ଅଭିଷେକ ଶର୍ମାଙ୍କ ଶତକ ସିକ୍ରେଟ ଖୁଲାସା, ଶୁବମନ ଗିଲଙ୍କ ବ୍ୟାଟରେ ମାରିଥିଲେ ଶତକ

୨୪ ଘଣ୍ଟା ଭିତରେ ଜିମ୍ବାୱେ ଠାରୁ ପ୍ରତିଶୋଧ ନେଲେ ଶୁବମନ ଗିଲଙ୍କ ଭାରତୀୟ ଟିମ । ଅଭିଷେକ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ଜିମ୍ବାୱେକୁ ୧୦୦ ରନରେ ପରାସ୍ତ କରିଛି । ଅଭିଷେକ ଶର୍ମାଙ୍କ ୧୦୦, ଋତୁରାଜ ଗାଏକ୍ୱାଡଙ୍କ ଅପରାଜିତ ୭୭ ଓ ରିଙ୍କୁ ସିଂହଙ୍କ ଅପରାଜିତ ୪୮ ରନ ଭାରତୀୟ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୩୪ ରନ କରିଥିଲା। ଏହାକୁ ପିଛା କରୁଥିବା ଜିମ୍ବାୱେ ୧୮.୪ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୩୪ ରନ କରିପାରିଥିଲା । ଭାରତ ଏହି ମ୍ୟାଚ୍କୁ ଜିତି ୫ଟି ଟି-୨୦ ସିରିଜକୁ ୧-୧ରେ ବରାବର ରହିଛି ।
ଏହି ମ୍ୟାଚରେ ଅଭିଷେକ ଶର୍ମାଙ୍କ ଧୂଆଁଦାର ବ୍ୟାଟିଂ କରିଥିଲେ । ମାତ୍ର ୪୬ ବଲରେ ଅଭିଷେକ ୧୦୦ ରନ୍ କରିଥିଲେ । ଆଉ ଏହି ଶତକ ଅଭିଷେକ ଶୁବମନ ଗିଲଙ୍କ ବ୍ୟାଟରେ ମାରିଥିବା ଖୁଲାସା କରିଛନ୍ତି ।
ଅଭିଷେକ ଶର୍ମା ଜିମ୍ବାୱେ ବିପକ୍ଷ ଟି୨୦ ସିରିଜରେ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳି ଡେବ୍ୟୁ କରିଛନ୍ତି । ଅଭିଷେକଙ୍କ ଡେବ୍ୟୁ ମ୍ୟାଚ ଖରାପ ରହିଥିଲା କିନ୍ତୁ ଦ୍ୱିତୀୟ ମ୍ୟାଚରେ ଧୂଆଁଦାର ବ୍ୟାଟିଂ କରିଥିଲେ । ଅଭିଷେକ ୧୦୦ ରନ୍ କରିଥିବା ବେଳେ ଭାରତ ୧୦୦ ରନରେ ମ୍ୟାଚ ଜିତିଥିଲା ।
ମ୍ୟାଚ ପରେ ଅଭିଷେକ ଶର୍ମା ଏକ ନୂଆ କଥା କହିଛନ୍ତି, ସେ କହିଛନ୍ତି ଦ୍ୱିତୀୟ ଟି୨୦ ମ୍ୟାଚରେ ଶୁବମନ ଗିଲଙ୍କ ବ୍ୟାଟରେ ବ୍ୟାଟିଂ କରିଥିଲେ । ଏହା ଆଜି ନୁହେଁ, ଅଣ୍ଡର ୧୪ରୁ ଆରମ୍ଭ ହୋଇଛି । ଯେତେବେଳେ ବି ଶୁବମନଙ୍କ ବ୍ୟାଟରେ ଖେଳେ ବହୁତ ଭଲ ଖେଳିଥାଏ । ଆଜି ବି ମୁଁ ତାଙ୍କ ବ୍ୟାଟରେ ଖେଳିଛି । ଆଉ ଶୁବମନ ବହୁତ ସହଜରେ ବ୍ୟାଟ ମଧ୍ୟ ମୋତେ ଦିଏ । ଏହା ମୋର ଶେଷ ବିକଳ୍ପ ଭଳି । ତେଣୁ ଶୁବମନଙ୍କୁ ସ୍ପେଶାଲ ଧନ୍ୟବାଦ, ସେ ମୋତେ ନିଜର ବ୍ୟାଟ ଦେଇଥିଲେ ।
ବାମହାତୀ ବ୍ୟାଟର ଅଭିଷେକ ଶର୍ମାଙ୍କ ଶତକ ଅନେକ କାରଣ ଯୋଗୁଁ ଚର୍ଚ୍ଚାରେ ରହିଛି । ଏହି ଇନିଂସରେ ଅଭିଷେକ ଛକାରୁ ପାଳି ଆରମ୍ଭ କରିଥିଲେ । ଛକାରେ ୫୦ ରନ୍ ପୂରଣ କରିଥିଲେ ।
ସୂଚନାଯୋଗ୍ୟ, ଭାରତ ଦେଇଥିବା ୨୩୫ ରନର ଟାର୍ଗେଟ ପାଇଥିବା ଜିମ୍ବାୱେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପ୍ରଥମ ଓଭରରେ ଇନୋସେଣ୍ଟ କାଇଆ ମାତ୍ର ୪ ରନ କରି ପୁଣିଥରେ ମୁକେଶ କୁମାରଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ । ବ୍ରାଏନ ବେନେଟ କେବଳ ୨୬ ରନ କରିବାକୁ ସକ୍ଷମ ହୋଇଥିଲେ ମଧ୍ୟ ମୁକେଶ କୁମାର ଆଉଟ କରିଥିଲେ । ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା(୪) ଓ ଡିଓନ ମେୟର୍ସ(୦)ଙ୍କୁ ଆବେଶନ ଖାନ ଗୋଟିଏ ଓଭରରେ ଆଉଟ କରିଥିଲେ ।
ଜୋନାଥନ କମ୍ପବେଲ(୪)ଙ୍କୁ ୱାଶିଂଟନ ସୁନ୍ଦର ଓ କ୍ଲାଏଭ ମାଣ୍ଡାଡେ(୦)ଙ୍କୁ ରବି ବିଷ୍ଣୋଇ ପ୍ୟାଭିଲିୟନ ପଠାଇଥିଲେ । ୱେଲିଂଟନ ମାସାକାଜା ୧ ରନ କରି ରନଆଉଟ ହୋଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ଓ୍ଵିକେଟ ଯିବାରୁ ଜିମ୍ବାୱେ ଧରାଶାୟୀ ହୋଇଥିଲା । ଆଉ ଭାରତ ୧୦୦ ରନରେ ମ୍ୟାଚ ଜିତିଥିଲା ।