ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି ରାଶିଦ ଖାନଙ୍କ ବାହିନୀ । ସେଣ୍ଟ ଭିସେଣ୍ଟରେ ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ୫ ଓ୍ଵିକେଟ ହରାଇ ମାତ୍ର ୧୧୫ ରନ୍‌ କରିଥିଲା । ଏହାପରେ ବର୍ଷା ଯୋଗୁଁ ବାଂଲାଦେଶକୁ ୧୧୪ ରନ ଟାର୍ଗେଟ ଦିଆଯାଇଥିଲା । ଯାହାକୁ ବାଂଲାଦେଶ ୧୦୫ ରନରେ ଅଲଆଉଟ ହୋଇଯାଇଥିଲା । ଏହି ମ୍ୟାଚରେ ନବୀନ ଉଲ୍ ହକ୍ ଏବଂ ରାଶିଦ ଖାନ୍ ୪ଟି ଲେଖାଏଁ ୱିକେଟ ହାସଲ କରିଥିବା ବେଳେ ଫଜଲ ଫାରୁକୀ ଏବଂ ଗୁଲବଦିନ ନାଏକ ଗୋଟିଏ ଲେକାଏଁ ସଫଳତା ହାସଲ କରିଛନ୍ତି ।

ଟସ୍‌ ଜିତି ପ୍ରଥମେ ବ୍ୟାଟି କରିବାକୁ ଓହ୍ଲାଇଥିବା ଆଫଗାନିସ୍ତାନ ୨୦ ଓଭରରେ ୧୧୫ ରନ୍‌ କରିଥିଲା । ଆଫଗାନିସ୍ତାନ ଓପନର ରହମାନୁଲ୍ଲାହ ଗୁରବାଜ ଏବଂ ଇବ୍ରାହିମ ଜାଦରାନ ଓପନିଂ କରିବାକୁ ଆସିଥିଲେ । ଦୁହେଁ ଭଲ ବ୍ୟାଟିଂ ମଧ୍ୟ କରିଥିଲେ । କିନ୍ତୁ ଗୁରବାଜ ୫୫ ବଲରେ ୪୩ ରନ୍‌ ଏବଂ ଜାଦରାନ ୧୮ ରନ୍‌ କରି ଆଉଟ ହୋଇଥିଲେ । ତୃତୀୟ ସ୍ଥାନରେ ଅଜମତଉଲ୍ଲାହ ଜଜଇ ୧୦ ରନ୍‌ କରିଥିଲେ । ଏହାଛଡା ରାଶିଦ ଖାନ ୧୦ ବଲରେ ୧୯ ରନ କରିଥିଲେ ।

୧୧୬ ରନ ଟାର୍ଗେଟକୁ ପିଛା କରୁଥିବା ବାଂଲାଟିମ ୧୦୫ ରନରେ ଅଲଆଉଟ ହୋଇଥିଲା । ଆଜିର ବିଜୟ ପରେ ଗୁରୁବାର ଦକ୍ଷିଣ ଆଫ୍ରିକା ସହ ଖେଳିବ ଆଫଗାନିସ୍ତାନ । ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ କରୁଛି ଆଫଗାନିସ୍ତାନ । ସୁପର ୮ ମୁକାବିଲାରେ ବିଶ୍ବ ଚାମ୍ପଅନ ଅଷ୍ଟ୍ରେଲିଆକୁ ହରାଇ ବିଶ୍ବକପରେ ଓଲଟପାଲଟ କରିଥିଲା । ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ସୁପର-୮ ମୁକାବିଲାରେ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବା ବେଳେ ଆଜିର ମ୍ୟାଚ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଆଫଗାନିସ୍ତାନ ମ୍ୟାଚରେ ପରାସ୍ତ ହୋଇଥିଲେ ଅଷ୍ଟ୍ରେଲିଆକୁ ସେମି ଫାଇନାଲ ଟିକେଟ ମିଳିଥାନ୍ତା । ବାଂଲାଦେଶର ପରାଜୟ ଏବଂ ଆଫଗାନିସ୍ତାନର ବିଜୟ ଅଷ୍ଟ୍ରେଲିଆର ବିଶ୍ୱକପ ସ୍ୱପ୍ନକୁ ଧୂଳିସାତ୍ କରି ଦେଇଛି । ଜୁନ୍ ୨୬ ତାରିଖରେ ସେମି ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଆଫଗାନିସ୍ତାନ ।

Leave A Reply

Your email address will not be published.