କାଲି ତୃତୀୟ ଟେଷ୍ଟ : ବୁମରା ଖେଳିବେ, କାର୍ତ୍ତିକଙ୍କ ଜାଗାରେ ୠଷଭ ପନ୍ତ ଖେଳିବା ସମ୍ଭାବନା

ଲଣ୍ଡନ : ଆସନ୍ତାକାଲି ବ୍ରିଷ୍ଟଲର ଟ୍ରେଣ୍ଟବ୍ରିଜ୍‌ରେ ଖେଳାଯିବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ଭାରତ ଚଳିତ ସିରିଜ୍‌ରେ୦-୨ରେ ପଛୁଆ ଅଛି । ଲର୍ଡ଼ସ ଟେଷ୍ଟରେ ଶୋଚନୀୟ ଭାବେ ଇନିଂସ ପରାଜୟ ଲାଭ କରିବା ପରେ କଡ଼ା ସମାଲୋଚନାର ଶିକାର ହୋଇଛି ବିରାଟ ବାହିନୀ । ଉଭୟ ଦଳ ଏହି ମ୍ୟାଚ୍‌ ପାଇଁ କିଛି ପରିବର୍ତ୍ତନ କରୁଛନ୍ତି । ଭାରତ ପାଇଁ ପରିବର୍ତ୍ତନ ଆବଶ୍ୟକ ଥିବା ବେଳେ ଇଂଲଣ୍ଡ ବାଧ୍ୟବାଧକତାରେ ଖେଳାଳି ବଦଳାଉଛି । ଭାରତୀୟ ପେସ୍‌ ବୋଲର୍‌ ବୁମରା ସୁସ୍ଥ ହୋଇ ସାରିଥିବାରୁ ତାଙ୍କୁ କୁଲଦୀପ ଯାଦବଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି । ଅଧିନାୟକ ବିରାଟ କୋହଲି ତାଙ୍କ ଉପରେ ଖୁବ୍‌ ଆଶା ରଖିଛନ୍ତି । ସେପଟେ ଓ୍ଵିକେଟ୍‌କିପର ଦୀନେଶ କାର୍ତ୍ତିକଙ୍କ ଜାଗାରେ ଆସୁଛନ୍ତି ଯୁବ ଖେଳାଳି ୠଷଭ ପନ୍ତ । ସେପଟେ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି, ଖେଳରେ ନୁହେଁ ପିଲାଙ୍କ ମାନସିକତାରେ ପରିବର୍ତ୍ତନ ଦରକାର । ନିଜ ଉପରେ ବିଶ୍ୱାସ ରଖିଲେ ସିରିଜ୍‌ର ଗତି ବଦଳିଯିବ ।

BEN STOKES

ଷ୍ଟୋକ୍ସଙ୍କ ପାଇଁ ବଳି ପଡ଼ିଲେ କୁରାନ୍‌

ସେପଟେ ପ୍ରଥମ ମ୍ୟାଚ୍‌ର ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ସାମ୍‌ କୁରାନ୍‌ଙ୍କ ଜାଗାରେ ବେନ୍‌ ଷ୍ଟୋକ୍ସଙ୍କୁ ନିଆଯାଇଛି । କୁରାନ୍‌ ୧୧ ଜଣିଆ ଦଳରେ ମଧ୍ୟ ନାହାନ୍ତି । ଆହତ କାରଣରୁ ଷ୍ଟୋକ୍ସ ଗତ ଟେଷ୍ଟରୁ ବାଦ୍‌ ପଡ଼ିଥିଲେ । ଅଧିନାୟକ ଜଏ ରୁଟ୍‌ କହିଛନ୍ତି ଯେ କୁରାନ୍‌ଙ୍କୁ ବାଦ୍‌ ଦେବା ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତି ଥିଲା । ତେବେ ଆମେ ନାଚାର ହୋଇପଡ଼ିଛୁ ।