‘ପାକିସ୍ତାନ ଟି୨୦ ବିଶ୍ୱ କପ୍‌ ଜିତିଲେ ବାବର ଆଜମ ପ୍ରଧାନମନ୍ତ୍ରୀ ହେବେ’, କିଏ ଭବିଷ୍ୟବାଣୀ କଲେ ଜାଣନ୍ତୁ

ଆଜି ଭାରତୀୟ ଦଳ ଟି୨୦ ବିଶ୍ୱ କପ୍‌ ଦ୍ୱିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ରେ ଶୋଚନୀୟ ଭାବେ ହାରିଗଲା । ଇଂଲଣ୍ଡ ଏହାକୁ ୧୦ ଓ୍ଵିକେଟ୍‌ରେ ହରାଇ ଫାଇନାଲ୍‌ ରେ ପ୍ରବେଶ କଲା । ଭାରତୀୟ ଖେଳାଳିଙ୍କ ପାରିବା ପଣିଆ ପଦାରେ ପଡ଼ିଗଲା । ବିଶେଷ କରି ବୋଲରମାନଙ୍କ ଉପରକୁ ଆଙ୍ଗୁଠି ଉଠିଛି କି କେମିତି ସେମାନେ ଇଂଲଣ୍ଡର ଗୋଟିଏ ବି ଓ୍ଵିକେଟ୍‌ ପକାଇ ପାରିଲେନି ? ଏସବୁ ଭିତରେ ଭାରତ ଓ ପାକିସ୍ତାନ ଲୋକଙ୍କ ମଧ୍ୟରେ ସମାଲୋଚନା, କଟାକ୍ଷ ଚାଲିଛି ଟ୍ଵିଟରରେ । ଆଉ ଏହି ‘ଟ୍ଵିଟର ଓ୍ଵାର୍‌’ ମଧ୍ୟରେ ଗୋଟିଏ କଥା ବର୍ତ୍ତମାନ ସବୁଠି ଆଲୋଚନା ଚାଲିଛି । ପ୍ରଥମ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲକୁ ଯାଇଥିବା ପାକିସ୍ତାନ ଚାମ୍ପିଅନ୍‌ ହୋଇ ପାରେ । ଆଉ ଯଦି ପାକିସ୍ତାନ ଟ୍ରଫି ଜିତେ ତେବେ ଦଳର ଅଧିନାୟକ ବାବର ଆଜମ ଦିନେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ ।

ତେବେ ବାବର ଆଜମ ପ୍ରଧାନମନ୍ତ୍ରୀ ହେବା କଥା ଭବିଷ୍ୟବାଣୀ କରିଛନ୍ତି ଆମର ପୂର୍ବତନ କିମ୍ବଦନ୍ତୀ ବ୍ୟାଟର ସୁନୀଲ ଗାଭାସ୍କର । ଅବଶ୍ୟ ତାଙ୍କର ଏହି ଭବିଷ୍ୟବାଣୀ ବିନା ଆଧାରରେ ନୁହେଁ । ସେ ଏଥରର ଟି୨୦ ବିଶ୍ୱ କପ୍‌ ଟୁର୍ଣ୍ଣାମେଣ୍ଟକୁ ୧୯୯୨ ଦିନିକିଆ ବିଶ୍ୱ କପ୍‌ ସହ ତୁଳନା କରିଛନ୍ତି । ଯେଉଁଥିରେ ଇମ୍ରାନ୍‌ ଖାନ୍‌ଙ୍କ ପାକିସ୍ତାନ ଟିମ୍‌ ପ୍ରଥମରୁ ଭାରତ ଠାରୁ ହାରିବା ପରେ ଚମତ୍କାର ଖେଳି ଫାଇନାଲ୍‌ରେ ପହଞ୍ଚିଥିଲା । ଆଉ ଫାଇନାଲ୍‌ରେ ଇଂଲଣ୍ଡକୁ ହରାଇ ବିଶ୍ୱ ଚାମ୍ପିଅନ୍‌ ହୋଇଥିଲା । ଏଥର ମଧ୍ୟ ସମାନ ଘଟଣା ଘଟିଛି । ସୁପର-୧୨ ରାଉଣ୍ଡରେ ପ୍ରଥମେ ଭାରତ ଠାରୁ ହାରିବା ପରେ ପାକିସ୍ତାନ ଭାଗ୍ୟ ଜୋରରୁ ଫାଇନାଲ୍‌ରେ ପହଞ୍ଚିଛି । ଅବଶ୍ୟ ସେମିଫାଇନାଲ୍‌୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ଚମତ୍କାର ବିଜୟ ହାସଲ କରିଛି । ତେବେ ପୁଣିଥରେ ୧୯୯୨ ଭଳି ଫାଇନାଲ୍‌ ପାକିସ୍ତାନ ସାମନା କରିବ ଇଂଲଣ୍ଡକୁ ।

ଗାଭାସ୍କରଙ୍କ କହିବା କଥା ୧୯୯୨ ବିଶ୍ୱ କପ୍‌ରେ ଇମାନ୍‌ ଖାନ୍‌ ପାକିସ୍ତାନକୁ ଏଭଳି ସ୍ଥିତିରେ ଚାମ୍ପିଅନ୍‌ କରାଇଥିଲେ । ପରେ ସେ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଛନ୍ତି । ତେଣୁ ବାବର ଯଦି ଦଳକୁ ଚାମ୍ପିଅନ୍‌ କରାନ୍ତି ତେବେ ସେ ମଧ୍ୟ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ । ଗାଭାସ୍କର ଆହୁରି ହିସାବ କରି କହିଛନ୍ତି ଯେ ଇମ୍ରାନ୍‌ ଯେମିତି ୧୯୯୨ରେ ପାକିସ୍ତାନକୁ ବିଶ୍ୱକପ୍‌ ଜିତାଇବା ପରେ ୨୦୧୮ରେ ପ୍ରଧାନମନ୍ତ୍ରୀ ହେଲେ ସେହିପରି ବାବର ଆଜମ ୨୦୪୮ ମସିହାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ ।

 

Leave A Reply

Your email address will not be published.