ଆର୍ଥିକ ସଙ୍କଟ ପରେ ବି ଶ୍ରୀଲଙ୍କାରେ ଆୟୋଜିତ ହେବ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ, ଅଗଷ୍ଟ ୨୪ରେ ପ୍ରଥମ ମ୍ୟାଚ୍‌

ଏଥରକ ଶ୍ରୀଲଙ୍କାରେ ଆୟୋଜିତ ହେବ ଏସିଆ କପ୍‌। ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ୍‌ (ACC) ପକ୍ଷରୁ ଆୟୋଜିତ ହେଉଥିବା ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟର ୨୦୨୨ ସିଜନ୍‌ର ଆୟୋଜନ ପୂର୍ବ ନିର୍ଦ୍ଧାରିତ ସିଡ୍ୟୁଲ ମୁତାବକ ଶ୍ରୀଲଙ୍କାରେ ହିଁ ହେବ। ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୭ ମଧ୍ୟରେ ଶ୍ରୀଲଙ୍କାରେ ଆୟୋଜିତ ହେବ ଏହି ଟୁର୍ଣ୍ଣାମେଣ୍ଟ।

ମାର୍ଚ୍ଚ ୧୯ରେ ୟୁଏଇରେ ଅନୁଷ୍ଠିତ ହୋଇଥିବା ବୈଠକ ପରେ ଶ୍ରୀଲଙ୍କାରେ ଏସିଆ କପ୍‌ ୨୦୨୨ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଏବେ ସେହି ଉପମହାଦ୍ୱୀପରେ ଜାରିଥିବା ସଂଘର୍ଷକୁ ଦେଖିବା ପରେ ଅନୁମାନ କରାଯାଉଥିଲା ଯେ ଆଉ ଶ୍ରୀଲଙ୍କାରେ ଏସିଆ କପ୍‌ ହେବ ନାହିଁ। ଶ୍ରୀଲଙ୍କା ବଦଳରେ ୟୁଏଇରେ ଏସିଆ କପ୍‌ ଆୟୋଜିତ ହେବ ବୋଲି ଆଶା କରାଯାଉଥିଲା।

କିନ୍ତୁ ନିକଟରେ ସାମ୍ନାକୁ ଆସିଥିବା ଖବର ମୁତାବକ, ଶ୍ରୀଲଙ୍କାରେ ହିଁ ହେବ ଏସିଆ କପ୍‌। ଶ୍ରୀଲଙ୍କାର ବର୍ତ୍ତମାନର ଆର୍ଥିକ ଅସ୍ଥିରତାକୁ ଦେଖିବା ପରେ ଏସିସି ଏହି ତାରିଖରେ ପରିବର୍ତ୍ତନ ସହ ଅନ୍ୟ କେତେକ ବିକଳ୍ପ ଉପରେ ବିଚାର କରିଥିଲା। କିନ୍ତୁ ଶେଷରେ ଶ୍ରୀଲଙ୍କାରେ ହିଁ ମ୍ୟାଚ୍‌ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ ଏସିଆ କପ୍‌ର ଗତ ସିଜନ୍‌ ୟୁଏଇରେ ଆୟୋଜିତ ହୋଇଥିଲା। ଗତ ଥର ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଏସିଆ କପ୍‌ ଜିତିଥିଲା। ସେହିଭଳି ଶ୍ରୀଲଙ୍କା ମଧ୍ୟ ୫ ଥର ଟୁର୍ଣ୍ଣାମେଣ୍ଟ ଜିତିଛି।

ଏସିଆ କପ୍‌ର ଆଗାମୀ ସିଜନ୍‌ରେ ଭାରତ ସମେତ ଶ୍ରୀଲଙ୍କା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଅଂଶ ଗ୍ରହଣ କରିବେ। ସେହିପରି କ୍ୱାଲିଫାୟାର ଟୁର୍ଣ୍ଣାମେଣ୍ଟର ବିଜେତା ଟିମ୍‌କୁ ବି ଏସିଆର ବଡ଼ ଟିମ୍‌ ସହ ପ୍ରତିଯୋଗିତା କରିବାର ସୁଯୋଗ ମିଳିବ।

Also Read: ଜୁନ୍‌ ମାସରେ ୮ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ସାରି ଦିଅନ୍ତୁ ସବୁ ଜରୁରୀ କାମ