ଆସେସ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଅଧିନାୟକ ପଦ ଛାଡ଼ିଲେ ଟିମ୍‌ ପେନ୍‌

ଆସେସ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟକା। ଏକ ବଡ଼ ବିବାଦରେ ଫସିଥିବା ଯୋଗୁଁ ଅଧିନାୟକ ପଦରୁ ଇସ୍ତଫା ଦେଲେ ଟିମ୍ ପେନ୍ । ଅଷ୍ଟ୍ରେଲିଆ ଦଳର ଟେଷ୍ଟ ଅଧିନାୟକ ପଦରୁ ସେ ଇସ୍ତଫା ଦେଇଛନ୍ତି । ପେନ୍‌ ଏକ ସାମ୍ବାଦିକ ସମ୍ମିଳନୀ କରି ଏକଥା ଘୋଷଣା କରିଛନ୍ତି। ଆସେସ୍ ସିରିଜ୍ର ୧୯ ଦିନ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ଗଣମାଧ୍ୟମ ସାମ୍ନାକୁ ଆସି ସେ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି। ୨୦୧୮ରେ ଜଣେ ମହିଳାଙ୍କୁ ଅଶ୍ଲୀଳ ଫଟୋ ଏବଂ ମେସେଜ ପଠାଇବା ଅଭିଯୋଗ ହୋଇଥିଲା । ଯାହା ଏବେ ଏବେ ଭାଇରଲ ହେଉଛି। ଖାସ୍ ଏହି କାରଣରୁ ଅଧିନାୟକ ପଦରୁ ଇସ୍ତଫା ଦେବା ପାଇଁ ପେନ୍‌ ନିଷ୍ପତ୍ତି ନେଇଛନ୍ତି।

ଏହାକୁ ନେଇ ପେନ୍ କହିଛନ୍ତି, ଇସ୍ତଫା ନିଷ୍ପତ୍ତି ନେବା ମୋ ପାଇଁ ଖୁବ୍‌ ମୁସ୍କିଲ ଥିଲା। ତେବେ ସେ ନିଜ ପରିବାର ସହିତ ଆଲୋଚନା କରି ଶେଷରେ ଇସ୍ତଫା ଦେବାକୁ ସ୍ଥିର କରିଥିଲେ ବୋଲି କହିଛନ୍ତି । ଇସ୍ତଫା ନିଷ୍ପତ୍ତି ମୋ ପାଇଁ, ମୋ ପରିବାର ଏବଂ କ୍ରିକେଟ ପାଇଁ ସଠିକ୍ ନିଷ୍ପତ୍ତି ବୋଲି ପେନ୍‌ କହିଛନ୍ତି।

ଗତ ଦୁଇ ଦିନ ତଳେ ଅଷ୍ଟ୍ରେଲିଆ ୨ଟି ଆସେସ ଟେଷ୍ଟ ପାଇଁ ୧୫ ଜଣିଆ ଟିମ୍ ଚୟନ କରିଥିଲା। ଯେଉଁଥିରେ ପେନ୍‌ ଅଧିନାୟକ ମନୋନୀତ ହୋଇଥିଲେ । ଏବେ ଏପରି ବଡ ବିବାଦରେ ନାଁ ଆସିବା ପରେ ଟିମ୍ଙ୍କ ସ୍ଥାନରେ କିଏ ଅଧିନାୟକ ଭାର ଗ୍ରହଣ କରିବ ତାକୁ ନେଇ ଚର୍ଚ୍ଚା ଚାଲିଛି। ପେନ ଅଧିନାୟତ୍ୱ ପଦ ଛାଡିବା ପରେ ଉପ ଅଧିନାୟକ ପେଟ କମିନ୍ସ ଟେଷ୍ଟ ଅଧିନାୟକ ଦାୟିତ୍ୱ ତୁଲାଇ ପାରନ୍ତି। ଆସନ୍ତା ଡିସେମ୍ବର ୮ରୁ ଆରମ୍ଭ ହେବାକୁ ଯାଉଛି ଆସେସ ସିରିଜ।

୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ଟେଷ୍ଟ ସିରିଜରେ ଷ୍ଟିଭ ସ୍ମିଥ, ଡେଭିଡ ଓ୍ଵାର୍ଣ୍ଣନର ଏବଂ କାମରୁନ ବେନକ୍ରାଫ୍ଟ ବଲ ଟାମ୍ପରିଂ ମାମଲାରେ ଫସିବା ପରେ ପେନଙ୍କୁ ଅଷ୍ଟ୍ରେଲିଆ ଟିମର ଅଧିନାୟକ କରାଯାଇଥିଲା। ପେନ୍ ଅଷ୍ଟ୍ରେଲିଆର ୪୬ତମ ଟେଷ୍ଟ ଅଧିନାୟକ ଥିଲେ। ତାଙ୍କ କହିବାକୁ ମୁତାବକ, ପାଖାପାଖି ୪ ବର୍ଷ ପୂର୍ବେ ଜଣେ ସହଯୋଗୀଙ୍କ ସହିତ ସେ ଟେକ୍ସଟ ମେସେଜ୍‌ ଦେବାନେବା କରିଥିଲେ । ସେ ସମୟରେ କ୍ରିକେଟ ଅଷ୍ଟ୍ରେଲିଆ ଇଣ୍ଟିଗ୍ରିଟି ୟୁନିଟ୍ ଏହାର ଯାଞ୍ଚ କରୁଥିଲା। ସେହି ଯାଞ୍ଚରେ କ୍ରିକେଟ ଅଷ୍ଟ୍ରେଲିଆର ଆଚରଣବିଧି ଉଲ୍ଲଙ୍ଘନ ହୋଇନଥିବା କ୍ରିକେଟ ତାସମାନିଆ ଏବଂ ଏଚଆର ଯାଞ୍ଚରୁ ସ୍ପଷ୍ଟ ହୋଇଥିଲା। ଏହା ସହିତ ମୋତେ ବାହାର କରି ଦିଆଯାଇଥିଲା। ସେତେବେଳେ ଏହି ଘଟଣାକୁ ନେଇ ମୁଁ ବହୁତ ଦୁଃଖିତ ଥିଲି ଏବଂ ଆଜି ମଧ୍ୟ ରହିଛି। ତେବେ ୨୦୧୭ର ଏହି ଘଟଣା ଅଷ୍ଟ୍ରେଲିଆ ଭଳି ଦଳର ଅଧିନାୟକ ପାଇଁ ଶୋଭନୀୟ ନୁହେଁ । କାରଣ ଏହି ଘଟଣାରେ ମୁଁ ଅଷ୍ଟ୍ରେଲିଆର କ୍ରିକେଟ୍‌ ପ୍ରେମୀ ଏବଂ ମୋ ପରିବାରକୁ ଖୁବ୍‌ ଆଘାତ ଦେଇଛି । ସେଥିପାଇଁ କ୍ଷମା ମାଗି ନେଉଛି । ଏବେ ମୁଁ କେବଳ ମୋ ନିଜ ଖେଳ ଉପରେ ହିଁ ଦୃଷ୍ଟି ଦେବି ବୋଲି ପେନ୍‌ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.