ଆରୋନ ଫିଞ୍ଚଙ୍କ ବିସ୍ଫୋରକ ଏବଂ ଷ୍ଟିଭେନ ସ୍ମିଥଙ୍କ ବଳରେ ଶନିବାର ଅଷ୍ଟ୍ରେଲିଆ ଏକ ମଜବୁତ ସ୍କୋର କରିଛି। ଆଇସିସି ବିଶ୍ୱକପ୍ ମ୍ୟାଚରେ ଲଣ୍ଡନ୍ର ଓଭାଲ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। କଙ୍ଗାରୁ ଟିମ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ ହରାଇ ୩୩୪ରନ କରିବା ପରେ ଶ୍ରୀଲଙ୍କାକୁ ମ୍ୟାଚ୍ ବିଜୟ ପାଇଁ ୩୩୫ ରନ୍ ଟାର୍ଗେଟ ମିଳିଛି।
ଅଷ୍ଟ୍ରେଲିଆ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। କଙ୍ଗାରୁ ଦଳ ୮୦ ରନରେ ଡାଭିଡ ଓ୍ଵାର୍ଣ୍ଣରଙ୍କୁ ହରାଇଥିଲା। ଉସମାନ ଖାଓ୍ଵଜା ଦଳୀୟ ସ୍କୋର ୧୦୦ ରନରେ ଆଉଟ୍ ହୋଇଥିଲେ। ତୃତୀୟ ଓ୍ଵିକେଟରେ ସ୍ମିଥ ସ ଫିଞ୍ଚ ୧୭୩ ରନ୍ ସଂଗ୍ରହ କରି ଟିମ୍ ସ୍କୋର ୨୭୩ ରନରେ ପହଂଚାଇଥିଲେ। ଶ୍ରୀଲଙ୍କାର ୪ର୍ଥ ଶିକାର ହୋଇଥିଲେ ସ୍ମିଥ। ୪୩.୩ ଓଭରରେ ସ୍ମିଥ ଆଉଟ୍ ହେବା ସମୟରେ ସ୍କୋର ୨୭୮ ରନ୍ ଥିଲା। ଅଷ୍ଟ୍ରେଲିଆ ୩୧୦ ରନରେ ସନ ମାର୍ସ, ୩୧୭ ରନରେ ଆଲେକ୍ସ କେରି ଓ ୩୨୦ ରନରେ ପେଟ କମିନସଙ୍କୁ ହରାଇଥିଲା।