ଭାରତ କବଜାରେ ପର୍ଥ ଟେଷ୍ଟ : ଲଜ୍ଜାଜନକ ପରାଜୟ ଅପେକ୍ଷାରେ ଅଷ୍ଟ୍ରେଲିଆ

ପର୍ଥ : ଅଷ୍ଟ୍ରେଲିଆ ମାଟିରେ ବିଶାଳ ବିଜୟ ଆଡ଼କୁ ଟିମ୍ ଇଣ୍ଡିଆ । ଅଜି ପ୍ରଥମ ଟେଷ୍ଟର ୩ୟ ଦିନ ଖେଳ ଶେଷ ହୋଇଛି । ମ୍ୟାଚକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିଛି ଭାରତୀୟ ଦଳ । ଆଜିର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ମାତ୍ର ୧୨ ରନ କରି ଦ୍ବିତୀୟ ଇନିଂସର ୩ଟି ୱିକେଟ୍ ହରାଇ ସାରିଛି ।

ପୁଣି ବୁମରା

ଯଶସ୍ବୀ ଜୟସ୍ବାଲଙ୍କ ପରେ ବିରାଟ କୋହଲିଙ୍କ ଅପରାଜିତ ଶତକ ବଳରେ ଭାରତୀୟ ଦଳ ୬ ୱିକେଟ୍ ହରାଇ ୪୮୭ ରନ୍ କରିବା ପରେ ପାଳି ଘୋଷଣା କରିଥିଲା । ଫଳରେ ଅଷ୍ଟ୍ରେଲିଆ ଆଗରେ ୫୩୪ ରନର ବିଶାଳ ଲକ୍ଷ୍ୟ ରହିଥିଲା । ଏହାପରେ ଘରୋଇ ଦଳ ଦ୍ବିତୀୟ ଇନିଂସ ଆରମ୍ଭ କରି ପ୍ରଥମ ଓଭରର ଚତୁର୍ଥ ବଲରେ ଓପ୍ନର ନାଥନ ମାକସ୍ବିନୀଙ୍କୁ ହରାଇଥିଲା । ପ୍ରଥମ ପାଳି ଭଳି ପୁଣି ଭାରତୀୟ ଅଧିନାୟକ ବୁମରା ଘାତକ ସାଜିଥିଲେ । ଏହାପରେ ଚତୁର୍ଥ ଓଭରର ପ୍ରଥମ ବଲରେ ମହମ୍ମଦ ସିରାଜ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ଆଉଟ୍ କରି ଭାରତ ପାଇଁ ଦ୍ବିତୀୟ ସଫଳତା ଆଣି ଦେଇଥିଲେ । ନାଇଟ୍ ସ୍ବାଚମ୍ୟାନ ଭାବେ ଆସିଥିବା କମିନ୍ସ ଯିବା ପରେ ବ୍ୟାଟିଂ କରିବାକୁ ଆସିଥିବା ଲାବୁସେନ୍ ମାତ୍ର ୩ ରନ୍ କରି ବୁମରାଙ୍କ ଦ୍ବିତୀୟ ଶିକାର ହୋଇଥିଲେ । ଫଳରେ ମାତ୍ର ୪.୨ ଓଭରରେ ୧୨ ରନ୍ ଭିତରେ ଘରୋଇ ଟିମ୍ ୩ଟି ୱିକେଟ୍ ହରାଇଥିଲା । ତେଣୁ ବର୍ତ୍ତମାନ ସ୍ଥିତିରେ ଏକ ଅସମ୍ଭବ ଲକ୍ଷ୍ୟ ପଛରେ ଯିବାକୁ ହେବ କଙ୍ଗାରୁ ଦଳକୁ । ହାତରେ ଆଉ ୭ଟି ୱିକେଟ୍ ବାକି ଥିବା ବେଳେ ଜିତିବା ପାଇଁ ୫୨୨ ରନ୍ କରିବାକୁ ହେବ । ଭାରତୀୟ ବୋଲରମାନେ ଯେଭଳି ଘାତକ ବୋଲିଂ କରୁଛନ୍ତି ସେଥିରେ କାଲି ଚତୁର୍ଥ ଦିନରେ ହିଁ ପର୍ଥ ଟେଷ୍ଟ ସରିଯିବା ଭଳି ଲାଗୁଛି ।

