ପିଠିରେ ପ୍ରବଳ ଯନ୍ତ୍ରଣା ଭିତରେ ଅଶ୍ୱିନ୍‌ ବ୍ୟାଟିଂ କରିଥିଲେ, ମ୍ୟାଚ୍‌ ପରେ ଏକଥା ଜଣାଇଲେ ତାଙ୍କ ପତ୍ନୀ

ସିଡନୀ : ଅଷ୍ଟ୍ରେଲିଆ ସହ ତୃତୀୟ ଟେଷ୍ଟ ଡ୍ର ରଖିଛି ଭାରତ । ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳର ସମ୍ମାନ ରଖିଲେ ହନୁମା ବିହାରୀ ଏବଂ ରବିଚନ୍ଦ୍ର ଅଶ୍ୱିନ୍‌ । ଅଶ୍ୱିନ୍‌ ୧୨୮ ବଲ୍‌ ଖେଳି ୨୯ ରନ୍‌ କରିଥିଲେ । ତେବେ ଏଇ ୨୯ ରନ୍‌ ଯେତିକି ଗୁରୁତ୍ୱପୂର୍ଣ୍ଣ ନଥିଲା ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ତାଙ୍କର କ୍ରିଜ୍‌ରେ ଏତେ ସମୟ ଧରି ରହିବା ଓ ବିହାରୀଙ୍କୁ ସାଥ୍‌ ଦେବା । ଦୁହେଁ ଅସମାପ୍ତ ଷଷ୍ଠ ଓ୍ଵିକେଟ୍‌ ଯୋଡ଼ିରେ ୬୨ ରନ୍‌ ସଂଗ୍ରହ କରି ଅଷ୍ଟ୍ରେଲିଆର ବିଜୟ ଆଶାକୁ ମାଟିରେ ମିଶାଇ ଦେଇଥିଲେ । ପ୍ରାୟ ୪୦ ଓଭର୍‌ ଧରି ଏ ଦୁୁହେଁ ବ୍ୟାଟିଂ କରିଥିଲେ । ବିହାରୀଙ୍କ ଗୋଡ଼ରେ ଆଘାତ ଥିଲା । ତେଣୁ ସେ ଭଲ ଭାବେ ଦୌଡ଼ି ପାରୁନଥିଲେ । ତଥାପି ଓ୍ଵିକେଟ୍‌ ଜଗି ରହିଥିଲେ । ଏକଥା ତ ଖେଳ ବେଳେ ଜଣାପଡ଼ି ଯାଇଥିଲା । ହେଲେ ଅଶ୍ୱିନ୍‌ କିଭଳି ଅବସ୍ଥାରେ ବ୍ୟାଟିଂ କଲେ ସେକଥା ଖେଳ ପରେ ଜଣାପଡ଼ିଛି ।

ଆଜି ମ୍ୟାଚ୍‌ ଶେଷ ହେବା ପରେ ଅଶ୍ୱିନ୍‌ ନିଜ ଇନଷ୍ଟାଗ୍ରାମ୍‌ରେ କିଛି ଫଟୋ ସେୟାର କରିଥିଲେ । ଏଥିରେ ସେ କୌଣସି ସୂଚନା ଦେଇନଥିଲେ ମଧ୍ୟ ଏତିକି ଲେଖିଥିଲେ ଯେ ‘ଫଟୋ ବହୁତ କିଛି କଥା କହେ । ଯାହା ଆମେ ଶବ୍ଦରେ କହି ପାରୁନା, ସେକଥା ଫଟୋ ସ୍ପଷ୍ଟ କରିଦିଏ । ମୁଁ ମୋ ଟିମ୍‌ ସାଥୀମାନଙ୍କୁ ଧନ୍ୟବାଦ ଦେଉଛି’ । ତେବେ ତାଙ୍କର ଏହି ରହସ୍ୟମୟ ଶବ୍ଦ ପ୍ରକୃତରେ କଣ ପାଇଁ ତାହା ବୁଝି ହେଉନଥିଲା ।

ପରବର୍ତ୍ତୀ ସମୟରେ ଅଶ୍ୱିନ୍‌ଙ୍କ ପତ୍ନୀ ପୃଥ୍ଵୀ ରହସ୍ୟ ଉପରୁ ପରଦା ଉଠାଇଛନ୍ତି । ସେ ଟ୍ଵିଟରରେ ଲେଖିଛନ୍ତି ‘ ଏ ବ୍ୟକ୍ତି ଜଣକ ଗତକାଲି ରାତିରେ ବହୁତ କଷ୍ଟରେ ଶୋଇଛନ୍ତି । ତାଙ୍କ ପିଠିରେ ଏତେ ଯନ୍ତ୍ରଣା ହେଉଥିଲା ଯେ ସେ ସକାଳେ ସିଧା ଠିଆ ହୋଇ ପାରୁନଥିଲେ । ଏମିତିକି ନିଜ ଜୋତାର ଲେସ୍‌ ବି ବାନ୍ଧି ପାରୁନଥିଲେ । ତେବେ ପଡ଼ିଆରେ ଆଜି ସେ ଯେମିତି ଖେଳ ଦେଖାଇଲେ, ସେଥିରେ ମୁଁ ଏକଦମ ଆଚମ୍ବିତ ହୋଇଯାଇଛି ।

କ୍ରିକେଟ୍‌ ପ୍ରେମୀ ଜାଣିଥିବେ ଯେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ ଥିବାରୁ ଅଶ୍ୱିନ୍‌ଙ୍କ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରାଯାଇଥିଲା । ଦେହରେ ଯନ୍ତ୍ରଣା ସତ୍ତ୍ୱେ ସେ କାହାକୁ କିଛି ନଜଣାଇ ପ୍ୟାଟ୍‌ କମିନ୍ସଙ୍କ ଭଳି ଶ୍ରେଷ୍ଠ ବୋଲରଙ୍କ ସାମନା କରିଥିଲେ । ଚଳିତ ଟେଷ୍ଟ ସିରିଜରେ ସେ ମୋଟ୍‌ ୭୮ ରନ୍‌ କରିବା ସହ ୧୨ଟି ଓ୍ଵିକେଟ୍‌ ନେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.