ଅଧ୍ୟକ୍ଷ ପଦ ଛାଡିବେ ଗାଙ୍ଗୁଲି, BCCI ର ନୂଆ ଅଧ୍ୟକ୍ଷ ହୋଇପାରନ୍ତି ରୋଜର ବିନ୍ନୀ

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂତନ ଅଧ୍ୟକ୍ଷକୁ ନେଇ ଖୁବଶୀଘ୍ର ଘୋଷଣା ହୋଇପାରେ। ଚଳିତାମସ ୧୮ ତାରିଖରେ ବିସିସିଆଇ ଅଧ୍ୟକ୍ଷ ପଦକୁ ନେଇ ନିର୍ବାଚନ ହେବ। ଏହାସହିତ ଯେଉଁ ଅଧିକାରୀ ଏବେ ରହିଛନ୍ତି, ସେମାନଙ୍କ କାର୍ଯ୍ୟକାଳ ସମାପ୍ତ ହେବ ଏବଂ ନୁଆ ଅଧିକାରୀ ନିଯୁକ୍ତି ପାଇବେ। ଏ ନେଇ ଗୁରୁବାର ବୋର୍ଡର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ଦିଲ୍ଲୀରେ ଆୟୋଜିତ ବୈଠକରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସଂପାଦକ ଜୟ ଶାହ, ଉପାଧ୍ୟକ୍ଷ ରାଜୀବ ଶୁକ୍ଳା, ପୂର୍ବତନ ଅଧ୍ୟକ୍ଷ ଏନ ଶ୍ରୀନିବାସନ, କୋଷାଧ୍ୟକ୍ଷ ଅରୁଣ ଧୁମଲ, ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ୍ ସମେତ ଅନେକ ବଡ ଅଧିକାରୀ ଉପସ୍ଥିତ ଥିଲେ।

ଖବର ମୁତାବକ, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିଜ ପଦ ଛାଡିପାରନ୍ତି। ଆଉ ବିସିସିଆଇକୁ ନୂଆ ଅଧ୍ୟକ୍ଷ ମିଳିପାରେ। ତେବେ ବିସିସିଆଇ ଅଧ୍ୟକ୍ଷ ପଦକୁ ନେଇ ୧୯୮୩ ଓ୍ଵାଲର୍ଡକପ ବିଜେତା ଟିମର ସଦସ୍ୟ ରୋଜର ବିନ୍ନୀଙ୍କ ନାମ ଆଗରେ ରହିଛି। ପୂର୍ବରୁ ବିନ୍ନୀ ବିସିସିଆଇର ଅଧିକାରୀ ଭାବେ ରହିସାରିଛନ୍ତି। ସେ ଚୟନ ଟିମରେ ରହିଥିଲେ।

ତେବେ ପୂର୍ବରୁ ଗାଙ୍ଗୁଲି ପଦ ଛାଡିବାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗିରହିଛି। ଉପାଧ୍ୟକ୍ଷ ଜୟ ଶାହାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଏବେ ରୋଜର ବିନ୍ନୀଙ୍କ ନାମକୁ ନେଇ ଅଧିକ ଚର୍ଚ୍ଚା ଚାଲିଛି। ତେବେ ଗାଙ୍ଗୁଲି ଅଧ୍ୟକ୍ଷ ପଦ ଛାଡିବା ପରେ ଆଇସିସି ଚେୟାରମ୍ୟାନ ପଦବୀ ପାଇଁ ଭାରତକୁ ପ୍ରତିନିଧିତ୍ୱ କରିପାରନ୍ତି ଗାଙ୍ଗୁଲି। ଯଦି ଏମିତି ହୁଏ, ତେବେ ଗାଙ୍ଗୁଲି ପରବର୍ତ୍ତୀ ଆଇସିସି ଚେୟାରମ୍ୟାନ ହୋଇପାରନ୍ତି।

ବିସିସିଆଇ ନିର୍ବାଚନ ୧୮ ଅକ୍ଟୋବର ମୁମ୍ବାଇରେ ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟରେ ହେବ। ଏହି ନିର୍ବାଚନରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଚିବ, ଉପସଚିବ, କୋଷାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ।

ଗାଙ୍ଗୁଲି ୨୦୧୯ ଅକ୍ଟୋବର ୨୩ରେ ବିସିସିଆଇ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ଏହାର ପରବର୍ତ୍ତୀ ଦିନ ଜୟ ଶାହ ସଂପାଦକ ଦାୟିତ୍ଵ ଗ୍ରହଣ କରିଥିଲେ। ଉଭୟଙ୍କ କାର୍ଯ୍ୟକାଳ ୨୦୨୨ ଅକ୍ଟୋବରରେ ସରୁଛି। ନିକଟରେ ସୁପ୍ରିମକୋର୍ଟର ମଞ୍ଜୁରୀ କ୍ରମେ ବିସିସିଆଇ ସଂପର୍କିତ ସମ୍ବିଧାନର ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ ଅନୁଯାୟୀ, ୬ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ବିସିସିଆଇର ଅଧ୍ୟକ୍ଷ ପଦରେ ରହି ପାରିବେ। ତେଣୁ ଗାଙ୍ଗୁଲି ଏବଂ ଶାହ ଉଭୟ ନିଜର କାର୍ଯ୍ୟକାଳ ୨୦୨୫ ପର୍ଯ୍ୟନ୍ତ ଜାରି ରଖି ପାରିବେ।

ରିପୋର୍ଟ ଅନୁଯାୟୀ, ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦ ଲାଗି ପରବର୍ତ୍ତୀ ନିର୍ବାଚନ ଲଢିବେ ନାହିଁ। ଜୟ ଶାହ ସଂପାଦକ ପଦ ପାଇଁ ଆବେଦନ କରି ପାରନ୍ତି। ଗାଙ୍ଗୁଲିଙ୍କ ପରେ ରୋଜର ବିନ୍ନୀ ବିସିସିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହେବାର ସମ୍ଭାବନା ଅଧିକ ରହିଛି।

ରୋଜର ବିନ୍ନୀ ଭାରତୀୟ କ୍ରିକେଟର ଟିମର ବୋଲର ଥିଲେ। ସେ ନିଜ କ୍ୟାରିଅରରେ ମୋଟ ୨୭ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚରେ ୪୭ଟି ଓ୍ଵିକେଟ ନେଇଛନ୍ତି। ୭୨ ଦିନିକିଆ ମ୍ୟାଚ ଖେଳି ୭୭ ଓ୍ଵିକେଟ ନେଇଛନ୍ତି। ଟେଷ୍ଟ କ୍ରିକେଟରେ ୮୩୦ ରନ୍‌ ଏବଂ ଦିନିକିଆରେ ୬୨୯ ରନ୍‌ କରିଛନ୍ତି।

Also Read : ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆର ଫଟୋଶୁଟ୍‌, ବିସିସିଆଇ ସେୟାର କଲା ଫଟୋ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.