ଜୟସ୍ବାଲଙ୍କ ବଡ଼ ଇନିଂସ୍

ପୂର୍ବରୁ ଭାରତୀୟ ଦଳ ଦ୍ବିତୀୟ ଇନିଂସରେ  ୱିକେଟ୍ ହରାଇ ୪୮୭ ରନ୍ କରିଥିଲା । ଜୟସ୍ବାଲ ଓ କେଏଲ୍ ରାହୁଲ ପ୍ରଥମ ୱିକେଟରେ ୨୦୧ ରନ୍ ଯୋଡ଼ି ନୂଆ ରେକର୍ଡ଼ କରିଥିଲେ । ପରେ ପଦିକଲ ୨୫ ରନ୍ କରି ଆଉଟ୍ ହୋଇଥିଲେ । ତେବେ ବିରାଟ କୋହଲି ଆସି ଜୟସ୍ବାଲଙ୍କ ସହ ଯୋଡ଼ି ହେବା ପରେ ସ୍କୋର ୩୧୩ରେ ପହଞ୍ଚିଥିଲା । ଏହାପରେ ଜୟସ୍ବାଲ ୧୬୧ ରନ୍ କରି ଆଉଟ୍ ହୋଇଥିଲେ । ସେ ୨୯୭ ବଲ୍ ଖେଳି ୧୫ଟି ଚୌକା ଓ ୩ଟି ଛକା ମାରିଥିଲେ । ଏହା ତାଙ୍କର ଚତୁର୍ଥ ଶତକୀୟ ଇନିଂସ୍ ।  ବଡ଼ କଥା ହେଉଛି ଜୟସ୍ବାଲ ଛକା ମାରି ତାଙ୍କ ଶତକ ପୂରଣ କରିଥିଲେ ।

ବଡ଼ ଇନିଂସ ଖେଳିବାରେ ଧୁରନ୍ଧର ଏହି ଯୁବ ଖେଳାଳିଙ୍କର ମୋଟ ୪ଟି ଶତକ ଭିତରେ ରହିଛି ଦୁଇଟି ଦ୍ବିଶତକ । ସେ ଏପର୍ଯ୍ୟନ୍ତ ୧୫ଟି ଟେଷ୍ଟ ଖେଳି ୧୫୬୮ ରନ୍ କରି ସାରିଛନ୍ତି । ଏଥିରେ ୮ଟି ଅର୍ଦ୍ଧଶତକ ରହିଛି ।

ବ୍ରାଡମ୍ୟାନଙ୍କ ରେକର୍ଡ଼ ଭାଙ୍ଗିଲେ କୋହଲି

ଅନ୍ୟପକ୍ଷରେ କିଙ୍ଗ କୋହଲି ପ୍ରଥମେ ବେଶ୍ ଧୈର୍ଯ୍ୟର ସହ ବ୍ୟାଟିଂ କରି ୧୪୩ ବଲରେ ନିଜର ୩୦ତମ ଟେଷ୍ଟ ଶତକ ହାସଲ କରିଥିଲେ । ଏଥିରେ ରହିଛି ୮ଟି ଚୌକା ଓ ୨ଟି ଛକା । ନିଜର ୧୧୯ତମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି କୋହଲି । ମୋଟ୍ ଟେଷ୍ଟ ସ୍କୋର ୯୧୪୫ ରନରେ ପହଞ୍ଚିଛି । ଏହି ଶତକ ସହ ବିରାଟ କିମ୍ବଦନ୍ତୀ ଅଷ୍ଟ୍ରେଲୀୟ ବ୍ୟାଓ୍ସମ୍ୟାନ୍ ଡନ୍ ବ୍ରାଡମ୍ୟାନଙ୍କ ୨୯ ଟେଷ୍ଟ ଶତକ ରେକର୍ଡ଼ ଭାଙ୍ଗିଛନ୍ତି ।

ଅନ୍ୟମାନଙ୍କ ମଧରେ କୋହଲିଙ୍କୁ ସାଥ୍ ଦେଇ ୱାଶିଂଟନ୍ ସୁନ୍ଦର ୨୯ ଏବଂ ନୀତିଶ ରେଡ୍ଡୀ ୨୭ ବଲ ଖେଳି ୩ ଚୌକା ଓ ୨ଟି ଛକା ସହ ଅପରାଜିତ ୩୮ ରନ୍ କରିଥିଲେ ।

 

ସ୍କୋର : ଭାରତ-୧୫୦ ଓ ୪୮୭/୬ ପାଳି ଘୋଷଣା । ଅଷ୍ଟ୍ରେଲିଆ-୧୦୪ ଓ ୧୨/୩ ।

You might also like