ଓଡିଶା ପାଇଁ ଗର୍ବ, ଅମିତ ରୋହିଦାସ ଭାରତୀୟ ହକି ଟିମର କ୍ୟାପଟେନ ହେଲେ
ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଭାରତୀୟ ପୁରୁଷ ହକି ଦଳର ନାଁ ଘୋଷଣା କରାଯାଇଛି । ଆଉ ଏହି ଦଳର କ୍ୟାପଟେନ ଭାବେ ଓଡ଼ିଶାର ଅମିତ ରୋହିଦାସଙ୍କୁ ଦାୟିତ୍ୱ ଦିଆଯାଇଛି । ଏଫଆଇଏଚ ହକି ପ୍ର ଲିଗ ୨୦୨୧-୨୦୨୨ ଦ୍ୱାରା ଅନୁଷ୍ଠିତ ବେଲ୍ଜିୟମ ଓ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଅମିତ ଭାରତ ଦଳ ପକ୍ଷରୁ କ୍ୟାପଟେନ ସିପ କରିବେ । ସୂଚନା ମୁତାବକ ଆସନ୍ତା ଜୁନ ୧୧ ଓ ୧୨ତାରିଖରେ ଅନ୍ତରୀପ ଠାରେ ଭାରତ ଓ ବେଲ୍ଜିୟମ ମୁହାଁମୁହିଁ ହେବେ । ଯେବେକି ରୋଟେରଡ଼ାମ ଠାରେ ଜୁନ ୧୮ ଓ ୧୯ତାରିଖରେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ ଟିମ ଇଣ୍ଡିଆ । ଏଥିପାଇଁ ଅମିତ ରୋହିଦାସଙ୍କୁ କ୍ୟାପଟେନ ଭାବେ ଚୟନ କରାଯାଇଥିବା ବେଳେ ଭାଇସ କ୍ୟାପଟେନ ଭାବେ ହର୍ମନପ୍ରୀତ ସିଂହଙ୍କୁ ଚୟନ କରାଯାଇଛି ।
୨୦ ଜଣିଆ ଦଳରେ ଗୋଲକିପର ଭାବେ ସୁରଜ କାରକେରା, ଶ୍ରୀଜେଶ ପରଟୁ ରବିନ୍ଦ୍ରମ, ଡିଫେଣ୍ଡର ଭାବେ ସୁରେନ୍ଦ୍ର କୁମାର, ହର୍ମନପ୍ରୀତ ସିଂହ , ବରୁଣ କୁମାର, ଯୁଗରାଜ ସିଂ, ଜର୍ମାନପ୍ରୀତ ସିଂହ ଆଦି ଅଛନ୍ତି । ମିଡ଼ଫିଲଡ ଖେଳାଳି ଭାବେ ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ସମଷେର ସିଂ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂ, ନୀଳକାନ୍ତ ଶର୍ମା ଯେବେକି ଫରୱାର୍ଡ଼ଲାଇନ ଖେଳାଳି ଭାବେ ଗୁରଯାନ୍ତ ସିଂହ, ମନ୍ଦୀପ ସିଂହ, ଶୀଳାନନ୍ଦ ଲାକ୍ରା, ସୁଖାଜିତ ସିଂହ, ଲଳିତ କୁମାର ଉପାଧ୍ୟାୟ, ଅଭିଷେକ ଆଦି ଅଛନ୍ତି ।