ଚାମ୍ପିଅନ୍ସ ଟ୍ରଫିରେ ବଡ଼ ବିପର୍ଯ୍ୟୟ । ଇଂଲଣ୍ଡକୁ ପରାସ୍ତ କଲା ଆଫଗାନିସ୍ତାନ । ଆଫଗାନିସ୍ତାନ ଦଳ ଇଂଲଣ୍ଡ ଭଳି ବିଶ୍ୱ ଚାମ୍ପିଅନ ଦଳକୁ ପରାସ୍ତ କରିଛି । ହସମତୁଲ୍ଲା ଶାହିଦିଙ୍କ ଅଧିନାୟକତ୍ୱରେ ଆଫଗାନିସ୍ତାନ ଦଳ ଇଂଲଣ୍ଡକୁ ୮ ରନରେ ପରାସ୍ତ କରିଛି । ଏହି ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଯାଇଛି ଇଂଲଣ୍ଡ ଦଳ। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୫୦ ଓଭରରେ ୭ ୱିକେଟ ହରାଇ ୩୨୫ ରନ କରିଥିଲା । ଦଳ ପକ୍ଷରୁ ଇବ୍ରାହିମ ଜାଦ୍ରାନ ୧୪୬ ବଲରେ ୧୨ଟି ଚୌକା ଓ ୬ଟି ଛକା ସହିତ ବିସ୍ଫୋରକ ୧୭୭ ରନ୍ କରିଥିଲେ । ଏହା ଆଇସିସି ଚାମ୍ପିୟନ୍ସ ଟ୍ରଫି ଇତିହାସର ସର୍ବାଧିକ ବ୍ୟକ୍ତିଗତ ସ୍କୋର ।
ଅନ୍ୟମାନଙ୍କ ମଧ୍ୟରେ ଆଜମାତୁଲା ଓମରାଜାଇ ୪୧, ଅଧିନାୟକ ହାଶମାତୁଲା ଶାହିଦି ଓ ମହମ୍ମଦ ନବି ୪୦ ରନ ଲେଖାଏଁ କରିଥିଲେ । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚ୍ଚର ୩ ଓ ଲିଆମ ଲିଭିଂଷ୍ଟୋନ ୨ ଉଇକେଟ ନେଇଥିଲେ । ଜବାବରେ ଇଂଲଣ୍ଡ ୪୯ ଓଭର ୫ ବଲରେ ସମସ୍ତ ୱିକେଟ ହରାଇ ୩୧୭ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ୧୨୦ ରନ କରିଥିଲେ । ଆଫଗାନିସ୍ତାନ ପାଇଁ ଓମାରଜାଇ ୫ ୱିକେଟ ହାସଲ କରିଥିଲେ । ନବି ୨ ଉଇକେଟ ନେଇଥିବାବେଳେ ଫାଜଲହକ ଫାରୁକି, ରଶିଦ ଖାନ୍ ଓ ଗୁଲବଦିନ ନାଏକ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
ଏହି ବିଜୟ ସହ ଆଫଗାନିସ୍ତାନ ଏବେ ବି ସେମିଫାଇନାଲ ଦୌଡ଼ରେ ରହିଛି । ଏବେ ଏହାର ପରବର୍ତ୍ତୀ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି । ଆଫଗାନିସ୍ତାନକୁ ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ କଙ୍ଗାରୁ ଦଳକୁ ପରାସ୍ତ କରିବାକୁ ପଡ଼ିବ । ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ୨୮ ଫେବୃଆରୀରେ ଲାହୋରରେ ଅନୁଷ୍ଠିତ ହେବ।
ଆହୁରି ପଢିବ : ପାକିସ୍ତାନ ବିପକ୍ଷରେ ଶତକ ମାରିବା ପରେ କୋହଲିଙ୍କୁ ଫାଇଦା, ଆଇସିସି ଦିନିକିଆ ରାଙ୍କିଂରେ ମିଳିଲା ୫ନଂ ସ୍ଥାନ