ମେଲବର୍ଣ୍ଣ ଟେଷ୍ଟ : ଚତୁର୍ଥ ଦିନ ଖେଳ ଶେଷ, ଭାରତ ଠାରୁ ଅଷ୍ଟ୍ରେଲିଆ ୩୩୩ ରନରେ ଆଗୁଆ

ମେଲବର୍ଣ୍ଣ : ଚତୁର୍ଥ ଟେଷ୍ଟର ଆଜି ଚତୁର୍ଥ ଦିନ ଖେଳ ଶେଷ ହୋଇଛି । ଦ୍ବିତୀୟ ଇନିଂସରେ ଘରୋଇ ଅଷ୍ଟ୍ରେଲିଆ ଦଳ ଆଉ ଗୋଟିଏ ୱିକେଟ୍ ହାତରେ ଥାଇ ୨୨୮ ରନ୍ କରିଛି । ଫଳରେ ଭାରତ ଠାରୁ କଙ୍ଗାରୁ ଦଳ ଏବେ ମୋଟ୍ ୩୩୩ ରନରେ ଆଗୁଆ ରହିଛି । ଆଜିର ଷ୍ଟମ୍ପସ ଅପସାରଣ ବେଳକୁ ବୋଲାଣ୍ଡ ୧୦ ଓ ଲାୟନ୍ ୪୧ ରନ୍ କରି ଖେଳୁଥିଲେ ।

ଆଜି ଭାରତୀୟ ଦଳ ପ୍ରଥମ ଇନିଂସରେ ୩୬୯ ରନ୍ କରି ଆଉଟ୍ ହୋଇଥିଲା । ଫଳରେ ଅଷ୍ଟ୍ରେଲିଆ ପ୍ରଥମ ପାଳି ଠାରୁ ୧୦୫ ରନ୍ ପଛରେ ରହିଥିଲା । ଟିମ୍ ଇଣ୍ଡିଆକୁ ଏତେଦୂର ଆଣିବାରେ ମୁଖ୍ୟ ଭୂମିକା ଥିବା ନୀତିଶ ରେଡ୍ଡୀ ୧୧୪ ରନ୍ (୧୮୯ ବଲ୍, ୧୧ ଚୗକା ଓ ୧ ଛକା) କରି ଶେଷ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ । ପୂର୍ବରୁ ଅନ୍ୟମାନଙ୍କ ମଧ୍ୟରେ ଯଶସ୍ବୀ ଜୟସ୍ବାଲ ୮୨, କୋହଲି ୩୬ ଏବଂ ୱାଶିଂଟନ୍ ସୁନ୍ଦର ୫୦ ରନ୍ କରିଥିଲେ । ନୀତିଶ ଓ ୱାଶିଂଟନଙ୍କ ମଧ୍ୟରେ ୧୨୭ ରନର ଭାଗିଦାରୀ ହୋଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ, ବୋଲାଣ୍ଡ ଓ ଲାୟନ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ପରେ ଦ୍ବିତୀୟ ଇନିଂସ୍ ଆରମ୍ଭ କରି ଘରୋଇ ଦଳ ତାର ପ୍ରଥମ ୱିକେଟ୍ ମାତ୍ର ୨୦ ରନରେ ହରାଇଥିଲା । ବୁମରା ଏବଂ ସିରାଜଙ୍କୁ ଚମତ୍କାର ବୋଲିଂ ସାଙ୍ଗକୁ ପୂରା ଦମରେ ଆକ୍ରମଣରେ ଘାଇଲା ହୋଇଥିଲା କଙ୍ଗାରୁ ଦଳ । ଏହାର ୬ଟି ୱିକେଟ୍ ମାତ୍ର ୯୧ ରନରେ ପଡ଼ି ଯାଇଥିଲା । ତେବେ ଲାବୁସେନଙ୍କ ୭୦ ଏବଂ ଅଧିନାୟକ ପ୍ୟାଟ କମିନ୍ସଙ୍କ ୪୧ ରନ୍ ବଳରେ ଅଷ୍ଟ୍ରେଲିଆ ଟ୍ରାକକୁ ଫେରିଥିଲା । ତେବେ ୧୭୩ ରନରେ ୯ଟି ୱିକେଟ୍ ପଡ଼ିଯିବା ପରେ ଶେଷ ଯୋଡ଼ି ବୋଲାଣ୍ଡ ଓ ନାଥନ୍ ଲାୟନ୍ ଭାରତୀୟ ବୋଲରଙ୍କୁ ସମସ୍ୟାରେ ପକାଇ ଦେଇଛନ୍ତି । ସେମାନେ ଅପରାଜିତ ରହି ଶେଷ ୱିକେଟରେ ଏପର୍ଯ୍ୟନ୍ତ ୫୫ ରନ୍ ଯୋଡ଼ିଛନ୍ତି ।

ସଫଳ ବୋଲର ଭାବେ ଯଶପ୍ରୀତ ବୁମରା ସର୍ବାଧିକ ୪ଟି ୱିକେଟ୍ ୫୬ ରନ୍ ଦେଇ ନେଇଛନ୍ତି । ଆଜି ସେ ଟ୍ରାଭିସ୍ ହେଡଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ୍ ନେଇ ନିଜ ଟେଷ୍ଟ କ୍ୟାରିୟରର ୨୦୦ତମ ୱିକେଟ୍ ହାସଲ କରିଥିଲେ । ମାତ୍ର ୪୪ଟି ଟେଷ୍ଟ ଖେଳି ବୁମରା ଏହି ସଫଳତା ପାଇଛନ୍ତି । ମହମ୍ମଦ ସିରାଜଙ୍କୁ ମିଳିଛି ୩ଟି ୱିକେଟ୍ ।

ଆସନ୍ତାକାଲି ମ୍ୟାଚର ଅନ୍ତିମ ଦିନ । ଏହି ଦିନରେ ଭଲ ଲଢ଼େଇ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । କାରଣ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଦୌଡ଼ରେ ରହିବା ପାଇଁ ଭାରତକୁ ଏହି ମ୍ୟାଚ୍ ଯେମିତି ହେଲେ ଜିତିବାକୁ ପଡ଼ିବ ।

starc runout
ମିଚେଲ ଷ୍ଟାର୍କ ରନ୍ ଆଉଟ୍ : image source : bcci twitter