ଶେଷ ବଲ ଯାଏ ରୋମାଞ୍ଚ, ଭାରତ-ଇଣ୍ଡିଜ୍ ଦ୍ବିତୀୟ ଦିନିକିଆ ‘ଟାଇ’ରେ ଶେଷ

ବିଶାଖାପାଟଣା : ହେଟମେୟର ଶତକ କରି ପାରିଲେନି ହେଲେ ହୋପ୍ କଲେ । ଆଉ କମବ୍ୟାକ୍ କରିଥିଲା ୱେଷ୍ଟଇଣ୍ଡିଜ୍ ।  ଶେଷ ବଲରେ ଜିତିବା ପାଇଁ ୫ ରନ୍ ଦରକାର ହେଉଥିବା ବେଳେ ହୋପ୍ ମାରିଲେ ଚୌକା । ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ମ୍ୟାଚ୍ ‘ଟାଇ’ରେ ଶେଷ ହେଲା । ଉଭୟ ଦଳ କଲେ ୩୨୧ ଲେଖାଏଁ ରନ୍ । ଏହି ୫ ମ୍ୟାଚ୍ ସିରିଜରେ ଭାରତ ୧-୦ରେ ଆଗୁଆ ଅଛି । ତେବେ ଏହି ମ୍ୟାଚରେ ଭାରତକୁ ଭଲ ଟକ୍କର ଦେଇଛି ଇଣ୍ଡିଜ୍ ଦଳ ।

ଓଭର ପିଛା ୬.୪୨ ହାରରେ ରନ୍ ସଂଗ୍ରହ କରିବାର ଥିଲା । ଇଣ୍ଡିଜ୍ ପକ୍ଷରୁ ହେଟମେୟର ମାତ୍ର ୬୪ ବଲରେ ୯୪ ରନ୍ କରି ଆଉଟ୍ ହୋଇ ଯାଇଥିଲେ । ସେ ଭାରତୀୟ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରି ୭ଟି ଛକା ଓ ୪ଟି ଚୌକା କାରିଥିଲେ । ତାଙ୍କୁ ତାଳ ଦେଇ ଚାଲିଥିବା ସାଇ ହୋପ୍ ଦିନିକିଆରେ ତାଙ୍କର ଦ୍ବିତୀୟ ଶତକ ହାସଲ କରି ହେଟମେୟରଙ୍କ ପରେ ଦଳର ବିଜୟ ଆଶାକୁ ବଜାୟ ରଖିଥିଲେ । ଏଠାରେ ହୋପ୍ ତାଙ୍କର ସର୍ବାଧିକ ଦିନିକଆ ସ୍କୋର କରିଛନ୍ତି । ଶେଷ ୩ ଓଭରରେ ୨୨ ରନ୍ ଦରକାର ଥିଲା । ହେଲେ ହୋପଙ୍କୁ କେହି ଭଲ ଭାବେ ସାଥ୍ ଦେଲେ ନାହିଁ । ତେଣୁ ଗୋଟିଏ ରନ୍ ପାଇଁ ବିଜୟରୁ ବଞ୍ଚିତ ହେଲା ଭ୍ରମଣକାରୀ ଦଳ । ଅବଶ୍ୟ ଶେଷ ଓଭରରେ ଉମେଶ ଯାଦବଙ୍କ ଚମତ୍କାର ବୋଲିଂ ଭାରତକୁ ପରାଜୟରୁ ବଞ୍ଚାଇଥିଲା । ହୋପ୍ ୧୨୩ ରନ୍ (୧୩୪ ବଲ୍, ୧୦ ଚୗକା ଓ ୩ ଛକା) କରି ଅପରାଜିତ ରହିଲେ । ଦଳର ସ୍କୋର ହେଲା ୭ ୱିକେଟରେ ୩୨୧ ରନ୍ ।

ପୂର୍ବରୁ କୋହଲିଙ୍କ ୩୭ତମ ଦିନିକିଆ ଆନ୍ତର୍ଜାତିକ ଶତକ ବଳରେ ଭାରତ ୬ ୱିକେଟରେ ୩୨୧ ରନ୍ ସ୍କୋର କରି ୱେଷ୍ଟଇଣ୍ଡିଜ୍ ଆଗରେ ୩୨୨ ରନର ବିଜୟଲକ୍ଷ୍ୟ ରଖିଥିଲା। ଆଜିର ଇନିଂସ ବେଳେ ଅନେକ ରେକର୍ଡ଼ କରିଥିଲେ ବିରାଟ କୋହଲି। ଦିନିକିଆରେ ୧୦ ହଜାର ରନ୍ ପୂରଣ କରିବାରେ ସେ ହେଉଛନ୍ତି ଦ୍ରୁତତମ ଖେଳାଳି । ସେ ୨୦୫ ଇନିଂସରେ ଏହି ସଫଳତା ଲାଭ କରି ସଚିନଙ୍କ ରେକର୍ଡ଼ ଭାଙ୍ଗିଛନ୍ତି । ଏହା ସହିତ ୨୦୧୮ କ୍ୟାଲେଣ୍ଡର ଇୟରରେ ୧୦୦୦ ରନ୍ ଏବଂ ଭାରତ ମାଟିରେ ୪୦୦୦ ରନ୍ ପୂରଣ କରିଛନ୍ତି । ଚଳିତ ବର୍ଷ ମାତ୍ର ୧୧ଟି ଇନିଂସ ଖେଳି ସେ ୧ ହଜାର ରନ୍ ପୂରଣ କରିଛନ୍ତି । କୋହଲି ୧୨୯ ବଲରେ ଅପରାଜିତ ୧୫୭ ରନ୍ କରିଥିଲେ । ଏଥିରେ ରହିଛି ୧୩ଟି ଚୌକା ଓ ୪ଟି ଛକା ।

ସ୍କୋର : ଭାରତ-୩୨୧/୬, ୫୦ ଓଭର (ରୋହିତ ଶର୍ମା ମାତ୍ର ୪, ଧବନ ୨୯, କୋହଲି ଅପରାଜିତ ୧୫୭, ରାୟୁଡୁ ୭୩, ଧୋନି ୨୦, ପନ୍ତ ୧୭, ଜାଡେଜା ୧୩) ।

ୱେଷ୍ଟଇଣ୍ଡିଜ୍- (ପାୱେଲ ୧୮, ହେମରାଜ ୩୨, ହୋପ ଅପରାଜିତ ୧୨୩ , ସାମୁଏଲ୍ସ ୧୩, ହେଟମେୟର ୯୪, ଆର. ପାୱେଲ ୧୮, ହୋଲଡର ୧୨ । କୁଲଦୀପ ଯାଦବ ୩/୬୭ )

INDIA-INDIES