ଭାରତର ଶୋଚନୀୟ ପରାଜୟରେ ମୁହଁ ଖୋଲିଲେ ପୂର୍ବତନ କ୍ରିକେଟର ଅଜୟ ଜାଡ଼େଜା କହିଲେ, ‘ଘର ଚଳିବା ପାଇଁ ୭ ଜଣ ନୁହେଁ ଜଣେ ମୁଖିଆ ଦରକାର’

ଆଇସିସି ଟି-୨୦ ୨୨ ବିଶ୍ୱକପରେ ଗୁରୁବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ଶୋଚନୀୟ ଭାବେ ପରାଜିତ ହୋଇଛି । ଏହି ମ୍ୟାଚରେ ଇଂଲଣ୍ଡ ଠାରୁ ହାରି ବିଶ୍ୱକପରୁ ବିଦା ହୋଇଛି । ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଠାରୁ ଏକତରଫା ଭାବରେ ହାରିଥିବା ବେଳେ ଏହି ପରାଜୟକୁ ଭାରତୀୟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଇଂଲଣ୍ଡ ଠାରୁ ୧୦ ଓ୍ଵିକେଟରେ ଏମିତି ଏକ ପରାଜୟକୁ ସମସ୍ତେ ରୋହିତଙ୍କ ଅଧିନାୟକତ୍ୱକୁ ଦୋଷ ଦେଉଛନ୍ତି । ଏନେଇ ଭାରତର ପୂର୍ବତନ କ୍ରିକେଟର ଅଜୟ ଜାଡ଼େଜା ମଧ୍ୟ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଗୋଟିଏ ଘର ଚଳିବା ପାଇ ଜଣେ ମୁରବୀର ଆବଶ୍ୟକତା ହୋଇଥାଏ,ଯଦି ଏଠି ୭ ଜଣ ମୁରବୀ ମୁଣ୍ଡ ଖେଳାଇବେ ତେବେ ଅବସ୍ଥା ଏମିତି ହେବ। ପୂର୍ବତନ କ୍ରିକେଟର ଅଜୟ ଜାଡ଼େଜା କହିଛନ୍ତି, ଏମିତି ପରିସ୍ଥିତି ଆସିବାର ମୁଖ୍ୟ କାରଣ ହେଉଛି ଗୋଟିଏ ବର୍ଷରେ ଟିମ୍‌ରେ ବାରମ୍ବାର ଅଧିନାୟକ ବଦଳାଇବା ।

ଏହି ବର୍ଷ ଭାରତୀୟ ଟିମ୍‌ ଅନେକ ଖେଳାଳିଙ୍କୁ ଅଧିନାୟକ ଭାର ଦେଇ ପରୀକ୍ଷା ନୀରିକ୍ଷା କରିଛି । ବର୍ଷ ଆରମ୍ଭରୁ ବିରାଟ କୋହଲି ଅଧିନାୟକ ଥିବା ବେଳେ ରୋହିତ ଶର୍ମା, କେ.ଏଲ୍‌. ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା,ଶିଖର ଧଓ୍ଵନ,ଋଷଭ ପନ୍ଥ ଏବଂ ଯଶ୍‌ପ୍ରିତ ବୁମରାଙ୍କୁ ଟିମ୍‌ ସୁଯୋଗ ଦେଇଛି । ଏମିତି ବାରମ୍ବାର ଅଧିନାୟକ ବଦଳାଇବା ଦ୍ୱାରା ଟିମ୍‌ ସୁଦୃଢ଼ ହୋଇପାରିବ ନାହିଁ । ସେଥିପାଇଁ ଜାଡ଼େଜା କହିଛନ୍ତି,‘ଘର୍‌ କା ଏକ୍‌ ହି ବୁଜୁର୍ଗ ହୋନା ଚାହିୟେ,ସାତ୍‌ ବୁଜୁର୍ଗ ହୋଙ୍ଗେ ତୋ ଭି ଦିକ୍କତ ହେ’। ଜାଡ଼େଜା କ୍ରିକ୍‌ବଜ୍‌ ସହିତ କଥା ହେବା ବେଳେ ଆହୁରି ମଧ୍ୟ କହିଛନ୍ତି, ଯଦି ଜଣେ ଅଧିନାୟକ ଟିମ୍‌ ଗଢ଼ୁଛନ୍ତି, ତେବେ ତାଙ୍କୁ ପୁରା ସିଜିନ ଟିମ୍‌ ସହିତ ରହିବାକୁ ପଡ଼ିବ । କିନ୍ତୁ, ବିଶ୍ୱକପରେ ଅଧିନାୟକ ଭାର ସମ୍ଭାଳିଥିବା ରୋହିତ ଅନେକ ସିରିଜରେ ରହି ନାହାଁନ୍ତି । ଟିମ୍‌ ଆପଣ ଗଢ଼ୁଛନ୍ତି ପୁଣି ଟିମ୍‌ ସହିତ ରହୁନାହାଁନ୍ତି । ଯାହାର ଫଳ ଆଜି ଭୋଗିବାକୁ ପଡ଼ିଲା । ଏ କଥା ସେ ଆଗରୁ କହିଥିଲେ ବୋଲି ମଧ୍ୟ କହିଛନ୍ତି ।

ଏହି ବିଶ୍ୱକପରେ ଭାରତୀୟ ଦଳ ପାକିସ୍ତାନ ଏବଂ ବାଂଲାଦେଶ ବିପକ୍ଷରେ ଶେଷ ମୁହୂର୍ତ୍ତରେ ଜିତିଛି । ସେହିପରି ଗୃପ ଷ୍ଟେଜ୍‌ରେ ଆଫ୍ରିକା ଠାରୁ ଏବଂ ସେମିଫାଇନାଲରେ ଇଂଲଣ୍ଡ ଠାରୁ ପରାଜିତ ହୋଇଛି । ଜିମ୍ବାୱେ ଏବଂ ନେଦରଲାଣ୍ଡସ ଠାରୁ ସହଜ ବିଜୟ ହାସଲ କରିଛି । ବ୍ୟାଟରମାନଙ୍କ ମଧ୍ୟରୁ ବିରାଟ କୋହଲି,ସୂର୍ଯ୍ୟ କୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛଡ଼ା ଆଉ କାହାର ଭଲ ପ୍ରଦର୍ଶନ ନଥିଲା । ଭାରତୀୟ ଦଳ ଗ୍ରୁପ୍‌ ଷ୍ଟେଜ୍‌ ସମୟରେ ବୋଲରମାନେ ପ୍ରଭାବ ବିସ୍ତାର କରିଥିବା ବେଳେ ସେମିଫାଇନାଲରେ ପୁରା ବିଫଳ ହୋଇଥିଲେ ।

 

 

You might also like