ଆସେସ ସିରିଜ: ୪ର୍ଥ ଟେଷ୍ଟ ଜିତିଲା ଇଂଲଣ୍ଡ, ମେଲବୋର୍ଣ୍ଣ ଟେଷ୍ଟରେ ଇଂଲଣ୍ଡର ବଡ଼ ବିଜୟ

ମେଲବୋର୍ଣ୍ଣ ଟେଷ୍ଟରେ ଇଂଲଣ୍ଡର ବଡ଼ ବିଜୟ ।  ଆସେସ ସିରିଜର ୪ର୍ଥ ଟେଷ୍ଟ ଜିତିଲା ଇଂଲଣ୍ଡ ।  ଅଷ୍ଟ୍ରେଲିଆକୁ  ୪ ୱିକେଟ୍ ରେ ହରାଇଲା ଇଂଲଣ୍ଡ ।  ୧୫ ବର୍ଷରେ ୧୬ ପରାଜୟ ଓ ୨ ଡ୍ର ପରେ ଅଷ୍ଟ୍ରେଲିଆ ମାଟିରେ ଇଂଲଣ୍ଡ ବାଜି ମାରିନେଇଛି ।

ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ।  ଫଳରେ ଅଷ୍ଟ୍ରେଲିଆ ପ୍ରଥମେ ବାଟିଂ କରି ପ୍ରଥମ ଇନିଂସରେ ୧୫୨ ରନ୍ କରିଥିବା ବେଳେ ଦ୍ବିତୀୟ ଇନିଂସରେ ୧୩୨ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ମାଇକେଲ୍ ନେସର୍ ସର୍ବାଧିକ ୩୫ ରନ୍ କରିଥିଲେ ।  ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୩୦ ରନ୍ ଛୁଇଁ ପାରି ନଥିଲେ।  ୨୦୦୦ ପରଠାରୁ ଘରୋଇ ମାଟିରେ ଆସେସ୍ ଟେଷ୍ଟରେ ଏହା ଅଷ୍ଟ୍ରେଲିଆର ଚତୁର୍ଥ ସର୍ବନିମ୍ନ ସ୍କୋର ।

ପରେ ଇଂଲଣ୍ଡର ବ୍ୟାଟସମ୍ୟାନମାନେ ଆହୁରି ଖରାପ ପ୍ରଦର୍ଶନ କରିଥିଲେ। ଇଂରାଜୀ ଦଳ ପ୍ରଥମ ଇନିଂସରେ କେବଳ ୧୧୦ ରନ୍ କରିପାରିଥିଲା ।  ଏହା ପ୍ରଥମ ଇନିଂସ ଆଧାରରେ ଅଷ୍ଟ୍ରେଲିଆକୁ ୪୨ ରନ୍ ର ଲିଡ୍ ଦେଇଥିଲା ।  ଇଂଲଣ୍ଡ ପକ୍ଷରୁ ହ୍ୟାରି ବ୍ରୁକ୍ ସର୍ବାଧିକ ୪୧ ରନ କରିଥିଲେ ।  ପ୍ରଥମ ଇନିଂସରେ ୪୨ ରନର ଲିଡ୍ ନେଇଥିବା ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଇନିଂସରେ ଅଧିକ କିଛି କରିପାରି ନଥିଲା ।  ସେମାନେ କେବଳ ୩୪.୩ ଓଭରରେ ୧୩୨ ରନ୍ କରି ଅଲଆଉଟ୍ ହୋଇଥିଲେ।  ପ୍ରଥମ ଇନିଂସ ଲିଡ୍ ଯୋଡିବା ପରେ, ଇଂଲଣ୍ଡକୁ ୧୭୫ ରନର ଟାର୍ଗେଟ ଦିଆଯାଇଥିଲା, ଯାହାକୁ ସେମାନେ ଜ୍ୟାକ କ୍ରାଉଲି (୩୭ ରନ), ବେନ୍ ଡକେଟ (୩୪ ରନ) ଏବଂ ଜ୍ୟାକବ ବେଥେଲ (୪୦ ରନ)ଙ୍କ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଯୋଗୁଁ ହାସଲ କରିଥିଲେ।

ଏହା ପୂର୍ବରୁ ଇଂଲଣ୍ଡ ଜାନୁଆରୀ  ୨୦୧୧ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍ ଜିତିଥିଲା।

 

Also read: ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