ଚୀନରେ ଚାଲିଥିବା ଏସିଆନ ଚାମ୍ପିଅନ୍ସରେ ଭାରତୀୟ ହକି ଟିମର ବିଜୟ ଧାରା ଜାରି ରହିଛି । ଆଜି ପାକିସ୍ତାନକୁ ୨-୧ରେ ପରାସ୍ତ କରିଛି ଭାରତ । ଦଳ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ ୧୩ ଓ ୧୯ ତମ ମିନିଟରେ ଦୁଇଟି ଗୋଲ ଦେଇଛନ୍ତି । ଫଳରେ ଭାରତ ଦମଦାର ବିଜୟ ହାସଲ କରିଛି । ଭାରତ ଏହି ଟୁର୍ଣ୍ଣାମେଣ୍ଟରେ କୌଣସି ବି ଗୋଟିଏ ମ୍ୟାଚ୍ ହାରିନାହିଁ ।
ଭାରତ ଏବଂ ପାକିସ୍ତାନ ଟିମ ମଧ୍ୟରେ ୩୫୦ ଦିନ ପରେ ହକି ମ୍ୟାଚ ହୋଇଥିଲା । ପାକିସ୍ତାନ ଖେଳ ଆରମ୍ଭରୁ ଭାରତ ଉପରେ ଆଟାକ୍ କରିଥିଲା । ୭ ମିନିଟରେ ପାକିସ୍ତାନର ହନ୍ନାନ ଶାହିଦ ଗୋଲ ଦେଇ ୧-୦ରେ ଆଗୁଆ ରହିଥିଲା । ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ ୧୩ ମିନିଟରେ ପ୍ରଥମ ଗୋଲ ଦେଇ ସ୍ଥିତି ୧-୧କୁ ଆଣିଥିଲେ । ଭାରତକୁ ଦ୍ୱିତୀୟ କ୍ୱାର୍ଟରର ୧୯ ମିନିଟରେ ପେନାଲିଟି କର୍ଣ୍ଣର ମିଳିଥିଲା । ଏହାପରେ ଭାରତ ଦ୍ୱିତୀୟ ଗୋଲ କରିଥିଲା । ଏହାସହିତ ଭାରତ ୨-୧ରେ ଆଗୁଆ ହୋଇଥିଲା ।
ତୃତୀୟ କ୍ୱାର୍ଟର ଭାରତକୁ ୩୮ ମିନିଟରେ ପେନାଲିଟି କର୍ଣ୍ଣର ସୁଯୋଗ ମିଳିଥିଲା । କିନ୍ତୁ ଅଧିନାୟକ ହରମନପ୍ରୀତ ସିଂ ହ୍ୟାଟ୍ରିକ ସୁଯୋଗକୁ ହରାଇଦେଇଥିଲେ । ଖେଳ ସମୟରେ ପାକିସ୍ତାନର ଅବୁ ମହମ୍ମୁଦଙ୍କ ଗୋଡ ମୋଡି ହୋଇଯାଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଷ୍ଟ୍ରେଚର ଯୋଗେ ପଡିଆ ବାହାରକୁ ନିଆଯାଇଥିଲା ।
ପୂର୍ବରୁ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଚୀନକୁ ୩-୦, ଜାପାନକୁ ୫-୦, ମାଲେସିଆକୁ ୮-୧ ଏବଂ ଦକ୍ଷିଣ କୋରିଆକୁ ୩-୧ ଗୋଲରେ ପରାସ୍ତ କରି ସେମିରେ ଏଣ୍ଟ୍ରି ମାରିଛି । ୬ଟି ଦଳକୁ ନେଇ ଖେଳା ଯାଉଥିବା ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ଆସନ୍ତା ୧୬ ରେ ଓ ଫାଇନାଲ ୧୭ ତାରିଖରେ ଅନୁଷ୍ଠିତ ହେବ ।