ମେଲବର୍ଣ୍ଣରେ ବୁମରାଙ୍କ ପରେ କମିନ୍ସ ଝଡ଼, ଅଷ୍ଟ୍ରେଲିଆ ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ୫୪/୫

ମେଲବର୍ଣ୍ଣ : ବୁମରାଙ୍କ ବୁମ୍‌ବୁମ୍‌ ବୋଲିଂ । ନେଲେ ୩୩ ରନ୍‌ରେ ୬ ଓ୍ଵିକେଟ୍‌ । ଫଳରେ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଘରୋଇ ଅଷ୍ଟ୍ରେଲିଆ ଦଳର ବଡ଼ ବିପର୍ଯ୍ୟୟ ଘଟିଛି । ଦଳ ମାତ୍ର ୧୫୧ ରନ୍‌ କରି ପ୍ରଥମ ଇନିଂସ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି । ଫଳରେ ଭାରତ ପ୍ରଥମ ଇନିଂସ୍‌ରେ ୨୯୨ ରନ୍‌ରେ ଆଗୁଆ ରହିଛି । ତେବେ ଭାରତ ଫଲୋଅନ୍‌ ନଦେଇ ଦ୍ୱିତୀୟ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରିଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆଜି ଦିନର ଖେଳ ଶେଷ ସୁଦ୍ଧା ଭାରତ ୫ ଓ୍ଵିକେଟ୍‌ ହରାଇ ୫୪ ରନ୍‌ କରିଛି । ମୟଙ୍କ ଅଗ୍ରଓ୍ଵାଲ ୨୮ ଓ ୠଷଭ ପନ୍ତ ୬ ରନ୍‌ କରି ଅପରାଜିତ ଅଛନ୍ତି । ଭାରତ ଏବେ ସୁଦ୍ଧା ମୋଟ୍‌ ୩୪୬ ରନ୍‌ରେ ଆଗୁଆ ରହିଛି ।

CUMMINS
ପ୍ୟାଟ୍‌ କମିନ୍ସ

ମେଲବୋର୍ଣ୍ଣ ପିଚ୍‌ ଆଜି ଭୟଙ୍କର ଭାବେ ବୋଲରଙ୍କୁ ସହାୟତା ଦେଉଛି । ଫଳରେ ଆଜି ଦିନରେ ମୋଟ୍‌ ୧୫ଟି ଓ୍ଵିକେଟ୍‌ (ଅଷ୍ଟ୍ରେଲିଆର ୧୦ ଓ ଭାରତର ୫ଟି)ର ପତନ ଘଟିଛି । ୫ଟିଯାକ ଓ୍ଵିକେଟ୍‌ ଅଷ୍ଟ୍ରେଲିଆ ବୋଲର୍‌ ପ୍ୟାଟ୍‌ କମିନ୍ସ ନେଇଛନ୍ତି ୬ ଓଭର ବୋଲିଂରେ ମାତ୍ର ୧୦ ରନ୍‌ ଦେଇ । ବିହାରୀ ୧୩, ପୂଜାରା ଓ କୋହଲି କୌଣସି ରନ୍‌ ନକରି, ରାହାଣେ ୧ ଏବଂ ରୋହିତ ଶର୍ମା ୫ ରନ୍‌ କରି କମିନ୍ସଙ୍କ ଶିକାର ହୋଇଛନ୍ତି । ଭାରତ ପ୍ରଥମ ଇନିଂସ୍‌ରେ ୨୯୨ ରନ୍‌ରେ ଆଗୁଆ ରହି ଦ୍ୱିତୀୟ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରିଥିଲା ।

ବୁମରା ଭାଙ୍ଗିଲେ ୩୯ ବର୍ଷର ରେକର୍ଡ଼

ପ୍ରଥମ ଇନିସ୍‌ରେ ଅଷ୍ଟ୍ରେଲିଆର କୌଣସି ବ୍ୟାଟ୍‌ସମ୍ୟାନ୍‌ ଓ୍ଵିକେଟ୍‌ରେ ତିଷ୍ଠି ପାରି ନଥିଲେ । ବୁମରା ୬ଟି ଏବଂ ରବୀନ୍ଦ୍ର ଜାଡେଜା ୨ଟି ଓ୍ଵିକେଟ୍‌ ନେଇ ଅଷ୍ଟ୍ରେଲିଆକୁ ୧୫୧ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଥିଲେ । ବୁମରା ଏହି ସଫଳତା ସହ ୩୯ ବର୍ଷ ତଳର ରେକର୍ଡ଼ ଭାଙ୍ଗିଛନ୍ତି । ନିଜ ଟେଷ୍ଟ ଡେବ୍ୟୁ ବା ପଦାର୍ପଣ ବର୍ଷରେ ସେ ୪୫ରୁ ଊର୍ଦ୍ଧ୍ୱ ଓ୍ଵିକେଟ୍‌ ନେଇ ଭାରତର ଦିଲୀପ ଦୋଷୀଙ୍କ ରେକର୍ଡ଼ ଭାଙ୍ଗିଛନ୍ତି । ୧୯୭୯ରେ ଦୋଷୀ ସର୍ବାଧିକ ୪୦ଟି ଓ୍ଵିକେଟ୍‌ ନେଇଥିଲେ । ତାଙ୍କ ପଛକୁ ଅଛନ୍ତି ଭେଙ୍କଟେଶ ପ୍ରସାଦ । ଯିଏକି ୧୯୯୬ରେ ନିଜ ପଦାର୍ପଣ ବର୍ଷରେ ୩୭ଟି ଓ୍ଵିକେଟ୍‌ ନେଇଥିଲେ
ଚଳିତ ସିରିଜ୍‌ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସମାନ ସ୍ଥିତିରେ ରହିଥିବାରୁ ଏହି ମ୍ୟାଚ୍‌ ଜିତି ଆଗୁଆ ରହିବା ଲକ୍ଷ୍ୟରେ ରହିଛନ୍ତି । ବର୍ତ୍ତମାନ ସ୍ଥିତିରେ ମ୍ୟାଚ୍‌ରେ ଭାରତର ପଲ୍ଲା ଭାରୀ ରହିଛି ।

ସ୍କୋର : ଭାରତ ପ୍ରଥମ ଇନିଂସ୍‌-୪୪୩/୭ ପାଳି ଘୋଷଣା । ଦ୍ୱିତୀୟ ଇନିଂସ୍‌-୫୪/୫, ୨୭ ଓଭର (ମୟଙ୍କ ଅପରାଜିତ ୨୮, ପନ୍ତ ଅପରାଜିତ ୬ । କମିନ୍ସ ୬-୨-୧୦-୪) ।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌-୧୫୧, ୬୬.୫ ଓଭର (ହ୍ୟାରିସ୍‌ ୨୨, ଉସମାନ ଖ୍ଵାଜା ୨୧, ପାଇନ୍‌ ୨୨, ହେଡ୍‌ ୨୦ । ବୁମରା ୧୫.୫-୪.୩୩-୬, ଜାଡେଜା ୨୫-୮-୪୫-୨) ।