ପୁଣି ଚମକିଲେ କୋହଲି ଓ ଆୟର, ଟି-୨୦ ପରେ ଦିନିକିଆ ସିରିଜ୍ କବ୍ଜା କଲା ଭାରତ
ପୋର୍ଟ ଅଫ୍ ସ୍ପେନ୍ : ତୃତୀୟ ଦିନିକିଆରେ ଘରୋଇ େଓ୍ଵଷ୍ଟଇଣ୍ଡିଜ୍କୁ ୬ ଓ୍ଵିକେଟ୍ରେ ହରାଇ ଭାରତୀୟ ଦଳ ଦିନିକିଆ ଆନ୍ତର୍ଜାତିକ ସିରିଜ୍ ବିଜୟୀ ହୋଇଛି । ଗତକାଲି ଖେଳା ଯାଇଥିବା ଏହି ମ୍ୟାଚ୍ରେ ବି ବର୍ଷା ବାଧକ ସାଜିଥିଲା । ଫଳରେ ମ୍ୟାଚ୍କୁ ୩୫ ଓଭରକୁ କମାଇ ଦିଆଯାଇଥିଲା । ଏଥିରେ ଇଣ୍ଡିଜ୍ ଦଳ ୭ ଓ୍ଵିକେଟ୍ ହରାଇ ୨୪୦ ରନ୍ କରିଥିଲା । ହେଲେ ପରବର୍ତ୍ତୀ ସମୟରେ ଡକଓ୍ଵର୍ଥ ଲୁଇସ୍ ନିୟମରେ ଭାରତ ପାଇଁ ବଦଳି ଯାଇଥିଲା ଟାର୍ଗେଟ୍ । ୩୫ ଓଭର୍ରେ ୨୫୫ ରନ୍ର ଲକ୍ଷ୍ୟ ରହିଥିଲା । ଯାହାକୁ ଭାରତ ଆଉ ୧୫ଟି ବଲ୍ ବାକି ଥାଇ ହାସଲ କରିନେଲା ।
ଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । କ୍ରିସ୍ ଗେଲ୍ଙ୍କ ୪୧ ବଲ୍ରୁ ବିସ୍ଫୋରକ ୭୨ ରନ୍ ଏବଂ ଲୁଇସ୍ ୪୩ ଓ ପୁରନ୍ ୩୦ ରନ୍ କରିଥିଲେ । ଓପନିଂ ଯୋଡ଼ିରେ ଗେଲ୍ ଓ ଲୁଇସ୍ ଯୋଡ଼ିଥିଲେ ୧୧୫ ରନ୍ । ଭାରତ ପକ୍ଷରୁ ଯୁବ ପେସ୍ ବୋଲର୍ ଖଲିଲ ଅହମଦ ୩ଟି ଏବଂ ମହମ୍ମଦ ସାମି ୨ଟି ଓ୍ଵିକେଟ୍ ଦଖଲ କରିଥିଲେ ।
ପରେ ଟିମ୍ ଇଣ୍ଡିଆ ଶହେ ରନ୍ ଭିତରେ ଦୁଇ ଓପ୍ନରଙ୍କୁ ହରାଇବା ପରେ କୋହଲି ଓ ଶ୍ରେୟଶ ଆୟରଙ୍କ ଚମତ୍କାର ବ୍ୟାଟିଂ ବଳରେ ୩୨.୩ ଓଭରରେ ୪ ଓ୍ଵିକେଟ୍ରେ ୨୫୬ ରନ୍ କରି ଜିତି ଯାଇଥିଲା । ୨-୦ରେ ଆଗୁଆ ରହି ଭାରତୀୟ ଦଳ ସିରିଜ୍ ବିଜୟୀ ହୋଇଛି । ଓପ୍ନର ରୋହିତ ଶର୍ମା ୧୦ ଏବଂ ଫର୍ମ ହରାଇଥିବା ଶିଖର ଧବନ ୩୬ ବଲ୍ରୁ ୩୬ ରନ୍ କରିଥିଲେ । ତେବେ ବିଶ୍ୱକପ୍ରେ କେବଳ ଅର୍ଦ୍ଧଶତକ କରିଥିବା ଅଧିନାୟକ ବିରାଟ କୋହଲି ପୁଣି ତାଙ୍କୁ ଫୁଲ୍ଫର୍ମକୁ ଫେରି ଲଗାତର ଦ୍ୱିତୀୟ ମ୍ୟାଚ୍ରେ ଦ୍ୱିତୀୟ ଶତକ ହାସଲ କରିଛନ୍ତି । କୋହଲି ୯୯ ବଲ୍ ଖେଳି ଅପରାଜିତ ୧୧୪ ରନ୍ (୧୪ ଚୌକା) କରିଥିଲେ । ଏହା ହେଉଛି ତାଙ୍କର ୪୩ତମ ଦିନିକିଆ ଶତକ । ଋଷଭ ପନ୍ତ ଶୂନରେ ଆଉଟ୍ ହେବା ପରେ ପୂର୍ବ ମ୍ୟାଚ୍ ଭଳି ଏଥର ମଧ୍ୟ ଆୟରଙ୍କ ସହିତ ବଡ଼ ଭାଗିଦାରୀ କରି କୋହଲି ଦଳକୁ ଜିତାଇଥିଲେ । ଆୟର ୪୧ ବଲ୍ରୁ ୬୫ ରନ୍ କରିଥିଲେ । ସେ ୩ଟି ଚୌକା ଓ ୫ଟି ଛକା ମାରିଥିଲେ । ଚତୁର୍ଥ ଓ୍ଵିକେଟ୍ରେ ସେମାନେ ୧୨୦ ରନ୍ ଯୋଡ଼ିଥିଲେ । ଆୟର ଆଉଟ୍ ହେବା ପରେ କେଦାର ଯାଦବ ଅପରାଜିତ ୧୯ ରନ୍ କରି ଫିନିସିଂହ ଟଚ୍ଅପ୍ ଦେଇଥିଲେ ।
ଟି-୨୦ ସିରିଜ୍ କବଜା କରିବା ପରେ ଦିନିକିଆ ସିରିଜ୍କୁ ୨-୦ରେ ଜିତିଛି ଭାରତୀୟ ଦଳ । ଏହା ପରେ ଦୁଇଟିକିଆ ଟେଷ୍ଟ ସିରିଜ୍ ଖେଳାଯିବ । ୧୭ ତାରିଖରୁ ଗୋଟିଏ ଅଭ୍ୟାସ ମ୍ୟାଚ୍ ପରେ ୨୨ ତାରିଖରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ ।