ଇଣ୍ଡିଜ୍‌ରେ ବୋଲିଂ କରୁଛନ୍ତି ସାମି, ଏଣେ ଘରେ ପହଞ୍ଚିଲାଣି ଆରେଷ୍ଟ ଓ୍ଵାରେଣ୍ଟ

ନୂଆଦିଲ୍ଲୀ : ପୁଣି ଅଡୁଆରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପେସ୍‌ ବୋଲର୍‌ ମହମ୍ମଦ ସାମି । ସାମି ଓ ତାଙ୍କ ଭାଇଙ୍କ ନାଁରେ ଓ୍ଵାରେଣ୍ଟ ଜାରି ହୋଇଛି । ଘରୋଇ ହିଂସା ଅଭିଯୋଗ ଆଣିଥିଲେ ସାମିଙ୍କ ପତ୍ନୀ ହସିନ୍‌ ଜାହାଁ । ଏହି ଅଭିଯୋଗ ଅନୁଯାୟୀ ପଶ୍ଚିମବଙ୍ଗର ଆଲିପୁର ସ୍ଥିତ କୋର୍ଟ ସାମି ଏବଂ ତାଙ୍କ ଭାଇ ହାସିଦ ଅହମଦଙ୍କ ନାଁରେ ଏହି ଓ୍ଵାରେଣ୍ଟ ଜାରି କରିଛନ୍ତି । ୧୫ ଦିନ ଭିତରେ କୋର୍ଟରେ ଆସି ଆତ୍ମସମର୍ପଣ ନକଲେ ସେମାନଙ୍କୁ ଗିରଫ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ତେବେ ସାମି ଏବେ ଭାରତୀୟ ଦଳ ସହିତ େଓ୍ଵଷ୍ଟଇଣ୍ଡିଜ୍‌ରେ ଟେଷ୍ଟ ସିରିଜ୍‌ ଖେଳୁଛନ୍ତି ।


ଗତ ମାର୍ଚ୍ଚ ମାସରେ ପତ୍ନୀ ହସିନ ଜାହାଁ ସାମିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହା ପୂର୍ବରୁ ହସିନ୍‌ ଗୁରୁତର ଅଭିଯୋଗ ଆଣି ସାମିଙ୍କ ବଡ଼ ଭାଇ ତାଙ୍କ ସହ ଦୁଷ୍କର୍ମ କରିଥିବା କଥା ମଧ୍ୟ କହିଥିଲେ । ଏମିତିକି ସାମି ମ୍ୟାଚ୍‌ଫିକ୍ସିଂ କରନ୍ତି ବୋଲି ମଧ୍ୟ ସେ କହିବାକୁ ପଛାଇ ନଥିଲେ । ଯାହାକୁ ବିସିସିଆଇ ଯାଞ୍ଚ ପରେ ଖାରଜ କରି ଦେଇଥିଲା । ପରେ ବିଭିନ୍ନ ଅଭିଯୋଗ ସବୁକୁ ସେ ଫେସ୍‌ବୁକ୍‌ରେ ଛାଡ଼ିଥିଲେ । ଶେଷରେ ଏମିତି ହେଲା ଯେ ଫେସ୍‌ବୁକ୍‌ ତାଙ୍କର ଆକାଉଣ୍ଟ ଡିଲିଟ୍‌ କରିଦେଲା । ଏବେ ଦେଖିବାର ଅଛି ଅଦାଲତଙ୍କ ଗିରଫ ପରଓ୍ଵାନାର କଣ ଜବାବ ଦେଉଛନ୍ତି ସାମି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.