ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଟିମ୍ କମାଲ୍ ପ୍ରଦର୍ଶନ କରିଛନ୍ତି । ଭାରତୀୟ ହକି ଟିମ୍ ଗ୍ରେଟ ବ୍ରିଟେନକୁ ପେନାଲିଟି ସୁଟଆଉଟ୍ରେ ୪-୨ରେ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିଛି । ଏବେ ଭାରତୀୟ ହକି ଟିମ୍ ଜର୍ମାନୀ ସହିତ ମୁହାଁମୁହିଁ ହେବ । କିନ୍ତୁ ଏହା ପୂର୍ବରୁ ହକି ଟିମ୍କୁ ଝଟକା ଲାଗିଛି । ଭାରତୀୟ ହକି ଦଳର ଷ୍ଟାର ଖେଳାଳି ଅମିତ ରୋହିଦାସଙ୍କ ଉପରେ ଲାଗିଛି ଗୋଟିଏ ମ୍ୟାଚ ପାଇଁ ବ୍ୟାନ । ତେଣୁ ଅମିତ ରୋହିଦାସ ସେମିଫାଇନାଲ ମ୍ୟାଚ ଖେଳି ପାରିବେ ନାହିଁ । ଜର୍ମାନୀ ବିପକ୍ଷ ସେମିଫାଇନାଲ ମ୍ୟାଚରୁ ସେ ଆଉଟ ହୋଇଛନ୍ତି । ଭାରତୀୟ ଦଳର ଡିଫେନ୍ସ ଦୁର୍ବଳ ହେବାର ଆଶଙ୍କା ମଧ୍ୟ କରାଯାଉଛି ।
ଗ୍ରେଟ ବ୍ରିଟେନ ବିପକ୍ଷରେ କ୍ୱାର୍ଟର ଫାଇନାଲରେ ଭାରତୀୟ ଖେଳାଳି ଅମିତ ରୋହିଦାସଙ୍କୁ ରେଡକାର୍ଡ ଦେଖାଯାଇଥିଲା । ଏହାପରେ ଭାରତୀୟ ଟିମ୍ ଅନ୍ୟ ୧୦ ଜଣ ଖେଳାଳିଙ୍କ ସହିତ ଖେଳିଥିଲା । ବ୍ରିଟେନ ବିପକ୍ଷ ମ୍ୟାଚରେ ବ୍ରିଟେନର ଫରୱାର୍ଡ ୱିଲ କୈଲନନଙ୍କ ସହ ଅମିତଙ୍କ ଧକ୍କା ହୋଇଥିଲା । ତାଙ୍କ ହକି ଷ୍ଟିମ ଭୁଲ ଭାବେ ଓ୍ଵିଲ କେଲନନଙ୍କ ମୁହଁରେ ବାଜିଯାଇଥିଲା । ଯାହାକୁ ନେଇ ରେଫରୀ ତାଙ୍କୁ ରେଡ କାର୍ଡ ଦେଖାଇଥିଲେ ।
ଇଣ୍ଟରନ୍ୟାସନଲ ହକି ଫେଡେରେସନ (FIH) ଅମିତଙ୍କୁ ଗୋଟିଏ ମ୍ୟାଚ ପାଇଁ ବ୍ୟାନ କରିଛି । ଭାରତୀୟ ଦଳର ଏହି ଷ୍ଟାର ଖେଳାଳି ବ୍ରିଟେନ ବିପକ୍ଷ କ୍ୱାର୍ଟରଫାଇନାଲ ମ୍ୟାଚରେ ରେଡ କାର୍ଡ ପାଇଥିଲେ । ଏହି ରେଡ କାର୍ଡ ପାଇଁ ତାଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଛି ।