କାଲିଠାରୁ ୪ର୍ଥ ଟେଷ୍ଟ : ଇଂଲଣ୍ଡକୁ ପୁଣି ମାତ୍ ଦେବା ମୁଡରେ ବିରାଟ ବାହିନୀ

ଲଣ୍ଡନ : ଆସନ୍ତାକାଲି ଠାରୁ ସାଉଥମ୍ପଟନରେ ଆରମ୍ଭ ହେବ ଚତୁର୍ଥ କ୍ରିକେଟ୍ ଟେଷ୍ଟ । ଭାରତ ଏବେ ୧-୨ରେ ପଛୁଆ ଅଛି । ୩ୟ ଟେଷ୍ଟରେ ଜୋରଦାର ବିଜୟ ହାସଲ କରି କୋହଲି ବାହିନୀ ଏବେ ପୂରା ମୁଡରେ ଅଛି । ଘରୋଇ ଇଂଲଣ୍ଡ ଦଳ ପ୍ରଥମ ଦୁଇଟି ଟେଷ୍ଟ ସହଜରେ ଜିତିବା ପରେ ସିରିଜ୍ କବଜା କରିନେବ ବୋଲି ଭାବି ନେଇଥିଲା । ତେବେ ନିଜ ଉପରେ ବିଶ୍ବାସ ରଖି ଉଭୟ ଭାରତୀୟ ବୋଲର ଓ ବ୍ୟାଟ୍ସମ୍ୟାନ ସିରିଜର ଗତିକୁ ମୋଡ଼ି ଦେଇଛନ୍ତି । ତେବେ ଇଂଲଣ୍ଡ ତୁଳନାରେ ଚାପ ଅଧିକ ରହିଛି ଭାରତୀୟ ଦଳ ଉପରେ । କାରଣ ସିରିଜକୁ ସମାନ ସ୍ଥିତିରେ ପହଞ୍ଚାଇବା ପାଇଁ ପୁଣି ଏକ ବିଜୟ ଦରକାର । ଯାହା ଏବେ ସହଜ ହେବ ନାହିଁ । ପୂର୍ବ ମ୍ୟାଚରେ ହାରିବା ପରେ ସହଜରେ ଛାଡ଼ିବନି ଘରୋଇ ଦଳ । ତେଣୁ ଚତୁର୍ଥ ଟେଷ୍ଟରେ ଦୁଇ ଦଳ ଭିତରେ କଡ଼ା ଟକ୍କର ହେବ । ଏହି ମ୍ୟାଚ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସୂଚନା ମିଳିଛି । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସବୁଠୁ ଭଲ ଫର୍ମରେ ଅଛନ୍ତି । ତାଙ୍କୁ ଅନ୍ୟ ବ୍ୟାଟସମାନ୍ ଓ ବୋଲରମାନେ ଗତଥର ଭଳି ସାଥ୍ ଦେଲେ ପୁଣି ବିଜୟର ବାନା ଉଡ଼ାଇ ପାରିବ ଟିମ୍ ଇଣ୍ଡିଆ ।