ରୋହିତ ଶର୍ମାଙ୍କ ସାମ୍ବାଦିକ ସମ୍ମିଳନୀରେ ଏମିତି କିଛି ଘଟିଲା, ଯାହା ଏବେ ଭାଇରାଲ ହୋଇଛି

ରାଞ୍ଚି : ଆଜି ସରିଛି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟର ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ । ଏଥିରେ ଭାରତୀୟ ବୋଲର୍ଙ୍କ ସମେତ ବ୍ୟାଟ୍ସମ୍ୟାନ୍ ବି ଚମତ୍କାର ଖେଳ ଦେଖାଇଛନ୍ତି । ବିଶେଷ କରି ଓପ୍ନର ରୋହିତ ଶର୍ମାଙ୍କ ବ୍ୟାଟିଂ ସବୁଠାରୁ ପ୍ରଶଂସନୀୟ ଥିଲା । ସେ ତିନିଟି ଟେଷ୍ଟରେ ୨ଟି ଶତକ ଓ ଗୋଟିଏ ଦ୍ୱିଶତକ କରିଛନ୍ତି । ସେହିପରି ତୃତୀୟ ତଥା ଶେଷ ଟେଷ୍ଟରେ ସେ ଦ୍ୱିଶତକ କରିବା ସହିତ ଅଜିଙ୍କ ରାହାଣେଙ୍କ ସହ ୨୬୭ ରନ୍ର ବଡ଼ ଭାଗିଦାରୀ କରିଥିଲେ । ଯାହାଫଳରେ ଭାରତୀୟ ଦଳ ୪୯୭ ରନ୍ର ବିଶାଳ ସ୍କୋର କରି ଦକ୍ଷିଣ ଆଫ୍ରିକାକୁ ଫଲୋଅନ୍ ଓ ଇନିଂସ୍ ପରାଜୟର ସାମନା କରିବାକୁ ବାଧ୍ୟ କଲା । ଉଭୟ ରୋହିତ ଓ ରାହାଣେଙ୍କ ଟେଷ୍ଟ କ୍ୟାରିୟର ପାଇଁ ଏହି ସିରିଜ୍ ଏକ ଟର୍ଣ୍ଣିଂ ପଏଣ୍ଟ ହୋଇଛି ।
ତେବେ ଆଜି ସାମ୍ବାଦିକ ସମ୍ମିଳନୀରେ ରୋହିତ ଗଣମାଧ୍ୟମର ସାମନା କରୁଥିବା ବେଳେ ଏକ ଘଟଣା ଘଟିଯାଇଥିଲା । ଯାହାକୁ ନେଇ ରୋହିତ ଖୁବ୍ ବର୍ଷିଛନ୍ତି ସାମ୍ବାଦିକଙ୍କ ଉପରେ । ଜଣେ ସାମ୍ବାଦିକ ରୋହିତଙ୍କୁ ପ୍ରଶ୍ନ ପଚାରୁ ପଚାରୁ ରାହାଣେଙ୍କ ବିଷୟରେ ପଚାରି ଦେଲେ । ରୋହିତଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ସାଙ୍ଗରେ ରାହାଣେଙ୍କୁ ମନ୍ଥର ବ୍ୟାଟିଂ ମେଳ ଖାଉ ନଥିଲା । ସମ୍ପୃକ୍ତ ସାମ୍ବାଦିକ ଜଣକ ରୋହିତଙ୍କୁ ପ୍ରଶ୍ନ କରିଥିଲେ, ‘‘ଦଳର ସ୍କୋର ଯେତେବେଳେ ୩ ଓ୍ଵିକେଟ୍ରେ ୩୦୦ ରନ୍ ହୋଇଥିବା ସେ ଆଉଟ୍ ହୋଇଯାଏ । ଆଉ ଯେତେବେଳେ ୪୦ ରନ୍ରେ ୩ଟି ଓ୍ଵିକେଟ୍ ପଡ଼ିଥିବ ଏମିତି ସ୍ଥିତିରେ ସେ ଶଳା ଚାବୁକ (ରାହାଣେ) ଭଲ ବ୍ୟାଟିଂ କରେ’’ ।
ସାମ୍ବାଦିକଙ୍କ ‘ଶଳା’ କଥାଟି ରୋହିତଙ୍କୁ ପସନ୍ଦ ହେଲା ନାହିଁ । ତଥାପି ସାମ୍ବାଦିକ ସମ୍ମିଳନୀ ଥିବାରୁ ନିଜକୁ ସଂଯତ ରଖି ରୋହିତ ହସିଦେଲେ ଓ କହିଲେ ‘ଅଜୁ’କୁ ଶଳା କୁହନା । ସେ ବହୁତ ଭଲ ଖେଳିଛି । ଦଳ ଖରାପ ସ୍ଥିତିରେ ଥିବା ବେଳେ ଭଲ ସାଥ୍ ଦେଇଛି କହି ରାହାଣେଙ୍କ ପ୍ରଶଂସା କଲେ ରୋହିତ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।