ରଥମ ଅଲିମ୍ପିକ୍ ହକି ସ୍ୱର୍ଣ୍ଣ ପଦକ ଜିତିଥିଲା ଭାରତ

ମୁମ୍ବାଇ : ୧୯୪୭ରେ ଭାରତ ସ୍ୱାଧୀନ ହେବା ପରେ ଠିକ ତା ପର ବର୍ଷ ଭାରତୀୟ ହକି ଦଳ ଅଲିମ୍ପିକ୍ରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଯାହା ଥିଲା ସ୍ୱାଧୀନ ଭାରତର ପ୍ରଥମ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ । ସେଦିନ ଥିଲା ୧୯୪୮ ମସିହା ଅଗଷ୍ଟ ୧୨ ତାରିଖ । ଘଟଣାକୁ ୭୦ ବର୍ଷ ବିତି ଗଲାଣି । ଏବେ ସେହି ଐତିହାସିକ ଘଟଣା ଓ ଦେଶକୁ ଏକାଠି କରିଥିବା ଏହି ସଫଳତାକୁ ନେଇ ସିନେମା ‘ଗୋଲଡ୍’ ନିର୍ମାଣ କରିଛନ୍ତି ଅଭିନେତା ଅକ୍ଷୟ କୁମାର । ଏ ପ୍ରସଙ୍ଗଟି ନିଜ ଟ୍ଵିଟରରେ ଲେଖି ଲୋକଙ୍କୁ ଅବଗତ କରାଇବା ସହ ଫିଲ୍ମର ପ୍ରମୋସନ୍ ମଧ୍ୟ କରିଛନ୍ତି । ପୁଣି ବିଭିନ୍ନ କ୍ରୀଡ଼ାର ସେଲିବ୍ରିଟିମାନଙ୍କୁ ନେଇ ଏକ ଅଭିନବ ପ୍ରମୋସନାଲ ଭିଡିଓ କରିଛନ୍ତି ଅକ୍ଷୟ । ଏଥିରେ କପିଳ ଦେବ, ଅଭିନବ ବିନ୍ଦ୍ରା, ସାନିଆ ମିର୍ଜା, ବିଭି ସିନ୍ଧୁ, ହକି ଖେଳାଳି ଶ୍ରୀଜେଶ, ବକ୍ସର ବିଜେନ୍ଦ୍ର ସିଂହ, ସଚିନ ତେନ୍ଦୁଲକର ପ୍ରମୁଖ ସେମାନଙ୍କ ସଫଳତାର ହସ ଫଟୋ ଜରିଆରେ ସ୍ଥାନ ପାଇଛି ।