ହକି ବିଶ୍ୱ କପ୍ ଉଦଘାଟନୀ ଉତ୍ସବର ପ୍ରଥମ ଟିକେଟ୍ ବିକ୍ରି, କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ୍) : ଆସନ୍ତାକାଲି ହକି ବିଶ୍ୱ କପ୍ ଉଦଘାଟନୀ ଉତ୍ସବ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି ହେବ । ଏପଟେ ଏହି ଉତ୍ସବ ପାଇଁ ଆଜି ପ୍ରଥମ ଟିକେଟ୍ କିଣିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ୫୦୦ ଟଙ୍କିଆ ଟିକେଟ୍ କିଣିଛନ୍ତି । ସଚିବାଳୟରେ ଏଲିନା ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ୍ ପ୍ରଦାନ କରିଥିଲେ ।
ଆସନ୍ତାକାଲି ଦିନ ୧୨ଟାରୁ ଅନଲାଇନରେ ସର୍ବସାଧାରଣଙ୍କ ପାଇଁ ଉଦଘାଟନୀ ଉତ୍ସବର ଟିକେଟ୍ ବିକ୍ରି କରାଯିବ । କଳିଙ୍ଗ ଷ୍ଟାଡିୟମରେ ୧୨ ହଜାର ଟିକେଟ୍ ରହିଛି । ଏହାର ମୂଲ୍ୟ ୫୦୦ ଟଙ୍କା । ବାରବାଟୀ ଷ୍ଟାଡିୟମରେ ୩୦ ହଜାର ଟିକେଟ୍ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି କରାଯିବ । ଏଠାରେ ଟିକେଟ୍ ମୂଲ୍ୟ ରହିଛି ୧୦୦ ଓ ୫୦୦ ଟଙ୍କା ।
ରାଜ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟକ୍ଷ ଭାବେ ହକି ବିଶ୍ୱ କପ୍ର ଆୟୋଜନ ନେଇ ତଦାରଖ କରୁଛନ୍ତି । ଏହି ବୃହତ୍ କ୍ରୀଡ଼ା ଇଭେଣ୍ଟରେ ବିଶ୍ୱର ୧୬ଟି ଦେଶ ଭାଗ ନେଉଥିବା ବେଳେ ଦୁଇ ଦୁଇଟି ଉଦଘାଟନୀ ଉତ୍ସବର ଆୟୋଜନ କରାଯାଉଛି । ମୁଖ୍ୟ ଉଦଘାଟନୀ ଉତ୍ସବ ନଭେମ୍ବର ୨୭ ତାରିଖ ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଆଥଲେଟିକ୍ସ କଂପ୍ଲେକ୍ସରେ ଆୟୋଜିତ ହେବ । ତା ପର ଦିନ ଅର୍ଥାତ ୨୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହେବ ଦ୍ୱିତୀୟ ଉଦଘାଟନୀ ଉତ୍ସବ । ସେହିଦିନ କଳିଙ୍ଗ ଷ୍ଟାଡିୟମର ହକି କଂପ୍ଲେକ୍ସରେ ଖେଳାଯିବ ଉଦଘାଟନୀ ମ୍ୟାଚ୍ । ପ୍ରଥମ ମ୍ୟାଚ୍ ସନ୍ଧ୍ୟା ୫ଟା ବେଳେ ବେଲଜିୟମ ଓ କାନାଡ଼ା ମଧ୍ୟରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ରେ ରା ୭ଟା ବେଳେ ମୁକାବିଲା କରିବେ ଆୟୋଜକ ଭାରତ ଓ ଦକ୍ଷିଣ ଆଫ୍ରିକା ।
କଡ଼ା ସୁରକ୍ଷା ଉପରେ ଫୋକସ୍
୧୬ଟି ଦେଶର ଖେଳାଳି ଏକାଠି ହେବେ ଭୁବନେଶ୍ୱରରେ । ସେମାନଙ୍କ ସୁରକ୍ଷା ହେଉଛି କମିଶନରେଟ୍ ପୋଲିସ୍ ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ । ତେଣୁ ଏଥିରେ ଯେମିତି କୌଣସି
ତ୍ରୁଟି ନରହେ ସେଥିପ୍ରତି ପୂରା ଧ୍ୟନ ଦିଆଯାଉଛି । ଏ ସମ୍ପର୍କରେ ଆଜି ପୋଲିସ୍ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି । ଖେଳାଳିମାନେ ରହୁଥିବା ହୋଟେଲରେ ଏବଂ ସେମାନେ ଖେଳିବା ପାଇଁ ଷ୍ଟାଡିୟମକୁ ଯିବା ଆସିବା କରିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯିବ । ଏହା ସହିତ ଖେଳ ଚାଲିଲା ବେଳେ ଷ୍ଟାଡିୟମରେ ଏବଂ ଖେଳାଳିମାନେ ଯିବା ଆସିବା କରିବା ବେଳେ ସହରରେ ଟ୍ରାଫିକ୍ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ । ଏଥିପାଇଁ ଅଧିକ ପୋଲିସ୍ ଫୋର୍ସ ମଗାଯାଇଥିବା ସେ ସୂଚନା ଦେଇଛନ୍ତି । ୨୫୦ ଅଫିସର, ୬୦ ପ୍ଲାଟୁନ୍ ଫୋର୍ସ, ୩୦ ଜଣ ଇନିସପେକ୍ଟର, ୨୫ ଜଣ ଡେପୁଟି କମାଣ୍ଡାଣ୍ଟ ଆଦି ମଗା ଯାଇଥିବା ପୋଲିସ୍ କମିଶନର୍ କହିଛନ୍ତି ।